Latest Odisha News

BREAKING NEWS

‘ଅସାନି’ ଦୁର୍ବଳ ହେଉ ହେଉ ଦାନା ବାନ୍ଧିଲାଣି ବାତ୍ୟା ‘କରିମ୍’

ଭୁବନେଶ୍ୱର: ବାତ୍ୟା ଅସାନିର ବିପଦ ଟଳିବା କ୍ଷଣି ଆଉ ଏକ ବାତ୍ୟା ସୃଷ୍ଟି ହୋଇ ସାରିଥିବା ଜଣାପଡ଼ିଛି । ଯଦିଓ ଭାରତୀୟ ପାଣିପାଗ କେନ୍ଦ୍ର କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ କୌଣସି ସୂଚନା ଦେଇନାହାନ୍ତି ହେଲେ ‘ଦ ଓ୍ୱେଦର’ ନାମକ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ମେ’ ୮ରେ ଦକ୍ଷିଣ ଭାରତ ମହାସାଗର ଉପରେ ଏହି ସାମୁଦ୍ରିକ ଝଡ଼ ‘କରିମ’ ଦାନା ବାନ୍ଧିବା ଆରମ୍ଭ କରିଛି । ଯାହା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ନୂଆ ସମ୍ଭାବ୍ୟ ବିପଦ।

ସାମୁଦ୍ରିକ ଝଡ଼ ‘କରିମ’ ଏବେ ସମୁଦ୍ର ଉପରେ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ କିଛି ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ‘କରିମ’କୁ ଦ୍ୱିତୀୟ ଶ୍ରେଣୀ ବାତ୍ୟାର ଶ୍ରେଣୀଭୁକ୍ତ କରାଯାଇଛି । ଏହି ବାତ୍ୟାର ପବନର ବେଗ ଘଣ୍ଟା ପ୍ରତି ୧୧୨ କିଲୋମିଟର ରହିଛି। ଅର୍ଥାତ୍ ଏହି ବାତ୍ୟାରେ ଅଧିକ ବେଗରେ ପବନ ବୋହିବା ଫଳରେ କିଛି ପରିମାଣରେ ଧନଜୀବନ ଓ ଚାଷଜମି ନଷ୍ଟ ହୋଇପାରେ।

ତେବେ ବାତ୍ୟା କରିମ କେତେ ମାତ୍ରାରେ ବିପଦ ସୃଷ୍ଟି କରିଛି ଏବଂ କେଉଁ ଅଞ୍ଚଳକୁ କ୍ଷତି ପହଞ୍ଚାଇପାରେ ତାହା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇନି।

ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଉଭୟ ଅସାନି ଏବଂ କରିମ ପରସ୍ପରର ବିପରୀତ ଦିଗରେ ସୃଷ୍ଟ ହୋଇଛି। ଟ୍ୱିନ୍ ଟ୍ରପିକାଲ ସାଇକ୍ଲୋନ ପ୍ରାୟତଃ ସମାନ ଦ୍ରାଘିମାରେ କିନ୍ତୁ ବିପରୀତ ଦିଗରେ ଘୂରି ବୁଲୁଛି। ପୂର୍ବରୁ ୨୦୧୯ରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ‘ଫୋନି’ ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସାଗରରେ ବାତ୍ୟା ‘ଲୋର୍ନା’ ସୃଷ୍ଟି ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ଦ ଓ୍ୱେଦର ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ଏଭଳି ଯୁଗଳ ବାତ୍ୟା ପରସ୍ପରର ନିକଟତର ହୋଇଥାଏ ଅର୍ଥାତ୍ ହଜାରେ କିଲୋମିଟର ମଧ୍ୟରେ ଥାଏ, ସେତେବେଳେ ପରସ୍ପର ସହ ଏକ ପ୍ରଭାବ ରହିଥାଏ। କିନ୍ତୁ ଅସାନି ଓ କରିମ ମଧ୍ୟରେ ୨ ହଜାର ୮୦୦ କିଲୋମିଟରରୁ ଅଧିକ ଦୂରତା ରହିଥିବାରୁ ପରସ୍ପର ଉପରେ ପ୍ରଭାବ ପକାଇବା ନାହିଁ ବୋଲି କୁହାଯାଇଛି।

Comments are closed.