ନୂଆଦିଲ୍ଲୀ: ଦେଶର ଅବସରପ୍ରାପ୍ତ ବିଚାରପତି ଏବଂ ଆଇଏଏସର ଏକ ଗୋଷ୍ଠୀ ନିଲମ୍ବିତ ବିଜେପି ସଦସ୍ୟ ନୂପୁର ଶର୍ମାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ସମାଲୋଚନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ଟିପ୍ପଣୀ କରିବା ବେଳେ “ଲକ୍ଷ୍ମଣ ରେଖା”କୁ ଅତିକ୍ରମ କରିଛନ୍ତି ଏବଂ “ତତ୍କାଳୀନ ସଂଶୋଧନ” ପଦକ୍ଷେପ ନେବାକୁ କହିଛନ୍ତି ଏହି ବୁଦ୍ଧିଜୀବୀ ଗୋଷ୍ଠୀ।
୧୫ ଜଣ ପୂର୍ବତନ ବିଚାରପତି, ୭୭ ଜଣ ପୂର୍ବତନ ଆଇଏଏସ ଏବଂ ଅନ୍ୟାନ୍ୟ ୨୫ ଜଣ ନିଜର ଦସ୍ତଖତ ସମ୍ବଳିତ ଏକ ବିବୃତ୍ତି ଜାରି କହିଛନ୍ତି ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶର ସୁରକ୍ଷା ଉପରେ ଏହାର ସମ୍ଭାବ୍ୟ ଗୁରୁତର ପରିଣାମ ଥିବାରୁ ତୁରନ୍ତ ସଂଶୋଧନ ପଦକ୍ଷେପ ନିଆଯିବା ଦରକାର।
ଯେଉଁମାନେ ଏପରି ବିବୃତ୍ତି ଜାରି କରିଛନ୍ତି ସେମାନଙ୍କ ମଧ୍ୟରେ ବମ୍ବେ, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ରହିଛନ୍ତି। ଏହି ବିବୃତ୍ତିରେ ଦସ୍ତଖତ କରି କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ନ୍ୟାୟିକ ବ୍ୟବସ୍ଥା ସହିତ ମେଳ ଖାଉନାହିଁ।
ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ଜୁଲାଇ ୧ରେ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଥିଲେ । ଏଭଳି ଏକ ବିବାଦୀୟ ମନ୍ତବ୍ୟ ପାଇଁ ସାରା ଦେଶରେ ଯାହା ହେଉଛି ସେଥିପାଇଁ ସେ ଏକାକୀ ଦାୟୀ ବୋଲି କହିଥିଲେ ।
ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ଦାଖଲ ହୋଇଛି। ତେବେ ଦିଲ୍ଲୀ ବାହାରକୁ ଗଲେ ବିପଦ ରହିଛି ବୋଲି ଦର୍ଶାଇ ନୂପୁର ସୁୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତରଣ ପାଇଁ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ଖଣ୍ଡପୀଠ ଖାରଜ କରିଦେଇଥିଲେ।
ତେବେ ସୁପ୍ରିମକୋର୍ଟର ଦୁଇ ବିଚାରପତି ଏହାକୁ ଖାରଜ କରିବା ଏବଂ ଯେଉଁଭଳି ଟିପ୍ପଣୀ କରିଛନ୍ତି ତାହା ଆବେଦନ ହୋଇଥିବା ମାମଲା ସହିତ ଜ଼ଡିତ ନୁହେଁ ବା ପ୍ରାସଙ୍ଗିକ ରଖୁନି ବୋଲି ପୂର୍ବତନ ବିଚାରପତି ଏବଂ ଆଇଏଏସ ବବିୃତ୍ତି ଜାରି କରି କହିଛି । ଏପରି କରି ସୁପ୍ରିମକୋର୍ଟର ଖଣ୍ଡପୀଠ ଜଣେ ବ୍ୟକ୍ତିକୁ ନ୍ୟାୟିକ ଅଧିକାର ପାଇବାରୁ ବଞ୍ଚିତ କରିଛନ୍ତି। ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ଲକ୍ଷ୍ମଣ ରେଖାକୁ ଅତିକ୍ରମ କରୁଛି । ଯେଉଁଥିପାଇଁ ଏକ ଖୋଲା ବିବୃତି ଜାରି କରିବାକୁ ବାଧ୍ୟ ହୋଇଛି ବୋଲି ଅବସରପ୍ରାପ୍ତ ବିଚାରପତି, ଆଇଏଏସ ଲେଖିଛନ୍ତି। ଖଣ୍ଡପୀଠଙ୍କ ମନ୍ତବ୍ୟ ‘ଦୁର୍ଭାଗ୍ୟଜନକ ଓ ଅଭୂତପୂର୍ବ’ ବୋଲି ଏହି ଗୋଷ୍ଠୀ କହିଛନ୍ତି।
Comments are closed.