Latest Odisha News

BREAKING NEWS

ପଶ୍ଚିମବଙ୍ଗରେ କାହିଁକି ହାରିଲା ବିଜେପି ? ବର୍ଷେ ପରେ ନଡ୍ଡା କହିଲେ କାରଣ

କୋଲକାତା: ପଶ୍ଚିମବଙ୍ଗରେ ସରକାର ଗଢ଼ିବ ବୋଲି ବିଜେପି ହୁଙ୍କାର ଦେଇଥିଲା। ଆଉ ଏଥିପାଇଁ ବିଜେପି ତାର ସମସ୍ତ ହେବିଓ୍ୱେଟଙ୍କୁ ମଧ୍ୟ ଲଗାଇଥିଲା। ହେଲେ ନିର୍ବାଚନ ଫଳାଫଳରେ ଦାବି ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲା ବିଜେପି। ଏବେ ଆଗକୁ ସାଧାରଣ ନିର୍ବାଚନ ରହିଛି। ତେଣୁ ବିଜେପିର ଶୀର୍ଷ ନେତୃତ୍ୱ ଏଠାରେ ଭୋଟ୍ ବ୍ୟାଙ୍କ ଆହୁରି ମଜବୁତ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରୟାସ। ଗୃହମନ୍ତ୍ରୀ ଅମିତ ଶାହଙ୍କ କୋଲକାତା ଗସ୍ତ ପରେ ପରେ ଏବେ ଦଳର ସଭାପତି ଜେପି ନଡ୍ଡା ଦୁଇ ଦିନିଆ କୋଲକାତା ଗସ୍ତ ଶେଷ କରିଛନ୍ତି। ଆଉ ଶେଷ ଦିନରେ କହିଛନ୍ତି କେଉଁ କାରଣ ପାଇଁ ଏଠାରେ ତାଙ୍କ ଦଳ  ସରକାର ଗଢିପାରିଲା ନାହିଁ।

ଦୁଇ ଦିନିଆ ଗସ୍ତର ଶେଷ ଦିନରେ ଜେପି ନଡ୍ଡା କୋଲକାତାରେ ଏକ ସମାବେଶରେ କହିଛନ୍ତି, “ଆମେ ନିର୍ବାଚନକୁ ବିଜୟୀ ହୋଇଥାନ୍ତେ, କିନ୍ତୁ ଏପ୍ରିଲରେ କୋଭିଡ ମହାମାରୀ ଆସିଥିଲା। ଚତୁର୍ଥ ପର୍ୟ୍ୟାୟ ମତଦାନ ପରେ ସଂକ୍ରମଣ ବଢିବାରୁ ପ୍ରଚାର କରିପାରିଲୁ ନାହିଁ। ଆମେ ଯେଉଁ ବେଗରେ ପ୍ରଚାର କରୁଥିଲୁ ଏବଂ ଯେଉଁ ସମର୍ଥନ ପାଇଥିଲୁ, ଆମେ ସରକାର ଗଢିବୁ ବୋଲି ଆଶାବାଦୀ ଥିଲୁ। ”

୨୨ ଏପ୍ରିଲ ୨୦୨୧ରେ, ନିର୍ବାଚନ କମିଶନ ଦ୍ୱିତୀୟ କରୋନା ସଂକ୍ରମଣକୁ ଦେଖି କଟକଣା ଲଗାଇଥିଲେ। କରୋନା ସଂକ୍ରମଣ ବ୍ୟାପୁଥିବାରୁ ରାଜନୀତିକ ଦଳମାନଙ୍କୁ ପଦଯାତ୍ରା, ରୋଡ ସୋ ଏବଂ ରାଲି କରିବାକୁ ବାରଣ କରିବା ଉପରେ ନିର୍ବାଚନ କମିଶନ କଟକଣା ଲଗାଇଥିଲେ। ଆଉ ଏହି ସମୟରେ ପଶ୍ଚିମବଙ୍ଗରେ କେବଳ ଦୁଇଟି ପର୍ୟ୍ୟାୟ ମତଦାନ ବାକିଥିଲା। ମୋଟ୍ ଆଠଟି ପର୍ୟ୍ୟାୟରେ ମତଦାନ ହେବ ବୋଲି ଘୋଷଣା ହୋଇଥିଲା।

ତେବେ ଟିଏମସି ନଡ୍ଡାଙ୍କ ଏହି ମନ୍ତବ୍ୟକୁ  ଖାରଜ କରିଛି । ଏଠାରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଟିଏମସି କହିଛି।

ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରୀୟ ନେତାମାନେ ସେତେବବେଳେ ପଶ୍ଚିମବଙ୍ଗ ଗସ୍ତରେ ଆସୁଥିଲେ। ଟିଏମସି ସେତେବେଳେ ଆଠଟି ପର୍ୟ୍ୟାୟ ନକରି କମାଇବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲା । ​​କିନ୍ତୁ ଟିଏମସିର ଦାବିକୁ କେହି ଶୁଣିନଥିଲେ। ଏବେ ବାହାନା ଦେଖାଇ ନିଜର ଭୁଲକୁ ଲୁଚାଇବା ପାଇଁ ବିଜେପି ପ୍ରୟାସ କରୁଛି”।

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରେ ହୋଇଥିବା ଏହି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୋଟ୍ ୨୯୨ ବିଧାନସଭା ଆସନ ମଧ୍ୟରୁ ଟିଏମସି ଏକାକୀ ୨୧୩ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୭୭ଟି ଆସନରେ ଏବଂ ଅନ୍ୟାନ୍ୟ ୨ଟି ଆସନରେ ବିଜୟୀ ହୋଇଥିଲେ। ଏହାପରେ ଅନେକ ବିଜେପି ସାଂସଦ ଏବଂ ବିଧାୟକ ମଧ୍ୟ ଦଳ ଛାଡି ଟିଏମସିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.