ମୌସୁମୀର ଘର
ସଂପଦ ମହାପାତ୍ର
ମୌସୁମୀର ଜନ୍ମ କୋଉଠି? କାହିଁକି ପ୍ରତିବର୍ଷ ଠିକଣା ବେଳେ ଆସୁଛି? କେବେଠୁ ଏମିତି ଆସୁଛି? କେମିତି ଆସୁଛି? ମୌସୁମୀର ଶେଷ ଠିକଣାା କୋଉଠି?
ଜୁନ ଆସିଲା ମାତ୍ରେ ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ । ସାଧାରଣତଃ ଜୁନ ପ୍ରଥମ ସପ୍ତାହରେ କେରଳକୁ ଭିଜାଏ ମୌସୁମୀ ବର୍ଷା, ଆଉ ସାରା ଦେଶରେ ଖୁସିର ଲହରୀ ଖେଳିଯାଏ । ପ୍ରାଣଘାତୀ ଗ୍ରୀଷ୍ମରୁ ତ୍ରାହି ମିଳେ, ଚାଷୀ ମନରେ ଆଶା ଖେଳିଯାଏ, ନଦୀ ନାଳ ଭରିଯାଏ, ଧରିତ୍ରୀରେ ପ୍ରାଣ ସଂଚରିଯାଏ । ମୌସୁମୀ ଆସିବା ଟିକିଏ ଡେରି ହୋଇଗଲେ ଚିନ୍ତା ବଢିଯାଏ । କାରଣ କୃଷି, ଅର୍ଥନୀତି, ଶିଳ୍ପ ସବୁ କିଛି ଏହି ମୌସୁମୀ ବର୍ଷା ଉପରେ ନିର୍ଭର ।
ଆରବିକ୍ ମୌସୁମ ଶବ୍ଦରୁ ଆସିଛି ମୌସୁମୀ, ଯାହାର ଅର୍ଥ ଋତୁ । ଆରବିକ୍ ମୌସୁମ୍ ବା ଡଚ୍ ଜ୍ଞକ୍ଟଦ୍ଭଗ୍ଦକ୍ଟଦ୍ଭ ଶବ୍ଦରୁ ମନସୁନ୍ ଶବ୍ଦ ଆସିଥାଇପାରେ । ଭାରତର ଲାଇଫଲାଇନ୍ ମୌସୁମୀ ବାୟୁ ଯଦିଓ ଆରବ ସାଗର ପଟୁ ଆସେ, ତେବେ ଏହାର ସଂପର୍କ ରହିଛି ତିଦ୍ଧତ ମାଳଭୂମି ସହ । ପ୍ରାୟ ୫କୋଟି ବର୍ଷ ତଳେ ଏସିଆ ଭୂଖଣ୍ଡ ଏବଂ ଭାରତୀୟ ଉପମହାଦେଶ ଭୂଖଣ୍ଡ ସହ ଧକ୍କା ହେଲା, ସେତେବେଳେ ସୃଷ୍ଟି ହେଲା ତିବ୍ଦତ ମାଳଭୂମି । ଆଉ ତାପରଠୁ ଭାରତକୁ ମୌସୁମୀ ଆସୁଛି । ଆଜିକୁ ପ୍ରାୟ ୨କୋଟି ବର୍ଷ ତଳେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ପ୍ରାୟ ୮୦ଲକ୍ଷ ବର୍ଷ ତଳେ ଏହା ଶକ୍ତିଶାଳୀ ହୋଇଛି । ତାଆଗରୁ ଭାରତରେ ମୌସୁମୀ ତାର ଖେଳ ଦେଖାଉନଥିଲା ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଜନ୍ମ ସ୍ଥାନ ଭାରତ ମହାସାଗର ଭିତରେ ଥିବା ମାଡାଗାସ୍କାରରେ । ଜାନୁଆରୀ-ଫେବୃଆରୀ ବେଳକୁ ମୌସୁମୀ ଜନ୍ମ ନେଇ ଆଫ୍ରିକୀୟ ଦେଶ ସୋମାଲିଆ ଆଡକୁ ଗତି କରେ । ବିଷୁବ ରେଖା ଟପିବା ପରେ ଏହା ମୋଡ ବଦଳାଇ ଦକ୍ଷିଣ ପଶ୍ଚିମ ମୁହାଁ ହୁଏ । ମେ ମାସ ବେଳକୁ ବେଶ ଶକ୍ତିଶାଳୀ ହୋଇସାରିଥାଏ । ସେତେବେଳକୁ ପବନର ବେଗ ପ୍ରଖର ଥାଏ ଏବଂ ସେଥିରେ ପ୍ରଚୁର ମାତ୍ରାରେ ଜଳକଣିକା ଭରିଥାଏ । ଏହାପରେ ମୌସୁମୀ ଭାରତ ମୁହାଁ ହୁଏ । ସୋମାଲିଆଠାରୁ ଭାରତ ପହଂଚିବା ପାଇଁ ପ୍ରାୟ ୩ହଜାର କିଲୋମିଟର ବାଟ ଅତିକ୍ରମ କରେ । ମୌସୁମୀର ସବୁ ଖେଳ ୩୦ ଡିଗ୍ରୀ ଉତର ଏବଂ ଦକ୍ଷିଣ ଅକ୍ଷାଂଶ ଭିତରେ ହିଁ ହୁଏ । ଭାରତ ପହଂଚିବା ଆଗରୁ ମୌସୁମୀ ମେ ୧ତାରିଖ ବେଳକୁ ଦକ୍ଷିଣ ପୂର୍ବ ଏସିଆ ଛୁଏଁ । ମେ ୧୫ବେଳକୁ ଆଣ୍ଡାମାନ ନିକୋବର ପଂହଚେ ।
ମେ ମାସ ବେଳକୁ ଭାରତୀୟ ଉପମହାଦେଶରେ ଗ୍ରୀଷ୍ମ ଋତୁ । ପ୍ରଚଣ୍ଡ ଖରାରେ ସ୍ଥଳଭାଗ ତାତି ଯାଏ । ଆକାଶରୁ ନିଆଁ ଖସୁଥାଏ । କିନ୍ତୁ ସମୁଦ୍ର ଅପେକ୍ଷାକୃତ ଥଣ୍ଡା ଥାଏ । ଅତ୍୍ୟଧିକ ଗରମ ଯୋଗୁ ସ୍ଥଳଭାଗରେ ଲଘୁଚାପ ସୃଷ୍ଟି ହୁଏ । ଏହାକୁ ଭରଣା କରିବାକୁ ଥଣ୍ଡା ମୌସୁମୀ ପବନ ଟାଣି ହୋଇଆସେ । ଆରବ ସାଗର ପଟୁ ପ୍ରାୟ ଜୁନ ୧ବେଳକୁ କେରଳ ଛୁଏଁ । ସେଇଠି ସୁଉଚ୍ଚ ପଶ୍ଚିମ ଘାଟରେ ଧକ୍କା ଖାଇ ଦୁଇ ଭାଗ ହୋଇଯାଏ । ଗୋଟିଏ ଭାଗ ମହାରାଷ୍ଟ୍ର ଏବଂ କର୍ଣାଟକ ମୁହାଁ ହୁଏ ଏବଂ ଅନ୍ୟଟି ତାମିଲନାଡୁ, ଆନ୍ଧ୍ର, ଓଡିଶା ମୁହାଁ ହୁଏ ।
ଦକ୍ଷିଣ ପଶ୍ଚିମ ଦିଗରୁ ଛୁଉଁଥିବାରୁ ଏହାର ନାଁ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାପରେ ମୌସୁମୀ ଧୀରେ ଧୀରେ ସାରା ଦେଶକୁ ଭିଜାଏ । ପଶ୍ଚିମ ରାଜସ୍ଥାନ ହେଉଛି ମୌସୁମୀର ଶେଷ ଠିକଣା । ଜୁଲାଇ ୧୫ବେଳକୁ ଏଠି ପହଂଚେ ମୌସୁମୀ । ଜୁନରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହେ, ବର୍ଷା ହୁଏ ।
ତେବେ ମୌସୁମୀର ଖେଳ ରାଜସ୍ଥାନର ମରୁଭୂମିରେ ସରେନି । ସେପ୍ଟେମ୍ବର ବେଳକୁ ଶୀତଋତୁ ଆରମ୍ଭ ହୋଇଯାଏ । ସେତେବେଳକୁ ସମୁଦ୍ରର ତାପମାତ୍ରା ସ୍ଥଳଭାଗଠାରୁ ଅଧିକ ଥାଏ । ତିଦ୍ଧତ ମାଳଭୂମିରେ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୁଏ । ତେଣୁ ମୌସୁମୀ ପୁଣି ପଛକୁ ବଙ୍ଗୋପସାଗର ଆଡକୁ ଫେରେ । ସେତେବେଳେ ଦକ୍ଷିଣ ଏବଂ ପୂର୍ବ ଭାରତର କିଛି ସ୍ଥାନରେ ଶୀତଦିନିଆ ବର୍ଷା ହୁଏ । ମୌସୁମୀର ଏହି ଫେରନ୍ତା ଗତିପଥ ଉପରେ ଆଗେ ନିର୍ଭର କରୁଥଲା ଓଡିଶାର ନୌବାଣିଜ୍ୟ ପରମ୍ପରା । କାର୍ତିକ ପୂର୍ଣମୀରେ ସାଧବପୁଅମାନେ ମେଲି ଦେଉଥିଲେ ବୋଇତ । ଫେରନ୍ତା ମୌସୁମୀ ସେମାନଙ୍କ ବୋଇତକୁ ସମୁଦ୍ର ଭିତରେ ଜାଭା ସୁମାତ୍ରାର ଯାଏଁ ବାଟ କଢେଇ ନେଉଥିଲା । ମୌସୁମୀ ନଥିଲେ ଓଡିଶାର ଐତିହ୍ୟ ଅଲଗା ହୋଇଥାନ୍ତା ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓଲଟ ଚକ୍ରବାତ ଯୋଗୁ ମୌସୁମୀ ଭାରତ ଭୂଖଣ୍ଡ ଛାଡି ପୁଣି ଥରେ ଫେରିଯାଏ ମାଡାଗାସ୍କାର । ଆରବସାଗର ପଟୁ ଆସିଥିବା ବେଳେ ବଙ୍ଗୋପସାଗ ବାଟେ ଯେଉଁଠୁ ଜନ୍ମ ନେଇଥିଲା ସମୁଦ୍ରର ସେଇଠିକୁ ଫେରିଯାଏ ମୌସୁମୀ । ପୁଣି ଥରେ ନୂଆ ପାଣି ପବନ ନେଇ ଜନ୍ମ ନେବାକୁ ।
Comments are closed.