ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୭
ଭୟାଳୁ ଦେବଗଣଙ୍କର ଇତସ୍ତତଃ ଦୃଷ୍ଟି ଦ୍ୱାରଦେଶରେ ନିବଦ୍ଧ। କେହି କେହି ନିଜ ନିଜର ଆସନରୁ ଉଠିବାର ଉପକ୍ରମ କରୁଥାନ୍ତି। ମାତ୍ର ଅତ୍ୟଧିକ ମଦିରାପାନ ହେତୁ ନିଜ ନିଜର ଭାରସାମ୍ୟ ରକ୍ଷା କରି ନ ପାରି ପୁନଶ୍ଚ ବସି ପଡୁଥାନ୍ତି। କୌଣସି ଦୈତ୍ୟର ଆକ୍ରମଣ ଆଶଙ୍କାରେ ଭୟାର୍ତ୍ତ ଦେବରାଜଙ୍କର ଅତି କଷ୍ଟରେ ଗୋଟିଏ ଶବ୍ଦ କଣ୍ଠ ନିଃସୃତ ହେଲା, ” କିଏ ? ”
ଦିବ୍ୟ ଐଶ୍ୱର୍ଯ୍ୟ ଭୋଗ କରୁଥିବା ବିଳାସୀ ଦେବଗଣ ସେତେବେଳେ ହିଁ ପ୍ରକୃତିସ୍ଥ ହୁଅନ୍ତି ଯେତେବେଳେ ସେମାନଙ୍କର ବିଳାସରେ ବାଧା ସୃଷ୍ଟି ହୁଏ ଅଥବା ନିଜ ପଦରୁ କ୍ଷମତାଚ୍ୟୁତ ହେବାର ଶଙ୍କା ଉତ୍ପନ୍ନ ହୁଏ ।
ସାହସ ସଞ୍ଚୟ କରି ଇନ୍ଦ୍ର ପୁନଶ୍ଚ କହିଲେ, ଦେବରାଜଙ୍କର ଆଜ୍ଞା ବିନା ଦେବଲୋକରେ ପ୍ରବେଶର ଧୃଷ୍ଟତା କରିଥବା କିଏ ତୁମେ ମୂର୍ଖ ? ”
” ତ୍ରିପୁର ବିଜୟୀ ଲଙ୍କାଧିପତି ଅସୁରରାଜ ରାବଣଙ୍କର ପୁତ୍ର ମେଘନାଦ ମୁଁ । ତୁମକୁ ଯୁଦ୍ଧରେ ପରାଜିତ କରିବି ଏବଂ ବନ୍ଦୀ କରି ଇନ୍ଦ୍ରଜିତ ହେବାର ଅଭିପ୍ରାୟରେ ମୋର ଏଠାକୁ ଆଗମନ। ମୋ ସହ ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଉଛି। ”
ମେଘନାଦର ଅହଂକାରପୂର୍ଣ୍ଣ କଥା ଶୁଣି କ୍ରୋଧିତ ଦେବରାଜ ତାଙ୍କ ଉପରେ ଆକ୍ରମଣ କଲେ। ପ୍ରବଳ ଯୁଦ୍ଧ ହେଲା। ମାତ୍ର ଇନ୍ଦ୍ରଙ୍କର ବଜ୍ର ମେଘନାଦର ଅସ୍ତ୍ର ସମ୍ମୁଖରେ ନିଷ୍କ୍ରିୟ ହୋଇଗଲା। ପରାଜୟ ଅବଶ୍ୟମ୍ଭାବୀ ଜାଣି ଦେବରାଜ ଭୟରେ ପଳାୟନ କଲେ ଏବଂ ତାଙ୍କର ପଶ୍ଚାତ୍ଧାବନ କଲେ ମେଘନାଦ।
ଅଯୋଧ୍ୟାରେ ମାତା ସୀତା ପ୍ରତ୍ୟୁଷରୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସେବାରେ ଉପସ୍ଥିତା ହୋଇ ଦେଖିଲେ, ତାଙ୍କ ପୂର୍ବରୁ କେହି ପ୍ରଭୁଙ୍କୁ ପୁଷ୍ପହାର ଓ ଚନ୍ଦନ ସମର୍ପଣ କରି ସାରିଛନ୍ତି। ପତ୍ନୀସୁଲଭ ଅଭିମାନରେ କହିଲେ, ” ପ୍ରଭୁ ! ଏତେ ପ୍ରତ୍ୟୁଷରୁ ମୋ ପୂର୍ବରୁ କିଏ ଆପଣଙ୍କର ପୂଜାର୍ଚ୍ଚନା କରିଛନ୍ତି ? ମୁଁ ତ ଏଠାରେ କାହାକୁ ମଧ୍ୟ ଦେଖି ପାରୁନାହିଁ । ”
ଶ୍ରୀରାମ ସ୍ମିତ ହସି କହିଲେ, ” ସୀତେ ! ନାଗକନ୍ୟା ସୁଲୋଚନା । ମୋର ପରମ ଭକ୍ତା। ପ୍ରତ୍ୟହ ପ୍ରଭାତରୁ ମୋତେ ଭକ୍ତି ନୈବେଦ୍ୟ ସମର୍ପଣ କରନ୍ତି। ମୋର ନାମ ସ୍ମରଣରେ ସର୍ବଦା ବ୍ରତିନୀ । ବର୍ତ୍ତମାନ ସେ ଏକ ସଂକଟମୟ ପରିସ୍ଥିତିରେ ”
” ତେବେ ତ ତାଙ୍କର ସୁରକ୍ଷାର ଦାୟିତ୍ୱ ମଧ୍ୟ ଆପଣଙ୍କର ସ୍ୱାମୀ ! ସେ ନିଶ୍ଚୟ ପରମ ଭକ୍ତିମତୀ। ତାଙ୍କ ଦ୍ୱାରା ଅର୍ପିତ ପୁଷ୍ପହାର ଓ ଚନ୍ଦନ ଆପଣଙ୍କ ଶ୍ରୀଅଙ୍ଗରେ ସେଥିପାଇଁ ତ ଶୋଭା ପାଉଛି। ସେହି ପୂଣ୍ୟବତୀ ନାରୀ ଏବେ କେଉଁଠି ଅଛନ୍ତି ? ”
” ସବୁ କହିବି ସମୟ ଆସିଲେ। ବର୍ତ୍ତମାନ ତାଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି। ”
କ୍ରମଶଃ….
Comments are closed.