Latest Odisha News

ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠା​‌ରେ ଅବସ୍ଥିତ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କାର୍ଯ୍ୟରତ କର୍ମଚାରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଅନୁଷ୍ଠାନର ସଂପାଦକ କେ. ଆନନ୍ଦ ରାଓଙ୍କ ବିରୋଧରେ କାର୍ଯ୍ୟରତ ଶିକ୍ଷକ, କେୟାରଟେକର ଏବଂ ଅନ୍ୟ କର୍ମଚାରୀମାନେ ଏହି ଅଭିଯୋଗ ଆଣିଛନ୍ତି ।

କର୍ମଚାରୀଙ୍କ ଠାରୁ ଲିଖିତ ଅଭିଯୋଗ ମିଳିବା ପରେ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସଂପାଦକ ଆନନ୍ଦଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟ ପରିସରରେ ସୋମବାର ଅଭିଯୋଗ ଶୁଣାଣି ଶିବିର ଚାଲିଥିଲା । ଏହି ଶିବିରରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଶିବିରରେ ‘ସମର୍ଥ’ର କେତେକ କର୍ମଚାରୀ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ୮ଜଣ ପୁରୁଷ କର୍ମଚାରୀ ଥିଲେ। ଅଭିଯୋଗରେ ଉଲ୍ଲେଖ ଥିଲା ଯେ, ଜଣେ ମହିଳା କର୍ମଚାରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ସଂପାଦକ ଆନନ୍ଦ ବାଧ୍ୟ କରୁଛନ୍ତି। ଅନ୍ୟମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି। ସେହିଭଳି ସଂପାଦକ ଆନନ୍ଦଙ୍କ ବିରୋଧରେ ଆହୁରି ଅନେକ ପ୍ରକାର ଅଭିଯୋଗ ଦାଖଲ କରିଥିଲେ ।

ଅଭିଯୋଗ ଶୁଣିବା ପରେ ଏହାକୁ ଗୁରୁତର ସହ ନେଇ ଛତ୍ରପୁର ଥାନାରେ ଏତଲା ଦେବାକୁ ଜିଲାପାଳ ପରିଡ଼ା ପରାମର୍ଶ ଦେଇଥିଲେ । କର୍ମଚାରୀମାନେ ପ୍ରମାଣ ସହ ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ଛତ୍ରପୁର ଥାନାରେ ୩୭୨/୨୨ରେ ଏକ ମାମଲା ରୁଜୁ କରାଯାଇଥିଲା ।

ସୋମବାର ଅପରାହ୍ନରେ ପୁଲିସ ସମ୍ପାଦକଙ୍କୁ ଥାନାକୁ ଡାକିଥିଲା, ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପଚରାଉଚୁରା କରିଛନ୍ତି । ତେବେ ଆନନ୍ଦ ଜଣେ ଦିବ୍ୟାଙ୍ଗ ହୋଇଥିବା ଯୋଗୁ ରାତିରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

ଅପରପକ୍ଷେ ଅଭିଯୋଗର ତଦନ୍ତ ପାଇଁ ଜିଲା ପ୍ରଶାସନ ଏକ ସ୍ପେଶାଲ ଟିମ୍‌ ଗଠନ କରିଛି । ଅତିରିକ୍ତ ଜିଲାପାଳଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ପୁଲିସ ୧୦ଜଣଙ୍କ ବୟାନ ରେକର୍ଡ କରିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଦୁଇ ଜଣଙ୍କ ବୟାନ ରେକର୍ଡ କରାଯାଇଛି ।

ଅପରପକ୍ଷେ ମଙ୍ଗଳବାର ମଧ୍ୟ କେତେକ କର୍ମଚାରୀ ଛତ୍ରପୁର ଥାନାରେ ପହଞ୍ଚି ଅଭିଯୋଗ ଦାଖଲ କରିଛନ୍ତି । ପୁଲିସ ସମସ୍ତ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଚଲାଇଥିବା ସୂଚନା ମିଳିଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପାଦକ ଆନନ୍ଦ। ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେଇ ସେ କହିଛନ୍ତି ଯେ, ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିଛି । ପୂର୍ବରୁ ମଧ୍ୟ କେତେକ ଶିକ୍ଷକ ଈର୍ଷା ପରାୟଣ ହୋଇ ଅଭିଯୋଗ କରିଛନ୍ତି। ହେଲେ ତଦନ୍ତ ବେଳେ ଅଭିଯୋଗର କୌଣସି ପ୍ରମାଣ ମିଳିନାହିଁ ବୋଲି ସେ କହିଛନ୍ତି।

Comments are closed.