Latest Odisha News

ବଡ଼ଭାଇ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଗାଁରେ ସ୍କୁଲ ନଥିଲା ବୋଲି ପାଖ ଗାଁର ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ଆକାଶ ଓ ବିଘ୍ନେଶ। ଦୁହେଁ ଦୁଇ ଭାଇ। ଜଣେ ଦାଦା ପୁଅ, ଆଉ ଜଣେ ବଡ଼ବାପା ପୁଅ। ବୟସ ଏଇ ଅଢ଼େଇ ବର୍ଷର ଫରକ। କିନ୍ତୁ ପାଠ ପଢ଼ାରେ ତଳ ଉପର ଶ୍ରେଣୀରେ ଦୁଇ ଜଣ। ଆକାଶ ଷଷ୍ଠ ଶ୍ରେଣୀରେ ପଢୁଥିଲା ବେଳେ ବିଘ୍ନେଶ ଥିଲା ସପ୍ତମରେ। ଉଭୟଙ୍କ ଉଚ୍ଚତା ପ୍ରାୟ ସମାନ। ଶରୀର ଦେଖିଲେ ଆକାଶ ଟିକିଏ ମୋଟାରୋଟା। ବିଘ୍ନେଶ କିନ୍ତୁ ପୂରା ପତଳା। ଖେଳାଳି ଭଳି ଚେହେରା। ଗୋରା ତକତକ ପିଲାଟି। ଚିଙ୍ଗୁଡ଼ି ଭଳି ଡିଏଁ। କେହି ଧରିବାକୁ ଚାହିଁଲେ, ଏତେ ସହଜରେ ଧରି ପାରନ୍ତିନି ତାକୁ। ସ୍କୁଲରେ ଯେତେ ଖେଳକୁଦ ପ୍ରତିଯୋଗିତା, ସବୁଥିରେ ତାର ପୁରସ୍କାର ନିଶ୍ଚୟ। କେଉଁଥିରେ କିଛି ମିଳୁ ବା ନ ମିଳୁ, ଶହେ, ଦୁଇଶହ ଆଉ ଆଠଶହ ମିଟର ଦୌଡ଼ରେ ବିଘ୍ନେଶର ପୁରସ୍କାର, ତାଠୁ କେହି ଛଡ଼ାଇ ନେଇପାରିବେ ନାହିଁ। ସେହି ସ୍କୁଲରେ ନାଁ ଲେଖାଇଲା ଦିନଠାରୁ, ବିଘ୍ନେଶ କେବେ କୌଣସି ଦୌଡ଼ ପ୍ରତିଯୋଗିତାରେ ହାରିନି। ବିଘ୍ନେଶର ଶ୍ରେଣୀରେ ପଢୁଥିବା ପିଲାମାନଙ୍କୁ ଯଦି ତୁଳନାତ୍ମକ ଭାବେ ଦେଖାଯାଏ, ତାହେଲେ ବିଘ୍ନେଶ ସେମାନଙ୍କଠାରୁ ଉଚ୍ଚତାରେ କମ୍। ତା ଶ୍ରେଣୀରେ ପଢୁଥିବା ଝିଅମାନେ ବେଳେ ବେଳେ ତାକୁ ଥଟାରେ କହନ୍ତି, ତୁ ଏଡ଼ିକି ଟିକିଏ ହେଇ ସପ୍ତମ ପଢୁଛୁ କିରେ? ତତେ ଦେଖିଲେ କେହି କହିବନି ଯେ, ତୁ ସପ୍ତମ ପଢୁଛୁ। ଆମକୁ ଲାଗୁଛି ତୁ ପଞ୍ଚମ ପଢୁଛୁ । ବିଘ୍ନେଶ ହସିଦିଏ। ତା ପରେ ସେଠାରୁ ଚାଲିଯାଏ। ଶ୍ରେଣୀରେ ଶିକ୍ଷକମାନେ ବି ତା ଉପରେ ଖୁସି। କାରଣ ସବୁ ଶିକ୍ଷକଙ୍କ ଆଜ୍ଞାଧୀନ ଥିଲା ସେ। ହେଲେ ଆକାଶ ପାଇଁ ଥିଲା ସେ ବଡ଼ଭାଇ। ସବୁବେଳେ ବଡ଼ଭାଇ ଭଳି ତାଗିଦ୍ କରୁଥିଲା ତାକୁ। କୌଣସି ଭୁଲ୍ ଭଟକା ଦେଖିଲେ ବାଡ଼େଇ ଦେଉଥିଲା ଆକାଶକୁ। ଗାଁରୁ ଚାଲି ଚାଲି ସ୍କୁଲ ଗଲାବେଳେ ତାକୁ ପାଦେ ପାଦେ ଜଗୁଥିଲା ବିଘ୍ନେଶ।

ଆକାଶ ଓ ବିଘ୍ନେଶ ଘରୁ ସ୍କୁଲ ଯିବା ପାଇଁ ବାହାରିଲା ବେଳେ ସାଙ୍ଗରେ ଦ୍ୱିପ୍ରହର ପାଇଁ ଖାଇବା ନେଇ ଯାଆନ୍ତି। ଯେଉଁଦିନ ଖାଇବା ନିଅନ୍ତିନି, ସେଦିନ ଘରୁ ପଚାଶ ପଇସା (ଆଠଣି) ମିଳେ। ସେତିକିରେ ଖରାବେଳର ଜଳଖିଆ ହୋଇଯାଏ। ସ୍କୁଲ ପାଖରେ ଥିବା ଗୋଟିଏ ଛୋଟିଆ ଚାଳିଆ ଦୋକାନରେ ଜଣେ ବୁଢ଼ା ଗୋସେଇଁ  ଜଳଖିଆ ବିକନ୍ତି। ଗୁଲୁଗୁଲା, ଆଳୁ ବଣ୍ଡା, ଚକୁଳି, ଘୁଘୁନି, ମିଠା ଖାଡ଼ି ଗଜା ଏବଂ ଗୋଟିଏ କାଚ ବୋତଲ ଭିତରେ ଚାରଣିକିଆ ଲଡୁ। ତେବେ ସେହି ଜଳଖିଆ ଦୋକାନରେ ଆଉ ଗୋଟିଏ ଖାଦ୍ୟ ମିଳେ, ଯାହାକି ଆକାଶର ବହୁତ ପସନ୍ଦ। ସେମିୟା କ୍ଷୀରି। ହଁ, ମାତ୍ର ଚାରିଅଣା ଦେଲେ ମିଳୁଥିଲା ଗୋଟିଏ ଚା ପିଆ କାଚ ଗିଲାସରେ ଗିଲାସେ ସେମିୟା କ୍ଷୀରି। ତେଣୁ ଘରୁ ଯେଉଁଦିନ ଖାଇବାକୁ ନେଉ ନଥିଲେ ଦୁଇ ଭାଇ, ସେଦିନ ସେଠାରେ ଯାଇ ଗୋଟିଏ ଗୋଟିଏ ଗିଲାସ ସେମିୟା କ୍ଷୀରି ପିଇ ଦିଅନ୍ତି ଦୁହେଁ। ବଳକା ଆଠଣାରେ କେବେ ଗୁଲୁଗୁଲା ନ ହେଲେ ଚକୁଳି ଖାଇଦିଅନ୍ତି ସେମାନେ। ବାହାର ଗାଁରୁ ଯାଉଥିବା ପିଲାମାନେ ଅଧିକାଂଶ ସମୟରେ ଖରାବେଳ ଜଳଖିଆ ପାଇଁ ସେଇଠି ଜମା ହୁଅନ୍ତି।

ସେଦିନ ତର ତର ହୋଇ ଘରୁ ବାହାରିଲା ବେଳେ ଦୁଇ ଭାଇ ଘରୁ ଆଠଣା ଲେଖାଏଁ ନେବା ଭୁଲି ଯାଇଥିଲେ। ତେବେ ଯେତେବେଳେ ଖାଇବାଛୁଟି ହେଲା, ସେତେବେଳେ ଦେଖିଲା ବେଳକୁ ଉଭୟଙ୍କ ପାଖରେ ନା ଖାଇବା ଅଛି ନା ପଇସା। ତାହେଲେ ସେମାନେ ଖାଇବେ କଣ? ଆକାଶ ଆଦୌ ଭୋକ ସମ୍ଭାଳି ପାରୁନଥିଲା। ବିଘ୍ନେଶ କହିଲା, ଆଜି ଗୋଟିଏ ଦିନ ଚଳେଇ ଦେ। କାଲି ଆମେ ଘରୁ ଖାଇବା ନେଇକି ଆସିବା ନଚେତ୍ ପଇସା ଧରି ଆସିବା। ଆଜି ଦିନକର କଥା। ଚଳେଇ ଦେ। ସ୍କୁଲ ନଳକୂଅରୁ ପେଟେ ପେଟେ ପାଣି ପିଇ ଦେଇ ଉଭୟେ ସ୍କୁଲ ବାରଣ୍ଡାରେ ବସିଥାନ୍ତି। ଏତିକି ବେଳେ ବିଘ୍ନେଶ କିଛି କାମରେ ଟିକିଏ ଦୂରକୁ ଯାଇଛି କି ନାହିଁ, ତା ଶ୍ରେଣୀର ଶଙ୍କର ମୁଦୁଲି ଦୌଡ଼ି ଆସିଲା ଆକାଶ ପାଖକୁ। କହିଲା ଚାଲ ମୋ ସାଙ୍ଗରେ। ଶଙ୍କର ଉପର ଶ୍ରେଣୀର ଥିବାରୁ ତା କଥା ଶୁଣି ଆକାଶ ଚାଲିଲା ତା ପଛରେ। ଶଙ୍କର ତାକୁ ନେଇ ପହଞ୍ଚିଲା ବୁଢ଼ା ଗୋସେଇଁ ଜଳଖିଆ ଦୋକାନରେ। ଆକାଶ କହିଲା, ମୋ ପାଖରେ ପଇସା ନାହିଁ। ତୁ ମତେ ଏଇଠିକି କାହିଁକି ଆଣିଲୁ? ଶଙ୍କର କହିଲା, ତୁ ପଇସା କଥା କାହିଁକି ଚିନ୍ତା କରୁଛୁ। ମୁଁ ଦେଖିବିନି। ଏତିକି କହି, ବୁଢ଼ାଠୁ ଦୁଇ ଗିଲାସ ସେମିୟା କ୍ଷୀରି ମାଗିଲା। ବୁଢ଼ା ଗୋସେଇଁ ଉଭୟଙ୍କ ହାତକୁ ବଢ଼ାଇ ଦେଲା ଦୁଇ ଗିଲାସ କ୍ଷୀରି। ଭୋକିଲା ଥିବା ଆକାଶ କିଛି ନଭାବି ନଚିନ୍ତି ଢକ ଢକ କରି ପିଇଗଲା କ୍ଷୀରି। ସେତେବେଳକୁ ତର ତର ହୋଇ ନିଜ ଭାଗର କ୍ଷୀରି ପିଇ ଦେଇ ଶଙ୍କର ଦୌଡ଼ିଲା ସେଇ ଚାଳିଆ ବାହାରକୁ। ଗଲାବେଳେ ଅତି ଜୋରରେ କହିଦେଇ ଗଲା, ହେଇଟି .. ନନା .. ସେଇ ପିଲା ପଇସା ଦେବ। ମୁଁ ଚାଲିଲି।

ବଡ଼ ଅଡୁଆରେ ପଡ଼ିଗଲା ଆକାଶ। ସେ ଖୁବ୍ ଡରିଗଲା। କହିଲା, ମୁଁ କୁଆଡୁ ପଇସା ଦେବି? ମୋ ପାଖରେ ତ ପଇସା ନାହିଁ। ଶଙ୍କର ମତେ ଡାକିଧରି ଆସିଥିଲା ଏଇଠିକି। କହିଲା, ତା ପାଖରେ ପଇସା ଅଛି। ଆଉ ଏବେ ପଳେଇଗଲା। ମୁଁ କଣ କରିବି? ବୁଢ଼ା ଗୋସେଇଁ କିଛି କହିବା ପୂର୍ବରୁ, ହଠାତ୍ କାନ୍ଦି ଉଠିଲା ଆକାଶ। ସେପଟେ ଶଙ୍କର ଯାଇ ବିଘ୍ନେଶକୁ କହିଲା, ତୋ ଭାଇକୁ ଅଟକାଇ ରଖିଛି ବୁଢ଼ା ଗୋସେଇଁ। ତା ପାଖରେ ପଇସା ନଥାଇ ବି କ୍ଷୀରି ଖାଇଛି ସେ। ସେଥିପାଇଁ ତାକୁ ବୁଢ଼ା ଛାଡୁନି। ଏଇତକ କଥା ଶୁଣିବା ପରେ ସତେ ଯେମିତି ପାଗଳ ହୋଇଯାଇଥିଲା ବିଘ୍ନେଶ। ସଙ୍ଗେ ସଙ୍ଗେ ନିଜ ବ୍ୟାଗରୁ ଦୁଇଟା କଲମ ବାହାର କରି ପକେଟରେ ପୂରାଇଲା। ତା ପରେ ଦୌଡ଼ିଲା ବୁଢ଼ା ଦୋକାନକୁ। ସେଇଠି ଠିଆ ହୋଇ କାନ୍ଦୁଥିଲା ଆକାଶ। ଆଉ ବୁଢ଼ା ଗୋସେଇଁ ତାକୁ କହୁଥିଲା, ଯଦି ତୁ ପଇସା ନଦେବୁ, ତାହେଲେ ଘରକୁ ଯାଇପାରିବୁ ନାହିଁ। ଏତିକିବେଳେ ବିଘ୍ନେଶ କହିଲା, ନନା .. ଦେଖ .. ଆମେ ସବୁଦିନ ଘରୁ ପଇସା ନେଇ ଆସୁଥିଲୁ। ଆଜି ତର ତର ହୋଇ ଆସିଲା ବେଳେ ଭୁଲିଗଲୁ। ସେଥିପାଇଁ କାଲି ଘରୁ ପଇସା ଆଣି ତମକୁ ଦେଇଦେବୁ। ମୋ ଭାଇକୁ ଛାଡ଼ିଦିଅ। ତେବେ ବୁଢ଼ା ଯେତେବେଳେ ବିଘ୍ନେଶକୁ ନାଲିଆଖି ଦେଖାଇଲା, ସେ ସଙ୍ଗେ ସଙ୍ଗେ ନିଜ ପକେଟରୁ ଦୁଇଟା କଲମ ବାହାର କରି ବୁଢ଼ା ହାତକୁ ବଢ଼ାଇଦେଲା। କହିଲା, ଯେତେବେଳ ଯାଏଁ ମୁଁ ଘରୁ ଆଣି ତମକୁ ପଇସା ଦେଇନି, ସେତେବେଳ ଯାଏଁ ମୋର ଏ ଦୁଇଟା ଯାକ କଲମ ତମ ପାଖରେ ରହିଲା। ଏଥିପାଇଁ ମୋତେ ସ୍କୁଲରେ ସାର୍ ଯଦି ମାଡ଼ ଦିଅନ୍ତି, ତାହେଲେ ସେଥିପାଇଁ ମୁଁ ପ୍ରସ୍ତୁତ ଅଛି। କଲମ ଦୁଇଟାକୁ ଧରି ବୁଢ଼ା ଗୋସେଇଁ ଆକାଶକୁ ଯିବାକୁ ଦେଲା।

ବାହାରକୁ ଆସିଲା ପରେ, ବିଘ୍ନେଶ କହିଲା, ତତେ କହିଥିଲି ପରା, ଆଜି ଗୋଟିଏ ଦିନ ନଖାଇ ଚଳେଇ ଦେ। ତୁ କଣ ଭୋକଟିକେ ସମ୍ଭାଳିପାରିଲୁନି। ତେବେ ବିଘ୍ନେଶର କଥା ଶୁଣି ଆକାଶ କହିଲା, ଭାଇ ମୁଁ ନିଜେ ଖାଇବାକୁ ଆସିନି। ତା ପରେ ଶଙ୍କର ତା ସହିତ କଣ କଲା, ସେ କଥା କହିଲା ସେ। ଏଇତକ କଥା ଶୁଣିଲା ପରେ ଆହତ ସିଂହ ଭଳି ଗର୍ଜି ଉଠୁଥିଲା ବିଘ୍ନେଶ। ସ୍କୁଲରେ ଖୋଜି ବୁଲିଲା ଶଙ୍କରକୁ। ବିଘ୍ନେଶ ରାଗିବା ଦେଖି ଶଙ୍କର ଲୁଚିବାକୁ ଚାହୁଁଥିଲା। ହେଲେ ସିଧା ଦୌଡ଼ି ଯାଇ ତାକୁ ଧରି ପକାଇଲା ବିଘ୍ନେଶ। ଦୁମ୍ ଦୁମ୍ କରି ପ୍ରଥମେ ଦି ବିଧା ପକାଇଲା ତା ପିଠିରେ। ତା ପରେ ସ୍କୁଲ ହତା ଭିତରେ ଚାଲିଲା ଗୋଟିଏ ମହାଭାରତ। ଚୁଟି ଭିଡ଼ାଭିଡ଼ି ହୋଇ ପରସ୍ପର ଲାଗି ପଡ଼ିଲେ କୁସ୍ତିରେ। ଶଙ୍କରକୁ ତଳେ ପକାଇ ପିଟି ଚାଲିଲା ବିଘ୍ନେଶ। ଏତିକି ବେଳେ ଖାଇବାଛୁଟିରୁ ଫେରୁଥିବା ହେଡ୍ ସାର୍ ସେଠାରେ ପହଞ୍ଚି ସାରିଥିଲେ। ଉଭୟଙ୍କୁ ଏତେ ବେତ ପାହାର ପଡ଼ିଲା ଯେ, ବିଘ୍ନେଶ ଓ ଶଙ୍କରଙ୍କ ପିଠି ନୋଳା ପଟ ପଟ ହୋଇଗଲା।

ସ୍କୁଲ ସରିଲା। ଗାଁକୁ ଫେରିଲା ବେଳେ ଶଙ୍କର ବି ଫେରୁଥିଲା ଆକାଶ ଓ ବିଘ୍ନେଶ ସହିତ। ବାଟରେ ଶଙ୍କରର ଘର। ତା ଗାଁ ପାଖେଇବା ପୂର୍ବରୁ ହିଁ ପୁଣି ଥରେ ବାଟରେ ଗଡ଼ାଗଡ଼ି ହେଲେ ଦୁହେଁ। ପୁଣି ଶଙ୍କରକୁ ପିଟିଲା ବିଘ୍ନେଶ। କହିଲା, ସବୁ କରିବୁ। କିନ୍ତୁ ମୋ ଭାଇର ଯଦି କିଛି କ୍ଷତି କରିଛୁ, ତାହେଲେ ମୁଁ ତୋ ଅବସ୍ଥା କଣ କରିବି, ତୁ ଜାଣିପାରିବୁନି। ଆଜି ଯଦି ମୁଁ ସ୍କୁଲରେ ନଥାନ୍ତି, ତାହେଲେ ମୋ ଭାଇର କଣ ହେଇଥାନ୍ତା?

ସେଦିନ ଅଫିସରେ ବସି ପିଲାଦିନ କଥା ଭାବିଲା ବେଳେ ଏଇ ପୂରା ଘଟଣାଟା ଆଖି ଆଗରେ ଜଳ ଜଳ ହୋଇ ନାଚିଉଠୁଥିଲା ଆକାଶର। ଏସବୁ ଭିତରେ ଯେତେବେଳେ ମନେ ପଡ଼ିଗଲା ତା ପରବର୍ଷ ଏମିତି ହିଁ ଦିନେ ସ୍କୁଲରୁ ଫେରିଲା ବେଳେ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଥିଲା ବିଘ୍ନେଶ। ସେଦିନଠୁ ଆକାଶ ଆଉ ସେ ସ୍କୁଲକୁ ଯାଇନି। ବରଂ ତାକୁ ଗାଁ ଛାଡ଼ିବାକୁ ପଡ଼ିଛି। ଭାଇର କଥା ଯେବେ ବି ମନେ ପଡୁଛି, ତା ଅଜାଣତରେ ତା ଆଖିରୁ ଝରି ଯାଉଛି ଲୁହ। ଆଜି ବି ଗାଁକୁ ଗଲେ, ତା ଆଖି ଖୋଜିବୁଲୁଛି ଆମ୍ବତୋଟା, କାଜୁବଣ, ବିଲମାଳର ବାମ୍ଫି ଆଉ ବଡ଼ବନ୍ଧର ଡିଆଁ। ଯେଉଁଠି ସେ କଟାଇ ଦେଇଥିଲା ତା ପିଲାଦିନ, ତା ବଡ଼ଭାଇ ସାଙ୍ଗରେ। ଆଜି ସେ ସବୁ ଅଛି, ହେଲେ ବଡ଼ଭାଇ ନାହିଁ। ତାକୁ ଲାଗୁଛି, ସବୁକଥାରେ ତାଗିଦ୍ କରୁଥିବା ଭାଇ ଯଦି ଥାଆନ୍ତା, ତାହେଲେ ସେ ହୁଏତ ଆଜି ଆଉ କେଉଁଠି ଥାଆନ୍ତା।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

 

Comments are closed.