Latest Odisha News

ବିଜେଡିର ୬୬ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମରେ ଅପରାଧିକ ମାମଲା

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ୮୨ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମରେ ଅପରାଧିକ ମାମଲା ରହିଛି । ‘ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ୍’ ବିଜୟୀ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ସତ୍ୟପାଠ ବିଶ୍ଲେଷଣ କରି ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟରେ ମୋଟ୍ ୮୫୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ କେବଳ ୭୨୬ ଜଣଙ୍କ ସତ୍ୟପାଠ ବିଶ୍ଲେଷଣ କରାଯାଇଛି । ବଳକା ୧୨୫ ଜଣଙ୍କ ସତ୍ୟପାଠ ନିର୍ବାଚନ କମିଶନଙ୍କ ୱେବସାଇଟରେ ରିପୋର୍ଟ ପ୍ରସ୍ତୁତ ହେବା ସମୟରେ ଅପଲୋଡ ହୋଇନଥିଲା ବୋଲି ରିପୋର୍ଟରେ ଦର୍ଶଯାଇଛି ।

ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା- ୬୫ ଜଣ ନିର୍ବାଚିତ ସଭ୍ୟ ତାଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଚାଲୁଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ହତ୍ୟା ଏବଂ ମହିଳା ବିରୋଧୀ ଅପରାଧିକ ମାମଲା ଉପରେ ବିଶ୍ଲେଷଣରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ୧୫ ଜଣଙ୍କ ବିରୋଧରେ ହତ୍ୟା ଏବଂ ୧୨ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି ।

ଦଳୀୟ ପରିସଂଖ୍ୟାନ ହିସାବରେ ବିଜେଡି ସର୍ବାଧିକ ସିଟ୍ ହାତେଇ ଥିବାରୁ ଏହାର ସଂଖ୍ୟା ଅଧିକ ରହୁଛି । ବିଜେଡିର ମୋଟ୍ ୬୬୧ ଜଣ ସଦସ୍ୟଙ୍କ ମଧ୍ୟରୁ ୬୬ ଜଣ, ବିଜେପିର ୩୭ ଜଣରୁ ୬ ଜଣ, କଂଗ୍ରେସର ୨୨ ଜଣରୁ ୭ ଜଣ, ଜେଏମଏମର ୩ ଜଣରୁ ଜଣେ ଏବଂ ସିପିଆଇଏମର ଜଣେ, ସ୍ୱାଧୀନ ନିର୍ବାଚିତ ପ୍ରତିନିଧି ଜଣଙ୍କ ନାମରେ ହିଁ ଅପରାଧିକ ମାମଲା ରହିଛି ।

ବିଜେଡିର ୫୩ ଜଣ ସଦସ୍ୟ, ବିଜେପିର ୪ ଜଣ, କଂଗ୍ରେସର ୬ ଜଣ, ଜେଏମଏମର ଜଣେ ଏବଂ ଜଣେ ସ୍ୱାଧୀନ ନିର୍ବାଚିତ ପ୍ରାର୍ଥୀ ସେମାନଙ୍କ ନାମରେ ଗୁରୁତର ଅପରାଧିକ ମାମଲା ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.