ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’
ଚାଷୀ ଓ ଚାଷର ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି । ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ ଚାଷ । ଚାଷ – ଏକ ବ୍ୟବସାୟ ନୁହେଁ ବରଂ ଏକ ସ୍ୱର୍ଗୀୟ ଅନୁଭବ । ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ କ୍ଷେତରେ ବି ଦେଖାଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡ଼େ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ । କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛନ୍ତି , ସେକଥା ଜାଣି ନାହାନ୍ତି । ତେଣୁ ଏହି ଆଧୁନିକତାକୁ ଦ୍ୱାହି ଦେଇ ଏବେ ପ୍ରାକୃତିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ବି ପରମ୍ପରାଗତ କୃଷି ବିକାଶ ଯୋଜନା ଦ୍ୱାରା ଜୈବିକ କୃଷିକୁ ଲୋକପ୍ରିୟ କରାଯାଇପାରୁଛି । କମ ଖର୍ଚ୍ଚ , ସ୍ୱଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ ଏହି ପ୍ରାକୃତିକ କୃଷି ।
କୃଷି ଆମ ସଂସ୍କୃତି ଓ ସଭ୍ୟତାର ଆଦ୍ୟ ଓଁକାର । ଏଇ ଚାଷ ହିଁ ଜୀବନ ଜୀଇଁବାର ଅଧ୍ୟାୟ । ଆଗ କାଳରେ ଗାଁ ଗହଳିରେ ଚାଷ କହିଲେ ସବୁକିଛିକୁ ବୁଝାଉଥିଲା । ଚାଷ ଓ ଚାଷୀର ସେ ମହନୀୟତାର ଚିତ୍ରକୁ ବେଶ ଜୀବନ୍ତ ଭାବରେ ଗାଁରେ ପ୍ରତିଫଳିତ ହେଉଥିଲା । ସାମ୍ପ୍ରତିକ ସମୟକୁ ଲକ୍ଷ୍ୟ କଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ । ଏହି କୃଷି ହିଁ ଆମ ଅର୍ଥନୀତିର ସଂସ୍କାରକ ବୋଲି ବିବେଚନା କରାଯାଇପାରେ । ସମୟ ବଦଳିବା ସହ ପରିବେଶ ବି ବଦଳୁଛି ।
ପରିବେଶର ରୂପରେଖର ପରିବର୍ତ୍ତନ ହେଉଛି । ଜଳବାୟୁର ଅନିୟମିତତା ଯେପରିକି ଅତ୍ୟଧିକ ତାପମାତ୍ରାର ପ୍ରଭାବ,ବନ୍ୟା,ବାତ୍ୟା ,ମରୁଡ଼ି ପରି ପରିସ୍ଥିତି ଏସବୁର ପ୍ରମୁଖ ଉଦାହରଣ । ଆମ ରାଜ୍ୟ-ଓଡିଶା – କୃଷିର ଏନ୍ତୁଡ଼ିଶାଳ । ସତୁରୀ ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ । ଏଠାକାର ମାଟି ସୋରିଷର ଗାଥା ଗାଏ ତ ଆଉ କେତେବେଳେ ପାଚିଲା କେଣ୍ଡାର ହସରେ ମହକୁଥାଏ । ସେଥିପାଇଁ ଆମ ରାଜ୍ୟ ମହାନ ।
ଗୁଜୁରାଟର ଆନନ୍ଦଠାରେ ହେଉଥିବା କୃଷି ଓ ଖାଦ୍ୟ ପ୍ରକ୍ରିିୟାକରଣର ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱାରୋପ କରିଛନ୍ତି । ସୁତରାଂ କେବଳ ଆଜି ନୁହେଁ ଭବିଷ୍ୟତକୁ ଯଦି ଆମେ ଲକ୍ଷ୍ୟ କରିବା ତାହେଲେ ଏ ପ୍ରାକୃତିକ କୃଷି ହିଁ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ଭାବରେ ପରିଗଣିତ ହେବ । ପ୍ରାକୃତିକ କୃଷି- ଆମ ବାପା ଅଜା ଅମଳ ସମୟରେ ଏ ପ୍ରକାର ଚାଷ ପଦ୍ଧତି ଖୁବ ଜଣାଶୁଣା ଥିଲା । ସେତେବେ ନା ଥିଲା ସାର , ନା ବିଷ ନା ବଡ଼ ବଡ଼ କୃଷି ଭିତ୍ତିକ ଦୋକାନ ବଜାର । କେବଳ ପ୍ରାକୃତିକ ଉପାୟରେ ଚାଷ କରି ଜମିରୁ ସୁନା ଫଳାଉôଥଲେ ସେମାନେ । ପରିବେଶ ସନ୍ତୁଳନ ଠିକ୍ ରହିବା ସହ ଜୈବ ବିବଧତାର ସୁରକ୍ଷା ମଧ୍ୟ ହୋଇପାରୁଥିଲା ।
ଗୁଜୁରାଟଠାରେ ହେଉଥିବା ଏ ସମ୍ମିଳନୀ ନିଶ୍ଚୟ ଭାବରେ ଆଗାମୀ ସମୟ ପାଇଁ ଏକ ବଡ଼ ଆହ୍ୱାନ । ପ୍ରଧାନମନ୍ତ୍ରୀଙ୍କ ୨୦୨୨ ସୁଦ୍ଧା ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବାର ସ୍ୱପ୍ନକୁ ସାକର କରିବା ଦିଗରେ ଏ ପ୍ରାକୃତିକ କୃଷି ଏକ ମାଇଲଖୁଣ୍ଟ ସାଜିବ , ଏଥିରେ ଦ୍ୱିମତ ନାହିଁ । ଉତ୍ପାଦନ ବୃଦ୍ଧି ସହ କୃଷକଙ୍କ କାର୍ଯ୍ୟଦକ୍ଷତାର ବିକାଶରେ ଏହା ପ୍ରମୁଖ ମଙ୍ଗ ଧରିବ । ଜମିରେ ରାସାୟନିକ ସାରର ବ୍ୟବହାର କମ କରି କିପରି ଜୈବିକ ଉପାୟରେ ପ୍ରସ୍ତୁତ ସାମଗ୍ରୀ ପ୍ରୟୋଗ ପୂର୍ବକ ଫସଲର ଗୁଣାତ୍ମକ ମାନ ବଢ଼ାଯାଇପାରିବ , ତାହା ହିଁ ପ୍ରାକୃତିକ କୃଷିର ମୂଳ ଲକ୍ଷ୍ୟ । ଶୂନ୍ୟ ବଜେଟ ପ୍ରାକୃତିକ କୃଷି- ସାମ୍ପ୍ରତିକ ସମୟରେ କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବ । ଏହାଦ୍ୱାରା ସେମାନଙ୍କର ପୁଞ୍ଜି ନିବେଶ କମ୍ ହେବା ସହ ଆୟର ପରିମାଣ ବଢ଼ିଥାଏ । ସେମାନଙ୍କୁ ବଜାର ଉପରେ ଅଧିକ ନିର୍ଭର କରି ପଇସା ଖର୍ଚ୍ଚ କରିବାକୁ ପଡ଼େ ନାହିଁ । ଏହା ଦ୍ୱାରା ଚାଷବାସ ଖର୍ଚ୍ଚ କମିବା ସହ ସେମାନେ ନିଜେ ନିଜର କର୍ମସଂସ୍ଥାନକୁ ସଠିକ ଭାବରେ ପରିଚାଳିତ କରିପାରିଥାନ୍ତି । ମାଟି ଚାଷ ପାଇଁ ଏକ ପ୍ରମୁଖ ଉପାଦାନ । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଜିରୋ ଟିଲେଜକୁ ବ୍ୟବହାର କରି ଚାଷଜମିରେ ଉନ୍ନତୀକରଣ କରାଇପାରେ । ମାଟିର ଉର୍ବରତା ବଢ଼ାଇବା ସହ ମୃତ୍ତିକା କ୍ଷୟକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଏହା ଦ୍ୱାରା ମାଟିର ଗଠନରେ ପରିମର୍ତ୍ତନ ହବ ନାହି ବରଂ ମାଟିର ଜଳଧାରଣ କ୍ଷମତା ବଢ଼ାଯାଇପାରିବ ।
ମାଟିରେ ଜୈବିକ ଉପାଦାନକୁ ବଢ଼ାଇବା ସହ ଫସଲର ଗୁଣାତ୍ମକ ମାନ ବଢାଇବାରେ ସାହାଯ୍ୟ କରିଥାଏ । ଏହା ପିଏଚର ସମାନତାକୁ ରକ୍ଷା କରିବା ସହ ମାଟିର ଥିବା ପୋଷକ ସନ୍ତୁଳନକୁ ଠିକ ଭାବରେ କରିପାରିଥାଏ । ଏହା ବ୍ୟତୀତ ଜୈବିକ ଉପାୟରେ କୀଟ ଦମନ ପ୍ରକ୍ରିୟା ଅନେକ ମାତ୍ରାରେ ରୋଗ ଓ ପୋକର ପ୍ରାଦୁର୍ଭାବ କମାଇଥାଏ । ଏହି ପ୍ରାକୃତିକ କୃଷି ମୁଖ୍ୟତଃ ଜୈବ ବିବିଧତା ରକ୍ଷା କରିଥାଏ ,ମାଟିର ଉର୍ବରଶକ୍ତି ତଥା ଜଳ ସଂରକ୍ଷଣ ଠିକ ଭାବରେ କରିଥାଏ । ଏହା ମୁଖ୍ୟତଃ ଜୈବିକ କୃଷିକୁ ଅନୁସରଣ କରି ଉପଯୋଗ ହୋଇଥାଏ । ଜୈବିକ ଉପାୟରେ ରୋଗପୋକ ଦମନ କରାଯିବା ସହ ବିଭିନ୍ନ ପ୍ରକାର ଜୈବିକ ଖତ,ଜିଆଖତ,ଜୀବାମୃତ,ବୀଜାମୃତ,ଅମୃତପାଣି ପ୍ରମୁଖ ବ୍ୟବହାର କରାଯାଇଥାଏ।
ପ୍ରାକୃତିକ କୃଷିର ଏ ସଫଳ ଚିନ୍ତା ଓ ଚେତନାର ପରିପ୍ରକାଶ ଯଦି ଆମ ଚାଷ ଜମିରେ ହୋଇପାରିଲା , ତେବେ ସମ୍ଭବତଃ ଏ ରାସାୟନିକ ସାରର ପ୍ରୟୋଗ ସମ୍ପୂର୍ଣ୍ଣ ମାତ୍ରାରେ କମ୍ ହୋଇପାରନ୍ତା । ପ୍ରାକୃତିକ କୃଷିର ମୂଳ ଲକ୍ଷ୍ୟ ପୂରଣ ହୋଇପାରନ୍ତା । ଏହାର ଗାଥାକୁ ସବୁ ଚାଷୀଭାଇଙ୍କ ପାଖରେ ପହଞ୍ଚାଇ ଶ୍ୟାମଳ ଜମିରୁ ସୁବର୍ଣ୍ଣ ଫଳେଇବାର ପ୍ରୟାସ କରାଯିବା ଆବଶ୍ୟକ । ପୂର୍ବରୁ ଯେପରି ସବୁଜିମାର ବଳୟ ଭିତରେ ଆମ ଚାଷଜମି ଆଚ୍ଛାଦିତ ହୋଇ ରହୁଥିଲା , ବର୍ତ୍ତମାନ ବି ସମୟ ଆସିଛି ପୁଣି ଥରେ ସେ ଦିନକୁ ଫେରିଯିବା । ତାହେଲେ ଯାଇ ପୁଣି ଆମ ଚାଷ ଜମିରେ ସେ ସବୁଜିମା କଥା କହିବ ।
କୃଷି ସ୍ନାତକୋତ୍ତର ,ମୃତ୍ତିକା
ବିଜ୍ଞାନ ,ସୋଆ , ଭୁବନେଶ୍ୱର , ମୋ-
୯୪୩୮୪୬୭୦୭୯
Comments are closed.