Latest Odisha News

BREAKING NEWS

ଅନୁବାଦ ଗଳ୍ପ : ବ୍ଲାକ୍ ମ୍ୟାଜିକ୍

ମୂଳ ରଚନା : ପେନିନା ଶ୍ଟବର୍  

 

ମୁଁ ସବୁ ଠିକଠାକ କରିଛି । ହାଇସ୍କୁଲ୍ ପରେ ଇସ୍‌ରାଏଲ୍‌ରେ ସେମିନାରୀରେ ଏକ ବର୍ଷ ମଧ୍ୟ ପଢିଛି । ମୋ ବାପା ଓ ମାଙ୍କ ପକ୍ଷରେ ସେମିନାରୀ ଫିସ୍ ଦେବାକୁ ପଇସା ନ ଥିଲା କିନ୍ତୁ ପଛରେ ରହିଯିବ ତ ତୁମେ ହାରିଯିବ । ମୋ ଭବିଷ୍ୟତ ପାଇଁ ଏହା ଆବଶ୍ୟକ ବୋଲି ବୁଝାଇ ଦେଲାରୁ ସେମାନେ କରଜ କରି ଏହାର ଫିସ୍ ଭରଣା କରିଥିଲେ । ମୁଁ ଧୈର୍ଯ୍ୟର ସହିତ ଲୋନ୍ ନେବାର ଆବଶ୍ୟକତା ବିଷୟରେ ସେମାନଙ୍କୁ ବୁଝାଇଥିଲି । ସେମିନାରୀରୁ ଗୋଟାଏ ବର୍ଷ ପରେ ଫେରିଲା ପରେ ମୋର ହାଇସ୍କୁଲ ଓ ସେମିନାରୀ କ୍ରେଡିଟ୍ ସହିତ କଲେଜ୍ ଆଡ୍‌ମିଶନ୍ ପାଇଁ ଦରଖାସ୍ତ ପକେଇଲି ।

ସେତେବେଳକୁ ମତେ ଉଣେଇଶ ବର୍ଷ ହେଲାଣି । ମୋ ମା ବାହାଘର ପାଇଁ ମଧ୍ୟସ୍ଥକୁ ଦେବାକୁ ମତେ ରିଜୁମେ ଲେଖିବାକୁ କହିଲେ । ବ୍ୟବସ୍ଥିତ ବାହାଘର ପାଇଁ ବରପାତ୍ର ଯୋଗାଡ କରିଦେବା ଏଜେନ୍‌ସିକୁ ଇସ୍ରାଏଲ୍‌ରେ ସିଦ୍ଦଚ୍ କହନ୍ତି । ଏହା କିଛି କଠିନ ନଥିଲା । ରିଜୁମେରେ ସାମାଜିକ ଅବଦାନ ଓ କର୍ତ୍ତବ୍ୟବୋଧ ବିଷୟରେ ମଧ୍ୟ କିଛି ଉଲ୍ଲେଖ ରହିବା ଦରକାର । ଏଥିପାଇଁ ମୋର ଯଥେଷ୍ଟ ଯୋଗ୍ୟତା, ପ୍ରମାଣ ଓ ବିଶିଷ୍ଟତା ଅଛି । ଡାଉନ୍ ସିଣ୍ଡ୍ରମ୍ ଥିବା ମୋର ଏକ ପଡୋଶୀକୁ ମୁଁ ହାଇସ୍କୁଲ ସାରା ସାହାଯ୍ୟ କରିଥିଲି । ମୋ ଭାଇର ରାବାଇଙ୍କ (ଇହୁଦୀ ଧର୍ମଯାଜକଙ୍କର) ଝିଅ ସଙ୍ଗେ ବାହାଘର ଓ ଛୋଟ ଭାଇ ଭଉଣୀମାନଙ୍କର ଠିକ୍ ବିଦ୍ୟାଳୟରେ ଆଡ୍‌ମିଶନ୍ ନେବା କଥା ବୁଝିଥିଥିଲି । ମୁଁ ସବୁ କଥା ସ୍ପଷ୍ଟ ଓ ଭଲ ଭାବେ କହୁଥିଲି । ହାଇସ୍କୁଲ ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଖୁସୀ ରଖୁଥିଲି ଏବଂ ମୋର ବହୁତ ସାଙ୍ଗ ଥିଲେ । ସେହି ସାଙ୍ଗମାନଙ୍କର ଛୋଟ ବଡ ସମସ୍ୟା, କଳି କଜିଆର ସମାଧାନ କରୁଥିଲି । ଯାହାକୁ ପଚାରିଲେ, ସେ ଏ କଥା ସତ ବୋଲି କହିବ । ମତେ ସମସ୍ତେ ଭଲ ପାଉଥିଲେ ।

ମୋ ବାହାଘର ରିଜୁମେରେ ମୁଁ ମିଶାଣିଆ ବନ୍ଧୁଭାବାପନ୍ନ ଓ ଖୋଲା ବ୍ୟକ୍ତିତ୍ୱ ସମ୍ପନ୍ନ ବୋଲି ଲେଖିଲି କିନ୍ତୁ ମୋର ଫଟୋ ବିଭାଗଟା ବଡ କଷ୍ଟ କାମ ଥିଲା । ଏଥିରେ ସାହାଯ୍ୟ କରିବା ପାଇଁ ଗୋଟାଏ ମେକ୍‌ଅପ୍ ଲୋକ ଓ ଫଟୋଗ୍ରାଫର୍‌ଙ୍କୁ ଡାକିଲି । ମୁଁ କିନ୍ତୁ ଏତେ ଖୁସୀ ନଥିଲି । ଏହା ମୋର ଦୋଷ ନଥିଲା ଯେ, ମୋର କାନ୍ଧଟା ଓସାରିଆ ଫ୍ରେମ୍ ବିଶିଷ୍ଟ ବଡ କାନ୍ଧ, ବନ୍ଦ ଆଖିପତା ଓ ଦେଖାହେଲା ପରି ବିଶିଷ୍ଟ ନାକ ଥିଲା । ପ୍ରତ୍ୟେକ ଦିନ ମୁଁ ନାକକୁ ଦାବେ, ଯେପରି ଏହା ଟିକେ ଅଣଓସାରିଆ ଦେଖାହେବ । ଆଖିପତାରେ ମୃଦୁଦୀପ୍ତି ଆଣିଲା ପରି ମେକ୍‌ଅପ୍ ଦିଏ ଯେପରି ତାହା ଉପରକୁ ଉଠିଲା ପରି ସୁଦୃଶ୍ୟ ହେବ । ଇନ୍‌ଷ୍ଟାଗ୍ରାମ୍‌ରେ ଥିବା ଚମତ୍କାର ସୁନ୍ଦର ଝିଅମାନଙ୍କୁ ଦେଖି ଈର୍ଷା କରେ । ସେମାନଙ୍କର ଛିଡା ହେବାର ଭଙ୍ଗୀ, ଯାହାକି ଅଧିକ ଚର୍ବିବୃଦ୍ଧିକୁ କମ୍ କରି ଦେଖାଇଥାଏ, ସେମାନଙ୍କର ମେକ୍‌ଅପ୍‌, ଯେଉଁପ୍ରକାରେ ସେମାନେ ଡାହାଣପଟକୁ ମୁଣ୍ଡ ବଙ୍କାଇ ଛିଡାହୋଇଥାନ୍ତି, ସବୁକୁ ଅନୁକରଣ କରେ ।

ଆଶ୍ଚର୍ଯ୍ୟଜନକଭାବେ ମୁଁ କିଛି ବିବାହ ପ୍ରାର୍ଥୀଙ୍କଠାରୁ ଜବାବ୍ ପାଇଲି । ପ୍ରସ୍ତାବ ସବୁ ଆସ୍ତେ ଆସ୍ତେ ଆସୁଥିଲା ଏବଂ ଏଗୁଡାକ ମୁଁ ଯେମିତି ଚାହେଁ ସେମିତିି କେବେ ବି ନଥିଲା ଅଥଚ କିଛି ଲୋକ ମତେ ଉଚିତ୍ ପ୍ରାର୍ଥୀ ବୋଲି ଭାବୁଥିଲେ । ସେଇଟା ମତେ ଆତ୍ମସନ୍ତୋଷ ଦେଉଥିଲା ।

ମୁଁ ସୁନ୍ଦର ଦିଶିବାକୁ ଆଉ ଷ୍ଟାଇିଲିସ୍ ହେବାକୁ ଭଲପାଏ । ମୋ କାନ୍ଧଠାରୁ ଅଧିକ ଚଉଡା କାନ୍ଧ ଥିବା ପୁରୁଷଙ୍କୁ ମତେ ଭଲଲାଗେ, ଯିଏକି ମତେ ଛୋଟିଆ କଣ୍ଢେଇଟେ ଭାବି ଟେକିନେବ ଆଉ ଦୁଇ ଚାରି ଘେରା ବୁଲି ଆସିବ ବୋଲି କଳ୍ପନା କରେ । ମତେ କିନ୍ତୁ ଭାବିଲେ ବ୍ୟସ୍ତ ଲାଗେ ଯେ କାହିଁକି ଇହୁଦୀ ପୁଅମାନେ ଏତେ ଛୋଟ ଓ ଅଣଚଉଡା ! ସେମାନଙ୍କ ସାଙ୍ଗରେ ଡେଟିଂ ବି ସେମିତି ଦୁଃଖଦାୟକ ଥିଲା ।

“ସୁନ୍ଦର ପାଗ”, ସେ କହିବ ।

“ହଁ ଠିକ୍ କଥା” ମୁଁ ଉତ୍ତର ଦିଏ ।

ମୁଁ ବିସ୍ମିତ ହୁଏ କି ପ୍ରକାର ଅସ୍ତିତ୍ୱହୀନ, ଅବିଦ୍ୟମାନ ଜଳବାୟୁ କଥା ଏ କହିଲାଣି ! ସେଇଟା ଯଦି ସବୁଠୁ ଅଧିକ ଆକର୍ଷଣପୂର୍ଣ୍ଣ, ଓ କୌତୁହଳ କଥା କହିବ ବୋଲି ସେ ଆସିଛି । ତା’ହେଲେ ମୁଁ ତ ବଢିଆ ଗଳ୍ପ କହିପାରେ । କିନ୍ତୁ ମୁଁ ଚାହେଁ ସେମାନେ କିଛି କୁହନ୍ତୁ । ଚେଷ୍ଟା ଯେ ନ କରନ୍ତି ସେକଥା ନୁହେଁ କିନ୍ତୁ କୃତକାର୍ଯ୍ୟ ହୁଅନ୍ତି ନାହିଁ ।

ତୁମ ଜୀବନରେ ସବୁଠୁ ବଡ ଉଦ୍ଭଟ, ମୁଣ୍ଡଖରାପ କମ କ’ଣ କରିଛ?

“ଏକ କରୁ କରୁ ମୋ ସାଙ୍ଗ ଉପରେ ପଡି ଯାଇଥିଲା ।”

ଆଳାପରେ ଟିକେ ମସଲା ଯୋଡିବା ପାଇଁ ମୁଁ ପଚାରେ, “କିଛି ବୁଝିହେଲା ନାହିଁ” ।

ଏହି ଯାଗାରେ ସେମାନେ ନର୍ଭସ୍ ହେଇଯାଆନ୍ତି। ବୋଧହୁଏ ସେମାନେ ସତଟା କହିବେକି ନାହିଁ ବୋଲି ଚିନ୍ତା କରନ୍ତି କିମ୍ବା ତାଙ୍କର କିଛି କହିବାକୁ ନ ଥାଏ ! ମୁଁ ଅନୁମାନ କରେ, ବୋଧହୁଏ ପ୍ରଥମଟା ହେଇଥିବ । ମୁଁ କାନ୍ଧକୁ ଉଠାଇ କହେ, “କେମିତି ମୁଁ ଜାଣିଲି, ସବୁଠୁ କିଛି ଉନ୍ମତ୍ତ ଆଉ ପାଗଳାମୀ କ’ଣ ସବୁ କରିଛ! ଏମିତିକା କଥା କରିଛ ଯେ, ଯାହା ନିଜକୁ ମଧ୍ୟ ବଡ ବିବ୍ରତ କରାଏ” । ମୁଁ ନିଜକୁ ମଧ୍ୟ ସେହି ପ୍ରଶ୍ନ ପଚାରେ, ମାତ୍ର କୌଣସି ଠୋସ୍ ଯଥାର୍ଥ ଉତ୍ତର ପାଏନାହିଁ । କିନ୍ତୁ ସେ କଥା ସେମନଙ୍କର ଜାଣିବା ଦରକାର ନାହିଁ । ମତେ ସମସ୍ତେ ଭଲ ପାଉଥିଲେ ।

“ମୁଁ ଏକ କରୁ କରୁ ମୋ ସାଙ୍ଗ ଉପରେ ପକେଇଦେଲି”, ଅତି ବିରକ୍ତିକର, ଘୃଣାସ୍ପଦ କଥା – ନିଜକୁ ନିଜେ କହୁଥିଲି । “ମୋର ୟେସିଭା (ଇହୁଦୀ ଧାର୍ମିକ ଶିକ୍ଷାନୁଷ୍ଠାନ) ଛାତରୁ ଚେୟାରଟାଏ ଗଳେଇ ପକେଇଥିଲି”, ହାସ୍ୟାସ୍ପଦ କଥା – ଏ ପ୍ରକାର ଲୋକ ସାଙ୍ଗେ କାହିଁକି ଯେ କଥା ହେଉଥିଲି!

“ମୁଁ ସେଦାକା (ଇହୁଦୀମାନଙ୍କର ଗରିବଙ୍କ ପାଇଁ ଫାଣ୍ଡି) ବାକ୍ସରୁ କୋଡିଏ ଡଲାର୍ ଚୋରୀ କରିନେଇଥିଲି, ତାହା ପୁଣି ମୋ ଦାଦାଙ୍କ ଆଇଡି ବ୍ୟବହାର କରି ସିଗାରେଟ୍ କିଣିଥିଲି”, – ବହୁତ ଭୟଙ୍କର ବିକରାଳ କଥା ଏଇଟା – ମୁଁ ଭାବିଲି । ମୁଁ ଅତି ଉନ୍ମତ୍ତ ଓ ରୋମାଞ୍ଚକର କଥା ଶୁଣିବାକୁ ଆଶା କରୁଥିଲି ।

ମୁଁ ଦର୍ପଣ ସାମନାରେ ଠିଆ ହୋଇ ମୋ ବାହୁରେ ଥିବା ମୋଟା ଚର୍ବି ଗୁଡାକୁ ଘଷୁଥିଲି । ସେଗୁଡିକୁ କେବଳ ନରମ କୁହାଯାଇ ନ ପାରେ, ତାହା ମୋଟା ଓ ଅନାକର୍ଷଣୀୟ ଥିଲା । ରୋଶ୍ ହସାନା (ଇହୁଦୀ ନବ ବର୍ଷ) ପରେ ମାସେ ହେଲେ ବି, ଏବେ ନୂଆ ସଂକଳ୍ପ ପାଇଁ କିଛି ଡେରୀ ହୋଇ ନ ଥିଲା । ମୁଁ ପ୍ରତିଜ୍ଞା କଲି ମୋ ଫ୍ରେମରୁ ନିଶ୍ଚୟ କିଛି କମେଇବି ।

ଗୋଟାଏ ଲକ୍ଷ ସାଧନ କରିବାକୁ ହେଲେ ଏହାକୁ ଛୋଟ ଛୋଟ ଭାଗରେ ବିଭକ୍ତ କରିବାକୁ ପଡିବ । ମୁଁ ସେମିନାରୀରେ ଏହା ଶିଖିଥିଲି । ମୋର ପ୍ରଥମ ପଦକ୍ଷେପ ଥିଲା କାର୍ଡିଓ ଏକ୍ସରସାଇଜ୍ କରିବା । ମୋର ବ୍ୟାୟାମଶାଳାକୁ ଏଥିପାଇଁ ବଦଳେଇବା ଦରକାର, ଯଦି ମୁଁ ଏହାକୁ ଗୁରୁତ୍ୱର ସହିତ ନେଇଥାଏ । ଗୋଟାଏ ମହିଳା ବ୍ୟାୟାମଶାଳାକୁ ଯିବାପାଇଁ ସ୍ଥିର କଲି । ମୋ ପୂର୍ବ ଜିମ୍ ସବୁବେଳେ ଶ୍ୱାସରୋଧୀ ଆଉ ଅସ୍ୱାସ୍ଥକର ଲାଗେ । ସବୁତକ ଟ୍ରେଡ୍ ମିଲ୍ ସବୁବେଳେ କିଏ ନା କିଏ ଅଧିକାର କରି ରଖୁଥିଲେ । ଲାଗେ ଯେ କୌଣସି ସମୟରେ ବି ଯେମିତି ଏ ଗନ୍ଧିଆ କାନ୍ଥ ସେପଟେ ଏ ମହିଳା ମାନଙ୍କର କିଛି ହିଁ ଜୀବନ ନାହିଁ ।

ମୋ ବ୍ଲକ୍ ପାଖରେ ଥିବା ଜିମ୍ ଅଲଗା ଥିଲା । ଏହା ଛୋଟ ଓ ଭାରି ଭଲ ପରିବେଶର ଥିଲା । ପୁରୁଷମାନେ ଭାର ଉତ୍ତୋଳନ କରୁଥିଲେ ଯେମିତି ସେମାନେ କରିବା କଥା । ଆଉ କିଛି ଝିଅ ପିଲା ଦୌଡୁଥିଲେ । ସବୁବେଳେ ଗୋଟାଏ ନା ଗୋଟାଏ ଟ୍ରେଡ୍ ମିଲ୍ ତ ନିଶ୍ଚୟ ମିଳୁଥିଲା । କିନ୍ତୁ ସେ ଜିମକୁ ଗଲେ ମତେ ଗୋଟେ ନିଷିଦ୍ଧ ହେଇଥିବା କାମ କଲାପରି ଲାଗୁଥିଲା । ମୋ ହୃଦୟରେ ମୁଁ ପୂରା ଜାଣିଥିଲି ଯେ ମୁଁ ଏଠିକୁ ଟ୍ରେଡ୍ ମିଲ୍ ପାଇଁ ଆସିଛି,କିନ୍ତୁ ମୋ ପଡୋଶୀମାନେ କ’ଣ ସେ କଥା ଜାଣିଥିଲେ? ସେମାନେ କ’ଣ ଭାବିବେକି, ମୁଁ ଅଣଇହୁଦୀ ଯୁବକମାନଙ୍କର ବଳିଷ୍ଠ ଶରୀର ଓ ହୃଷ୍ଟପୃଷ୍ଠ ମାଂଶପେଶୀରେ ଓଜନ ଉଠାଉଥିବାର ଦେଖିବାକୁ ଆସିଛି ! ସେଥିପାଇଁ ମୁଁ ଏକ ହୁଡବାଲା ସ୍ୱେଟ୍ ସାର୍ଟ ପିନ୍ଧି ହୁଡରେ ମୋ ମୁହଁ ଘୋଡାଇ ଜିମକୁ ଦିନରେ ଦୁଇଥର ଯାଉଥିଲି । ପ୍ରଥମ ଥର ଯେବେ ମୁଁ ଯାଇଥିଲି, ସେବେ ମୋର ଲେଗିଙ୍ଗ୍ ଉପରେ ଗୋଟାଏ ସ୍ୱେଟ୍ ସାର୍ଟ ପିନ୍ଧିଥିଲି । ଭଦ୍ରତାବଶତଃ ମୁଁ ଏହା କରିଥିଲି । କିନ୍ତୁ ଅନ୍ୟମାନେ ଏହାକୁ କ୍ରେଜି ବୋଲି ଭାବୁଥିଲେ । ସମସ୍ତେ ମୋ ଆଡକୁ ଅନେଇଥିଲେ, ଯେତେବେଳେ ମୁଁ ଟ୍ରେଡ୍ ମିଲରେ ଦୌଡୁଥିଲି ।

ମୋର ଲକ୍ଷ ବହୁତ ଶୀଘ୍ର ମଧ୍ୟ ଭାଙ୍ଗିଗଲା । ସତ କହିବାକୁ ଗଲେ ନିଜର ଅସ୍ଥି ଗଢଣକୁ ବଦଳେଇବା ଅସମ୍ଭବ । ଦିନକରେ ଦୁଇ ଘଣ୍ଟା ଦଉଡିବା ସହଜ ହୋଇନଥିଲା । ମୁଁ ପ୍ରଥମ ସପ୍ତାହରେ ମାତ୍ର ଏକ ପାଉଣ୍ଡ (ଅଧାକିଲୋରୁ କମ୍) ଝଡିଥିଲି । ତା ପରକୁ ମୋର ଆଉ କିଛି କରିବାକୁ ଶକ୍ତି ରହୁନଥିଲା । ଏଥିପାଇଁ ମୁଁ ଜଣେ ପ୍ରଶିକ୍ଷକ ଠିକ୍ କଲି । ମୋର ପ୍ରଶିକ୍ଷକ ମତେ ଏହାର ବିଜ୍ଞାନକୁ ସରଳ ଭାବରେ ବୁଝାଇଦେଲେ। କିନ୍ତୁ ସେ କଥାଦେଲେଯେ, ମୁଁ ଟିକେ କଟ୍ ଆଣ୍ଡ ଟାଇଟ୍ (ପତଳା ପତଳି ) ଦେଖା ଯିବି । ସେ ଆହୁରି ମଧ୍ୟ ଜିମ୍ ସମ୍ପର୍କୀୟ କିଛି ଶବ୍ଦ କହିଲେ ଯେଉଁଥିରେ ମୁଁ ଅଭ୍ୟସ୍ତ ନୁହେଁ ।

ମୋର ପ୍ରଶିକ୍ଷକ ଡାରିୟସ୍ ଗୋଟାଏ ଉନ୍ନତ ମାଂସପେଶୀ ସମ୍ପନ୍ନ କଳାଲୋକ, ଆଉ ସତକୁ ସତ ସ୍ମାର୍ଟ୍ ଲୋକଟାଏ ଥିଲା । ସେ କହିଲା ମୋର କାର୍ଡିଓ ଏକ୍ସରସାଇଜ୍ ପ୍ଲାନ୍ କିଛି ଫଳପ୍ରଦ, ସ୍ୱାସ୍ଥ୍ୟ ଅନୁକୂଳ ନଥିଲା କାରଣ ଜିମକୁ ଆସିଲେ ଉଭୟ ଶରୀର ଓ ମନକୁ ଭଲ ଲାଗିବା କଥା, ଖରାପ ନୁହେଁ । ଡାରିୟସ୍ ବହୁତ ସ୍ୱାସ୍ଥ୍ୟବାନ୍ ଥିଲା । ତା ପାଖରେ ସଠିକ୍ ପ୍ରୋଟିନ୍ ପାଉଡର୍ ଥିଲା ଯାହା ସେ ସକାଳେ ଓ ସନ୍ଧ୍ୟାରେ ଖାଉଥିଲା । ସେ ମୋ ପାଇଁ ଯେଉଁ ଡାଏଟ୍ ଓ ଏବଂ ଏକ୍ସରସାଇଜ୍ ପ୍ଲାନ୍ ତିଆରି କରିଥିଲା, ତାହାକୁ ମାନି କରି ପରବର୍ତ୍ତୀ ସିଦ୍ଦଚ୍ ଡେଟ୍ ବେଳକୁ କିଛି ପତଳା ହୋଇଯାଇଥିଲି ।

ମଏସି ଷ୍ଟକ୍ ବ୍ୟବସାୟ କରୁଥିଲା ଏବଂ ସନ୍ଧ୍ୟାବେଳେ ଗୋଟାଏ କୋର୍ସ୍ କରୁଥିଲା । ସେ ଫଟୋରେ ଡେଙ୍ଗା ଦେଖାଯାଉଥିଲା ଏବଂ ତାର କଥା ଭଲ ଲାଗୁଥିଲା। ଆମର ଦେଖା ହେଲା କିନ୍ତୁ ପ୍ରକୃତରେ ସେ ଉଚ୍ଚତାରେ ଛୋଟ ଥିଲା । “ଅତି ମନୋରମ ପାଗ ହେଇଛି”, ସେ କହିଲା । ଭିତରେ ଭିତରେ ମୁଁ ଆର୍ତ୍ତନାଦ କରୁଥିଲି, ପୁଣି ସେହି କଥା ଏ କହିଲାଣି । କଥାବାର୍ତ୍ତା ଆରମ୍ଭ କରିବାକୁ, ‘ପାଗ’ ଛଡା କ’ଣ ଆଉ କିଛି ବିଷୟବସ୍ତୁ ନାହିଁ ? ମଏସି ମତେ, ସେହି ସପ୍ତାହରେ ଜଣେ ଦୂର ସମ୍ପର୍କୀୟର ଅନ୍ତ୍ୟେଷ୍ଟିକ୍ରିୟାକୁ ଯାଇଥିବା କଥା, ତାର ପ୍ରିୟ ସ୍ୱାଦର ସେଲ୍ଜସର୍, କୋଉ ଭଳିଆ ଗୀତ ସେ ଶୁଣେ (ତାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଶ୍ୱକିଙ୍କଠାରେ ଆଗ୍ରହ ନ ଥିଲା । ବଡ ଆଶ୍ଚର୍ଯ୍ୟଜନକ, ମୁଁ ଜାଣେ । ସେ କଥା କହିଲା ।

ମୁଁ ଦୀର୍ଘଶ୍ୱାସ ପକେଇଲି ଏବଂ ଏକ ପ୍ରସଙ୍ଗୋଚିତ ଉତ୍ତର ପାଇବା ଆଶାରେ ସର୍ବଶେଷ ଚେଷ୍ଟା କଲି, “ସବୁଠୁ ଉନ୍ମତ୍ତ ଜିନିଷ କଣ ତୁମେ କରିଛ?”

“ହୁଁ, ଥରେ ମୋ ଗାଡିକୁ ଗୋଟେ ଘଣ୍ଟା ପାଇଁ ଡବଲ୍ ପାର୍କ କରି ଚାଲି ଆସିଥିଲି । ଭାବିଥିଲି ଗାଡିଟାକୁ ସେମାନେ ଉଠାଇ ନେଇଯିବେ କିନ୍ତୁ କିଛି ହେଇ ନ ଥିଲା…..”

ମତେ କାନ୍ଦିବାକୁ ଇଚ୍ଛା ହେଉଥିଲା । ଚିଲେଇବାକୁ ଇଚ୍ଛା ହେଉଥିଲା । “ମୁଁ ଟିକେ ଯାଏ”, ମୁଁ ହାଲିଆ ହୋଇଛି ବୋଲି ମଏସିକୁ କହିଲି, “ମତେ ଘରକୁ ଯିବାକୁ ହେବ ।”

“ଗଲା ରାତି କଣ ବହୁତ ଗରମ ଥିଲା? ” ଡାରିୟସ୍ ଆଖି ମିଟ୍ ମିଟ୍ କରି ପଚାରିଲା । ମୁଁ ଗୋଟାଏ ଚାପା ହସ ଦେଲି ଏବଂ ନ ଶୁଣିଲା ପରି ତାକୁ ପଚାରିଲି, “ତୁମର ସନ୍ଧ୍ୟାବେଳ କେମିତି ଥିଲା ?” । “କ୍ଲବକୁ ଯାଇଥିଲି” କାନ୍ଧ ଝାଙ୍କି ସେ କହିଲା “କିଛି ସ୍ପେଶାଲ୍ ନ ଥିଲା” । ମତେ କିନ୍ତୁ ତା କଥା ବହୁତ ଉନ୍ମତ୍ତ, ଉଦ୍ଦୀପକ ଆଉ ରୋମାଞ୍ଚକର ଶୁଭିଲା ।

କେତେ ସପ୍ତାହ ଗଡିଗଲା । ୟୁଟ୍ୟୁବରୁ ଆୁହୁରି ମେକଅପ୍ ଟ୍ୟୁଟୋରିଆଲ୍ ଶିଖିଲି । ଏବେ ଭଲ ଦିଶୁଥିବା ନୂଆ ସେଲଫିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କଲି । ମନକୁ ମନ ସନ୍ତୁଷ୍ଟ ହେଉଥିଲି, “ଭଦ୍ରଲୋକମାନେ ଦେଖ ! ମତେ ଦେଖ ! ମୋର ଚେହେରା ପସନ୍ଦ ହେଉଛି ତ !”

ନା! ସେମାନଙ୍କୁ ତଥାପି ଭଲ ଲାଗିଲାନି । ମତେ ଡେଟ୍ କରୁଥିବା ଲୋକଙ୍କ ସଂଖ୍ୟା ଆସ୍ତେ ଆସ୍ତେ କମୁଥିଲା ଆଉ କିଛି ହେଉ ନ ହେଉ । କମୁଥିଲା, କାରଣ ମୁଁ ମଧ୍ୟ ବେଶୀ ବାଛୁଥିଲି । ମନ୍ଥର, ନିର୍ବୋଧ, ପୁସ୍ତକ କୀଟ ଆଉ ମୋଟା ଫ୍ରେମର ଚଷମା ବାଲା ମାନେ ମୋ ଲିଷ୍ଟରେ ଆଉ ନାହାନ୍ତି । ଏପରିକି ମୋ ମନୋନୀତ ସିଲେକସନ ଲିଷ୍ଟରେ କୌଣସି ବ୍ୟକ୍ତି ଯଥେଷ୍ଟ ଇମ୍ପ୍ରେସିଭ୍ ଉଦ୍ଭଟ କଥା କହିପାରୁନଥିଲେ ।

ମୁଁ କି ଉଦ୍ଭଟ କଥା କରିଛି ଯେ, ତୁମେମାନେ ନିଶ୍ଚୟ ଏ କଥା ଭାବୁଥିବ ! ମୋର ଡେଟରେ କୌଣସି ଲୋକ ସେ କଥା ପଚାରି ନାହାନ୍ତି । କିନ୍ତୁ ତଥାପି ଶେଷକୁ ମୋ ପାଖରେ ଉତ୍ତର ଥିଲା, ଯାହାକି ମୁଁ ଡାରିୟସ୍ ସାଙ୍ଗରେ କରିଥିଲି ।

ଏହା ଷ୍ଟୋରେଜ୍ କୋଠରୀରେ ଘଟିଥିଲା । ମତେ ସେ ଭାର ଉତ୍ତୋଳନ ପାଇଁ କିଛି ଓଜନ ବାହାର କରିବାରେ ସାହାଯ୍ୟ କରିବାକୁ କହିଲା । ପ୍ରକୃତରେ ସେ କଣ ଚାହୁଁଥିଲା ତାହା ଆମ ଦିହିଙ୍କୁ ମାଲୁମ ଥିଲା । ଇନଷ୍ଟାଗ୍ରାମରେ ମୋ ସେଲଫି ସବୁକୁ ସେ ଲାଇକ୍ କରିବା ବେଳଠୁ ମୁଁ ଏହା ସନ୍ଦେହ କରି ସାରିଥିଲି । ଏମିତିକା ୱର୍କ୍ ଆଉଟ୍ ସରିଲା ପରେ ମୁଁ ଅଣନିଃଶ୍ୱାସୀ ହେଇଯାଇଥିଲି ।

ମୁଁ ସାଙ୍ଗେ ସାଙ୍ଗେ ବାହାରି ଆସିଥିଲି । ମେଣ୍ଢି ସାଙ୍ଗେ ଡେଟ୍ ପାଇଁ ମୁଁ ଡେରୀ କରିବାକୁ ଚାହୁଁନଥିଲି । କାରଣ ମୁଁ ଡେଟ୍ ମାନଙ୍କୁ ଗୁରୁତ୍ୱ ନ ଦେଲେ, ସିଦ୍ଦଚର ସାଦଛାଇମ୍ (ମଧ୍ୟସ୍ଥି) ମୋ ପାଇଁ ଆଉ କୌଣସି ଡେଟ୍ ସ୍ଥିର କରିବେ ନାହିଁ ।
“କାଲି କଣ ଆମର ଦେଖାହେବ” ମୁଁ ଡାରିୟସକୁ ପଚାରିଲି ।

“ଯେବେ ତୁମେ ଚାହଁ ।”

ଡାରିୟସ ସପ୍ତାହଟା ସାରା ମୋର ହାଇଲାଇଟ୍ ହେଇଗଲା । ସତ କହିବାକୁ ଗଲେ ମୋ ଜୀବନର ହାଇଲାଇଟ୍ – ବିଶେଷ କରି ମୋ କଳା ଧଳା ଦୁନିଆରେ ସେ ଇନ୍ଦ୍ରଧନୁର ରଙ୍ଗ ହେଇଗଲା । ତାର ପଥର ପରି ଆବ୍ସ ମୋର ଡେଇଟିଂର ନିଗୁଢ ଚିତ୍ରପଟ୍ଟ ଥିଲା । ଗାଡିର ଉପର ଛାତଟାକୁ ଟେକି ସେ ରାପ୍ ସଙ୍ଗୀତ ଶୁଣୁଥିଲା । ମୁଁ ତା ସଙ୍ଗେ ଯୋଗ ଦେଉଥିଲି ।
ବହୁତ ଶୀଘ୍ର ମୁଁ ଆଉ ଏକ ଛଦ୍ମବେଶ ପାଇଗଲି । ତାହା ହେଲା ଜିମ୍ ଲେଗିଙ୍ଗ୍ । ମତେ ରାସ୍ତାରେ ଆମ ବ୍ଲକର ଯିଏ ଦେଖେ ସେ ଭାବେ ମୁଁ ଡାରିୟସକୁ ଜିମରେ ସାହାଯ୍ୟ କରେ । ମୋର କୌଣସି ପଡୋଶୀ ମତେ ଟିକେ ବି ସନ୍ଦେହ କରୁ ନ ଥିଲେ ।

ମୁଁ ଭାର ଉତ୍ତୋଳନ କଲାବେଳେ “ଆମ ସାଙ୍ଗରେ ଆଜି ରାତିରେ ଆସ” ବୋଲି ଡାରିୟସ କହିଲା । ମୁଁ ତାର ନିମନ୍ତ୍ରଣକୁ ପୂର୍ବ ଅନୁମାନ କରୁଥିଲି ଓ ଆଶା କରୁଥିଲି ମଧ୍ୟ । ମୁଁ ନ ଶୁଣିଲା ପରି ରହିଲି । ୱର୍କ୍ ଆଉଟ୍ ପରେ ସେ କହିଲା, “ଦଶଟା ବେଳକୁ ପ୍ରସ୍ତୁତ ହୁଅ ।” ଡାରିୟସକୁ ମୋର ଉତ୍ତର ଦରକାର ନ ଥିଲା, ସେ ତାହା ଜାଣିସାରିଥିଲା । ମୋର ସବୁଠୁ ଖେଦ ହେଲା, ଚିନ୍ତା କରି କରି ସନ୍ଧ୍ୟା ବେଳଟା ସାରା ମୁଁ ତାକୁ ଅପେକ୍ଷା କରିଥିଲି । କଣ ମୁଁ ପିନ୍ଧିବି ? ସେଠି କିଏ ସବୁଥିବେ ? ତାର ସାଙ୍ଗମାନେ ମତେ ଭଲ ପାଇବେନା ? ସେମାନଙ୍କର ମୋ ପ୍ରତି ଧାରଣା କଣ ହେବ ? କଣ ମତେ ହାଶେମ୍ (ଭଗବାନ୍) ଭାବିବେ ? ମତେ ସେ ଜଜ୍ କରିବେକି ?

ଡାରିୟସ ମତେ ଆମ ବ୍ଲକ୍ କୋଣରେ ଭେଟିଲା । ତା ଗାଡି ଭିତରକୁ ଗଲା ବେଳକୁ ମତେ ବିଜୁଳି ମାରିଲା ପରି ଲାଗିଲା । ବାପା ମାଙ୍କୁ କହିଥିଲି ମୁଁ ମୋର ଜଣେ ସାଙ୍ଗ ସହିତ ଯାଉଛି । ଗୋଟାଏ ଲମ୍ବା ଜ୍ୟାକେଟ୍ ପିନ୍ଧିଥିଲି, ଯେମିତି ସେମାନେ ମୋର ଲେଗିଙ୍ଗ ଓ ସରୁ ଫିତାବାଲା ଟପ୍ ଦେଖିପାରିବେ ନାହିଁ । କିନ୍ତୁ ଡାରିୟସ୍ ପାଇଁ ଏହା କିଛି ନୂଆ ନ ଥିଲା । ମତେ ସେ ଛୋଟ ପ୍ୟାଣ୍ଟ ଓ ନିହାତି ଛୋଟ ପୋଷାକରେ ଦେଖିବାରେ ଅଭ୍ୟସ୍ତ ଥିଲା ।

“ହେ ବେବ୍ !” ତାର ଗାଢା ଚକୋଲେଟ୍ ଚେହେରା ଭିତରେ ଧଳା ଦାନ୍ତ ଗୁଡାକ ଚକ୍ ଚକ୍ ଦିଶୁଥିଲା । ମୁଁ ମଧ୍ୟ ପ୍ରତିହସ ଦେଲି । ଭାବିଲି ଜୀବନ ତ ଏମିତି – ଯେତେଦୂର ପାରେ ମୁଁ ଏହାକୁ ଉତ୍ତାଳ ଓ ରୋମାଞ୍ଚକର କରିବି । ମୋର ଯୁବାବସ୍ଥାର ପ୍ରତ୍ୟେକ ମୁହୂର୍ତ୍ତକୁ ପ୍ରାଣବନ୍ତ କରିବି । ପରିଣତ ବୟସରେ ଯେଉଁ ଅନୁଭବ ଅଭିଜ୍ଞତା ଲାଭ କରିପାରିବି ନାହିଁ ତାହା ଏବେ କରିବି ।

ଏସବୁ ଜେଭି, ଲେଜର୍ କିମ୍ବା ମେସି ଯିଏ ହେଲେ ବି ହେଉ ବା ସେହି ଅକୃତଜ୍ଞ ଭବିଷ୍ୟତ ସନ୍ତାନମାନେ ହୁଅନ୍ତୁ, ଯେଉଁମାନେ ମୋର ସମସ୍ତ ସଞ୍ଚୟକୁ ସେମାନଙ୍କ ବିଦ୍ୟାଳୟରେ ଖର୍ଚ୍ଚ କରାଇବେ, ମୋର କାହାକୁ ଖାତିର୍ ନାହିଁ ।

ହା ହା ହେଇ ମୁଁ ହସି ଉଠିଲି ଆଉ ଡାରିୟସକୁ ତା ବେକ ପାଖରୁ ଯୋରରେ କୁଣ୍ଢେଇ ପକେଇଲି ଏବଂ କହିଲି “ତୁମେ କେତେ ଚମତ୍କାର ଲୋକ !”

ତୀବ୍ର ଆଲୁଅ ମୋର ଆଖିକୁ କଷ୍ଟ ଦେଲା ଓ ବାଜା ଏବଂ ସଙ୍ଗୀତର ପ୍ରଚଣ୍ଡ ଶବ୍ଦ ମୋ କାନକୁ ବଧିରା କରିଦେଲା । ଡାରିୟସର ଅଣଇହୁଦୀ ସାଙ୍ଗମାନଙ୍କର ଅଣଇହୁଦୀ ପ୍ରକୃତି ଓ କାରବାର ଏକ ଅଭାବନୀୟ ଚମତ୍କାର ପରିବେଶ ସୃଷ୍ଟି କରିଥିଲା । ସମସ୍ତେ ଅତି ସୁନ୍ଦର ଓ ମାର୍ଜିତ ଥିଲେ ଏବଂ ଫଟୋ ଉଠାଇବା ବେଳେ ବେଫିକର୍ ଥିଲେ ।

ସେମାନଙ୍କ ପରି ମୁଁ ଟିକେ ପିଇବାକୁ ଓ ନିଶାରେ ଘୁମେଇବାକୁ ମନ କରିଥିଲି । ଗୁଣଗୁଣଉଥିଲି ମଧ୍ୟ । କିନ୍ତୁ ସେ ଯାଗାରୁ ଆମେ ପୁଣି ଆଉ ଗୋଟେ କ୍ଲବ୍ ଗଲୁ । ସେଠି ବେଶୀ ଲୋକ, ବେଶୀ ପାନୀୟ ଓ ଲୋକଙ୍କର ବେଶୀ ମଜା କରିବାର ନିଶା । ଆମ ଇହୁଦୀ ସେମିନାରୀରେ ଏହାକୁ ଗାଶମିୟସ୍ କୁହନ୍ତି । କିନ୍ତୁ କେହି ବି କହି ନ ଥିଲେ ଗାଶମିୟସରେ ଏତେ ପୁଣି ମଜା ।
ଡାରିୟସ୍ ମୋ କାନରେ କହିଲା, “ତୁମେ ବହୁତ ଖୁସି ଅଛ ତ !” କିଛି ଅଲଗା ଅଲଗା କଥା କହିଲା ଯାହାକି ବିରକ୍ତିକର ଓ ଅପମାନଜନକ ମନେ ହେବ କିନ୍ତୁ ତାହା କେବଳ ଅପଭାଷା ଥିଲା । “ମୁଁ ଏବେ ପ୍ରସ୍ତୁତ ନୁହେଁ,” ତାକୁ ବାରମ୍ବାର କହିଲି । ପରିଶେଷରେ ସେ ଶୁଣି ପାରିଲା । ଏହାର ଗୋଟାଏ ମାସ ପରେ ମୁଁ ପ୍ରସ୍ତୁତ ହେଲି । ଆଉ କୋଉ ଜେଭି, ଲେଜର୍ କିମ୍ବା ମେସିଙ୍କର ପ୍ରଶ୍ନ ନ ଥିଲା । କେବଳ ମୁଁ ଆଉ ଡାରିୟସ୍ । ଗୋଟାଏ ବର୍ଷ ପରେ ମୋ ବାପା ମାଙ୍କୁ ବାହାଘର କଥା କହିଲି । କିନ୍ତୁ ସେମାନେ କିଛି ବି କହିଲେନି । କିନ୍ତୁ ଡାରିୟସର ସାଙ୍ଗମାନେ ବହୁତ ଖୁସୀ ହେଲେ । ଆମେ ପୁଣି ନାଚିଲୁ ଓ ଆମର ମାର୍ଜିତ ଶରୀରକୁ ହଲେଇଲୁ ।

ଦୁଃଖ ଲାଗିଲାଯେ, ବାପା ଓ ମା ଆସିଲେ ନାହିଁ । ଆମେ ମଧ୍ୟ ଆଉ କଥା ହେଲୁନାହିଁ, କାରଣ ମୁଁ କେଉଁ ଇହୁଦୀ ପୁଅ ପାଇଲିନି, ଆଉ ଏକ କଳା ଡାରିୟସକୁ ବାଛିଲି । ମୁଁ ଗୋଟାଏ ଭଲ ଇହୁଦୀ ପୁଅ ଏଇଥିପାଇଁ ପାଇଲିନି ଯେ, ମୁଁ ସେମାନଙ୍କ ପାଇଁ ବହୁତ କୁତ୍ସିତ ଥିଲି ଏବଂ ସେମାନେ ମୋ ପାଇଁ ବହୁତ ବୋରିଂ ଥିଲେ । ହାଶେମ୍ (ଈଶ୍ୱର) ଜାଣନ୍ତି ମୁଁ କେତେ ଚେଷ୍ଟା କରିଛି ।

ଏହା ହିଁ ଜୀବନ ଥିଲା । ମୁଁ ଯେବେ ଇନଷ୍ଟାଗ୍ରାମରେ ୟୋଲୋ ( ୟୁ ଅନଲି ଲିଭ ୱାନସ ) ବୋଲି ଲେଖିଲି, ଡାରିୟସ୍ ମତେ କୁଣ୍ଢେଇ ପକେଇଲା ଏବଂ ମୁଁ ଜାଣିଥିଲି ମୁଁ ଯାହା କରିଛି ଠିକ୍ କରିଛି ।

ଅନୁବାଦ : ରୂପଶ୍ରୀ ରାଗିଣୀ ଦାସ

 

 

Comments are closed.