ଭୁବନେଶ୍ୱର: ପରଲୋକରେ ଓଡ଼ିଆ ସିନେମା, ଟିଭି ଏବଂ ନାଟକ ଜଗତର ଖ୍ୟାତନାମା କଳାକାର ବିରାଜ ଦାସ । ଦୀର୍ଘ ଦିନ ଧରି କ୍ୟାନସର ସହ ସଂଗ୍ରାମ କରିବା ବେଳେ 63 ବର୍ଷ ବୟସରେ ସେ ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ବିରାଜଙ୍କ ବିୟୋଗରେ ଓଲିଓଡରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବାବଦରେ ଏହି କଳାକାରଙ୍କ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି।
ନିଜର ନିଖୁଣ ଅଭିନୟ ଏବଂ ଗମ୍ଭୀର ସ୍ୱର ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। ସେ ମୁଖ୍ୟତଃ ବାସ୍ତବବାଦୀ କଳାକାର ଥିଲେ। ଓଡ଼ିଆ ସିନେମା ‘ବଗୁଲା ବାଗୁଳି’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରି ‘ମା ପରୀ କି ହେବା’, ‘ଯା ଦେବୀ ସର୍ବଭୂତେଶୁ’, ‘ପ୍ରେମ ବନ୍ଧନ’, ‘ମୋ ଭାଇ ଜଗା’, ‘ପୁଅ ଭଙ୍ଗିଦେଲା ସୁନା ସଂସାର’, ‘ଗୋଲାମଗିରି’ ଆଦି ସିନେମାରେ ଅଭିନୟ କରିଛନ୍ତି। ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ର ‘ଅଜାତି’ ରହିଛି। ଯାହାକି ରିଲିଜ ଅପେକ୍ଷାରେ ରହିଛି।
‘ଭାଗବତ ଟୁଙ୍ଗି’, ‘ଦେଖା ବର୍ଷା ଆସୁଛି,’, ‘ଝରା ବଉଳା’, ‘କପଟ ପାସ’ ଓ ‘ବୋହୂ କଟକିଆଣୀ’ ଆଦି ନାଟକରେ ବିରାଜ ନିଜର ଅଭିୟନର ଯାଦୁ ଛାଡି ଯାଇଛନ୍ତି।
1959 ମସିହା ଜୁନ୍ 15 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ବିରାଜ ଦାସ । ସେ ମୁମ୍ବାଇରେ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଶେଷ କରିବା ପରେ ଏକ ବ୍ୟାଙ୍କ କର୍ମଚାରୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ନିଶା ଥିଲା ତାଙ୍କର ଅଭିନୟ କରିବା । ତେଣୁ ସେ ତାଙ୍କର ପ୍ରଥମ ପେଶା ବ୍ୟାଙ୍କ ଚାକିରିରୁ ଓହରି ଆସି ଅଭିନୟ ଦୁନିଆରେ ପାଦ ଥାପିଥିଲେ ।
ବିରାଜଙ୍କ ମୃତ୍ୟୁରେ ତାଙ୍କର ସାଙ୍ଗ ତଥା ଅନ୍ୟତମ କଳାକାର ମୁନୁ ଦାସ ମର୍ମାହତ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ବିରାଜ ଜଣେ ମେଳାପି ବ୍ୟକ୍ତିର ଥିଲେ। ତାଙ୍କ ସହିତ ବ୍ୟକ୍ତିଗତ ଏବଂ ବୃତିଗତ ଜୀବନ ବେଶ ଖାପ ଖୁଆଉଥିଲା। ବିରାଜଙ୍କ ବିୟୋଗ ତାଙ୍କ ପାଇଁ ବଡ ଝଟକା ବୋଲି ମୁନୁ ଦାସ ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେବା ବେଳେ କହିଛନ୍ତି।
Comments are closed.