Latest Odisha News

BREAKING NEWS

ସିନ୍ଦେ ଭୟ: ଲୋକସଭାରେ ମୁଖ୍ୟ ସଚେତକ ବଦଳାଇ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍ ଦେଲା ଉଦ୍ଧବ ନେତୃତ୍ୱାଧୀନ ଶିବସେନା ?

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବୁଧବାର ଲୋକସଭାରେ ସାଂସଦ ଭାବନା ଗଓ୍ୱାଲିଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ମନୋନୀତ କରିଛି । ସାଂସଦ ସଞ୍ଜୟ ରାଉତ ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ରାଉତ ହେଉଛନ୍ତି ଶିବସେନା ସଂସଦୀୟ ଦଳର ନେତା।

ପୂର୍ବ ମହାରାଷ୍ଟ୍ରର ୟବତମାଲ-ଓ୍ୱାଶିମ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଗଓ୍ୱାଲି ଏକନାଥ ସିନ୍ଦେଙ୍କ କ୍ୟାମ୍ପର ବୋଲି ସୂଚନା ରହିଛି । ବିଦ୍ରୋହ ବେଳେ ବିଜେପି ସହ ମେଣ୍ଟ କରିବାକୁ ପରାମର୍ଶ ଦେଉଥିବା ଶିବସେନା ସାଂସଦମାନଙ୍କ ମଧ୍ୟରୁ ଜଣେ ଥିଲେ। ବିଚାରେ ଥାନେ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି। ଅନ୍ୟପଟେ ନବନିଯୁକ୍ତ ମୁଖ୍ୟ ସଚେତକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଥାନେ ଲୋକସଭାର ସାଂସଦ।

ଲୋକସଭାରେ ଶିବସେନାର ୧୮ ଜଣ ସାଂସଦ ଥିବାବେଳେ ରାଜ୍ୟସଭାରେ ତିନି ଜଣ ସାଂସଦ ରହିଛନ୍ତି। ମଙ୍ଗଳବାର ଶିବସେନାର ବିଦ୍ରୋହୀ ବିଧାୟକ ଗୁଲାବରାଓ ପାଟିଲ ଦାବି କରିଥିଲେ ଯେ ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଖୁବ୍ ଶୀଘ୍ର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀରେ ସାମିଲ ହେବେ।

ଏହାର ଗୋଟିଏ ଦିନ ପୂର୍ବରୁ ଶିବସେନା ଲୋକସଭା ସଦସ୍ୟ ରାହୁଲ ଶେବାଲେ ଉଦ୍ଧବ ଠାକରେଙ୍କୁ ଅନୁରୋଧ କରିଥିଲେ ଯେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଆଦିବାସୀ ମୂଳ ଏବଂ ସାମାଜିକ କ୍ଷେତ୍ରରେ ଯୋଗଦାନକୁ ଦୃଷ୍ଟିରେ ରଖି ତାଙ୍କୁ ସମର୍ଥନ କରିବାକୁ ଦଳର ସାଂସଦମାନଙ୍କୁ କୁହନ୍ତୁ।

ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାର ଭାଙ୍ଗିବା ଏବଂ ଏକନାଥ ସିନ୍ଦେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ହ୍ୱିପ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଧାନସଭାର ବାଚସ୍ପତି ନିର୍ବାଚନ ଓ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରଙ୍କ ଆସ୍ଥା ଭୋଟ୍ ସମୟରେ ସିନ୍ଦେ ଓ ଠାକରେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଭୋଟ୍ ପାଇଁ ହ୍ୱିପ୍ ଜାରି କରିଥିଲେ। ପରେ ହ୍ୱିପର ବୈଧତାକୁ ନେଇ ପରସ୍ପର ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିଲା।

Comments are closed.