Latest Odisha News

କବିତା : ରଥ ଦଉଡ଼ିରୁ ହାତେ

ରାଜ କିଶୋର ଦାସ

ବଡ଼ ଦାଣ୍ଡରେ ଛିଡ଼ା ହୋଇ
ଯିଏ ଯାହା ଯେତେ ମାଗୁ ପଛେ
ଜଗା,
ମୁଁ ମାଗୁଛି ତୋ
ରଥ ଦୌଉଡ଼ିରୁ ହାତେ !

ମୁଁ ଜାଣିଛି
ତୋ ଦଉଡ଼ିରେ ଚୁମ୍ବକ ଅଛି
ଟାଣି ନେଉଛି କୋଟି କୋଟି ହାତକୁ
ଚୁମ୍ବକୀୟ ଶକ୍ତିରେ
ଜାତି ଅଜାତି, ଉଚ୍ଚନୀଚର
ଭେଦ ଭାବ ନାହିଁ,
ସ୍ନେହ ପ୍ରେମର ଏକ ଅଛିଣ୍ଡା ଡୋର।

ଜାଣୁ !
ମୋର ବି ଏକ ସମ୍ପର୍କର ଡୋର ଅଛି
ହେଲେ ଚୁମ୍ବକ ନାହିଁ
ଅନେକ ବାର ଛିଣ୍ଡି ଯାଇଛି
କେଉଁ ଅଜଣା ‘ଝଡ଼’ର ଶକ୍ତ ଧକ୍କାରେ
ଫାଳ ଫାଳ ହୋଇ
ଉଡ଼ି ଯାଉଛି ଆଲବମରୁ
ଚିହ୍ନା ମୁହଁର ଫଟୋ ସବୁ
ନୂଆ ନୂଆ ଠିକଣା ଖୋଜି।

ତୋ ମୁହଁର ମୁରୁକି ହସରୁ
ମୁଁ ଜାଣିଛି- ତୁ ମତେ ନିଶ୍ଚେ ଦେବୁ
ତୋ ରଥ ଦଉଡ଼ିରୁ ହାତେ !
ଟାଣି ନେବା ପାଇଁ
ଆତ୍ମୀୟତାର ରଥ
ଆଡ଼ପ ଘରକୁ ନୁହେଁ
ସ୍ୱର୍ଗ ଦୁଆର ଯାଏଁ।

Comments are closed.