Latest Odisha News

BREAKING NEWS

ପାଣିରେ ବୁଡ଼ିଲା ସ୍କୁଲ ବସ୍, ୩୦ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର

ହାଇଦ୍ରାବାଦ: ନାଳ ପାଣିରେ ଛାତ୍ରଛାତ୍ରୀ । ତେଲେଙ୍ଗାନାର ମହବୁବନଗରରେ ଉଛୁଳା ନାଳ ପାଣିରେ ସ୍କୁଲ ବସ୍ ପଶି ଯାଇଥିଲା। ଏହାପରେ ୩୦ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବସରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ପିଲାଙ୍କୁ ଉଦ୍ଧାର କରିଥିଲେ। ପରେ ବସ୍‌କୁ ପାଣି ଭିତରୁ ଟାଣି ଅଣାଯାଇଥିଲା।

ବନ୍ୟାପାଣି ପୋଲ ତଳେ ପ୍ରବାହିତ ହେଉଥିବାରୁ ୩୦ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍ ଆଂଶିକ ଭାବରେ ବୁଡ଼ି ଯାଇଥିଲା  ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଅଘଟଣ ଘଟିବା ପୂର୍ବରୁ ଡ୍ରାଇଭର ଏବଂ ସ୍ଥାନୀୟ ଲୋକମାନେ ସ୍କୁଲ ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଥିଲେ।

ଶୁକ୍ରବାର ସକାଳେ ତେଲେଙ୍ଗାନାରେ ପ୍ରବଳ ବର୍ଷା ହୋଇଛି। ତେଣୁ ବିଭିନ୍ନ ନାଳ ଏବଂ ଖାଲଖମାରେ ଏବେ ବର୍ଷା ପାଣି ଜମିରହି ଉଛୁଳା ହୋଇ ରହିଛି। ଜଳସ୍ତର ବୃଦ୍ଧି ହୋଇଥିବା ଯୋଗୁଁ ସ୍କୁଲ ବସ୍ ଓଭର ବ୍ରିଜ ପାର ହେଉଥିବା ବେଳେ ହଠାତ୍ ବନ୍ୟା ପାଣି ଭିତରେ ଫସି ହୋଇଯାଇଥିଲା। ଏହାପରେ ବସ୍‌ରେ ଫସି ରହିଥିବା ସ୍କୁଲ ପିଲା ଚିତ୍କାର କରିଥିଲେ। ବସ୍ ବନ୍ୟା ପାଣିରେ ବୁଡ଼ି ଯାଇଥିବାର ଦେଖି ସ୍ଥାନୀୟ ଲୋକମାନେ ଦୌଡି ଆସିଥିଲେ। ଏହାପରେ ପିଲାଙ୍କୁ ସୁରକ୍ଷିତ ଭାବେ ଶୁଖିଲା ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁଁ ଏପରି ବର୍ଷା ହେଉଥିବା ସୂଚନା ରହିଛି।

Comments are closed.