ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ରାମଙ୍କ ନାମ ଶ୍ରବଣ କରି ହନୁମାନ ସେଠାରେ ଅଟକିଗଲେ। ମୁନି ବେଶଧାରୀ କାଳନେମି ତାଙ୍କୁ କହିଲା, ସେ ଦିବ୍ୟଦ୍ରଷ୍ଟା। ଆଗତ ଭବିଷ୍ୟତ ସବୁ ଜାଣି ପାରନ୍ତି। ଆଗାମୀ ଦିନରେ ରାମ ରାବଣ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ ଏବଂ ରାମ ଜିତିବେ। ପୁଷ୍କରିଣୀରେ ସ୍ନାନ ସାରି ଆସିବା ପରେ ସେ’ ତାଙ୍କୁ ମନ୍ତ୍ର ଦୀକ୍ଷା ଦେବେ ବୋଲି କହିଲା।
ହନୁମାନ ସ୍ନାନ ପାଇଁ ପୁଷ୍କରିଣୀ ଜଳରେ ପ୍ରବେଶ କରିବା ମାତ୍ରେ ଏକ ମଗରୀ ତାଙ୍କୁ ଆକ୍ରମଣ କଲା। ସେ ତା’ର ବଧ କରିବା ମାତ୍ରେ ସଙ୍ଗେ ସଙ୍ଗେ ସେଠାରେ ଏକ ଦିବ୍ୟ ଅପ୍ସରା ଆବିର୍ଭୁତା ହୋଇ କହିଲେ, ହେ ବାନରଶ୍ରେଷ୍ଠ ! ଆପଣଙ୍କ ଦର୍ଶନ ମାତ୍ରକେ ମୁଁ ପାପରହିତା ହେଲି। ଦୁଷ୍ଟ ନିଶାଚର ସାଧୁ ବେଶରେ ତୁମର ବଧ ଉଦ୍ଦେଶ୍ୟରେ ଅପେକ୍ଷା କରି ବସି ରହିଛି। ”
ଏହିପରି କହି ଅପ୍ସରା ଉଡ଼ିଗଲା। କାଳନେମି ସହ ହନୁମାନଙ୍କର ଭୟଙ୍କର ଯୁଦ୍ଧ ହେଲା। ମୃତ୍ୟୁ ସମୟରେ ରାକ୍ଷସ ‘ ରାମ ‘ ନାମ ଉଚ୍ଚାରଣ କରି ମୋକ୍ଷପ୍ରାପ୍ତ ହେଲା।
ଗନ୍ଧମାର୍ଦ୍ଦନ ପର୍ବତ ଉପରେ ସଂଜୀବନୀ ବୁଟିର ଅନ୍ୱେଷଣ କରିବା ସମୟସାପେକ୍ଷ। ନାନା ରକମର ପ୍ରକାଶରେ ଉଦ୍ଭାସିତ କେଉଁ ଗୁଳ୍ମ ବା ଲତା ସଂଜୀବନୀ ହୋଇପାରେ କିପରି ଜାଣିବେ! ଚିନ୍ତା କରିବାକୁ ଆଉ ସମୟ ନାହିଁ ହନୁମାନଙ୍କ ନିକଟରେ। ସେପଟେ ଶକ୍ତିବାଣର ଆଘାତରେ ଲକ୍ଷ୍ମଣ ଚେତାଶୂନ୍ୟ ହୋଇ ପଡ଼ି ରହିଛନ୍ତି। ନା… ଆଉ ନୁହେଁ.. ସମଗ୍ର ପର୍ବତଟିକୁ ଉଠାଇ ନେଇ ଲଙ୍କା ଅଭିମୁଖେ ବାହାରି ପଡିଲେ ହନୁମାନ।
କ୍ରମଶଃ…..
Comments are closed.