ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବେ ଶିବସେନା ଦଳର ଉଦ୍ଧବ ଠାକରେଙ୍କ ଦଳର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ବୋଲି କହିଛି। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆସ୍ଥା ଭୋଟ୍ ସମୟରେ ହ୍ୱିପ ଉଲ୍ଲଂଘନ କରିଥିବା ଉଦ୍ଧବ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ସିନ୍ଦେ ଗୋଷ୍ଠୀର ମୁଖ୍ୟ ସଚେତକ ଭରତ ଗୋଗୱାଲେ । ସୋମବାର ସେ ଏହି ବିଜ୍ଞପ୍ତି ଜାରି କରିଛନ୍ତି।
ତେବେ ଯେଉଁ ବିଧାୟକଙ୍କୁ ଅଯୋଗ୍ୟ କରିବାକୁ ତାଲିକା ପ୍ରକାଶ କରିଛନ୍ତି ସେଥିରେ ପୂର୍ବତନ ମନ୍ତ୍ରୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାମ ନାହିଁ ବୋଲି ସେ କହିଛନ୍ତି। ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କୁ ସେ ସମ୍ମାନ କରନ୍ତି ତେଣୁ ତାଙ୍କ ନାତିଙ୍କ ନାମ ତାଲିକାରେ ନାହିଁ।
ଏହି ପ୍ରସଙ୍ଗରେ ସିନ୍ଦେ ନିଷ୍ପତ୍ତି ନେବେ ବୋଲି ଗୋଗୱାଲେ କହିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ “ବାଲାସାହେବ ଠାକରେଙ୍କୁ ସମ୍ମାନ ଜଣାଇ ଆମେ (ଆଦିତ୍ୟ ଠାକରେଙ୍କ) ନାମ (ଅଯୋଗ୍ୟତା ପାଇଁ) ଦେଇନାହୁଁ। ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତ୍ତି ନେବେ।”
ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନର ଶେଷ ଦିନ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୃହରେ ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ। ୨୮୮ ବିଧାନସଭା ଆସନରୁ ୧୬୪ ଜଣ ବିଧାୟକ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରକୁ ସମର୍ଥନ ତରିଥିବା ବେଳେ ୯୯ ଜଣ ବିଧାୟକ ସିନ୍ଦେ ଗୋଷ୍ଠୀ ବିରୋଧରେ ଭୋଟ୍ ଦେଇଥିଲେ। ତିନିଜଣ ବିଧାୟକ ମତଦାନରୁ ନିବୃତ୍ତ ହୋଇଥିବାବେଳେ କଂଗ୍ରେସର ଅଶୋକ ଚହ୍ୱାନ ଏବଂ ବିଜୟ ୱାଡେଟିୱାରଙ୍କ ସମେତ ୨୦ ଜଣ ବିଧାୟକ ଆସ୍ଥା ଭୋଟ୍ ସମୟରେ ଅନୁପସ୍ଥିତ ଥିଲେ। ସେହିପରି କଂଗ୍ରେସର ଅନେକ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ।
Comments are closed.