ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଅନେକ ସମୟ ବିତି ଯାଇଥିଲା ସରମାଙ୍କ ନିକଟରେ। ସନ୍ଧ୍ୟା ଆଗତପ୍ରାୟ। ସୁଲୋଚନାଙ୍କର ଅତିଶୟ ଆଗ୍ରହ ଦେଖି ସରମା ତାଙ୍କୁ ରାବଣ ଅତୀତରେ ପ୍ରାପ୍ତ ହୋଇଥିବା ଅଭିଶାପ ବିଷୟରେ ଶୁଣାଉଥିଲେ। ଏହି ସମୟରେ ସୁଲୋଚନାଙ୍କର ଦାସୀ ଆସି ଜଣେଇଲେ ଯେ ଇନ୍ଦ୍ରଜିତ ଅତ୍ୟନ୍ତ କ୍ରୋଧିତ ଅବସ୍ଥାରେ ରାଜ ଦରବାରରୁ ଫେରିଛନ୍ତି । ସୁଲୋଚନା ନିଜ ପ୍ରାସାଦକୁ ଫେରିଯିବା ପାଇଁ ବାହାରିଲେ। ସରମାଙ୍କୁ କହିଦେଇ ଗଲେ ବାକି କାହାଣୀ ପରେ ଆସି ଶୁଣିବେ।
କ୍ରୋଧରେ ଚକ୍ଷୁ ରକ୍ତବର୍ଣ୍ଣ। ଅସ୍ତ୍ୟବ୍ୟସ୍ତ କେଶ। କକ୍ଷ ମଧ୍ୟରେ ଅସ୍ଥିର ପଦଚାରଣ କରୁଥାନ୍ତି ଇନ୍ଦ୍ରଜିତ। ସ୍ୱାମୀଙ୍କୁ ଏପରି ଅବସ୍ଥାରେ ଦେଖି ଭୟ ପାଇଗଲେ ସୁଲୋଚନା। ନିଶ୍ଚୟ କିଛି ଗୋଟାଏ ଅଘଟଣ ଘଟିଛି ! ସୁଲୋଚନା ଧୀରେ ଆସି ତାଙ୍କ ହସ୍ତ ଧରି ପଲଙ୍କରେ ନେଇ ବସାଇଦେଲେ। ସ୍ନେହରେ ତାଙ୍କ ମସ୍ତକରେ ହସ୍ତ ସଞ୍ଚାଳନ କଲେ।
ଝର ଝର ଅଶ୍ରୁ ଝରି ଆସିଲା ମେଘନାଦଙ୍କର ନୟନରୁ। ସୁଲୋଚନାଙ୍କୁ ଜଡ଼ାଇ ଧରି କ୍ରନ୍ଦନ କରିବାକୁ ଲାଗିଲେ। ପୁରୁଷ ଯେତେ ବଡ଼ ଦାମ୍ଭିକ ହେଲେ ମଧ୍ୟ ପ୍ରିୟତମା ନାରୀଟି ନିକଟରେ ଦୁର୍ବଳ ହୋଇପଡ଼େ। ସାମାନ୍ୟ ଆଶ୍ୱାସନା ପାଇଲେ ମହମ ପରି ତରଳିଯାଏ।
ବିସ୍ମିତା ସୁଲୋଚନା। ତାଙ୍କ ପରି ବୀରପୁରୁଷଙ୍କର ନୟନରେ ପୁଣି ଅଶ୍ରୁ !! ହୃଦୟ ବିଦାରି ହୋଇଗଲା। ପ୍ରିୟ ନୟନର ଅଶ୍ରୁ କିପରି ବା ସହ୍ୟ କରିପାରେ ଜଣେ ନାରୀ ! କିଛି ବି ପ୍ରଶ୍ନ କଲେନାହିଁ। ସେ ଭଲ ଭାବରେ ଜାଣନ୍ତି ଏପରି ସମୟରେ କିଛି କ୍ଷଣ ନିରବ ରହିବା ଉଚିତ ହେବ।
ପତ୍ନୀଙ୍କର ସ୍ନେହସ୍ପର୍ଶ କେତେକାଂଶରେ ଶକ୍ତି ଦେଲା ଇନ୍ଦ୍ରଜିତଙ୍କୁ। ସେ ଅତିଶୟ ଭାଙ୍ଗିପଡ଼ି କହିଲେ, ” କନିଷ୍ଠ ଭ୍ରାତା ବୀର ଅକ୍ଷୟ କୁମାରଙ୍କର ମୃତ୍ୟୁ ହୋଇଛି। ”
କ୍ରମଶଃ…
Comments are closed.