Latest Odisha News

ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ ସରକାର ସହ ଭାରତର ସମ୍ପର୍କ ପୂର୍ବଭଳି ନାହିଁ। ତଥାପି ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି।

ବ୍ରସେଲ୍ସସ୍ଥିତ ନ୍ୟୁଜ୍ ଓ୍ୱେବସାଇଟ୍ ୟୁରୋପିଆନ୍ ୟୁନିଅନ୍ ରିପୋର୍ଟର କହିଛି ଯେ ଏହି ସର୍ଭେରେ ଆଫଗାନିସ୍ତାନବାସୀଙ୍କୁ ସେମାନଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ସେମାନେ ଭାରତକୁ ସବୁଠାରୁ ଭଲ ବନ୍ଧୁ ବୋଲି କହିଛନ୍ତି। ସର୍ଭେ ଅନୁୟାୟୀ ୬୭ ପ୍ରତିଶତ ଆଫଗାନୀସ୍ତାନବାସୀଙ୍କ ମତରେ ଆମେରିକା ବିନା ଯୋଜନାରେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ଦ୍ୱାରା ଏପରି ଅଡୁଆ ସୃଷ୍ଟି ହୋଇଥିଲା।

ଆମେରିକାର ଭୁଲ୍ ଟାଇମିଂ ଏବଂ ଆଫଗାନିସ୍ତାନରୁ ହଠାତ୍ ବିଦାୟ ନେବା କାରଣରୁ ପାକିସ୍ତାନ ଓ ଚୀନ ପାଇଁ ସୁଯୋଗ ସୃଷ୍ଟି ହେଲା ବୋଲି ସେମାନେ କହିଛନ୍ତି। ଉଭୟ ଦେଶ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚୀନକୁ ଉତ୍ସାହିତ କରିଥିଲେ। ଆଫଗାନିସ୍ତାନରେ ଭାରତର ଗଭୀର ରଣନୈତିକ ସ୍ୱାର୍ଥ ରହିଛି ଏବଂ ଭାରତ ବ୍ୟାପକ ପୁଞ୍ଜିନିବେଶ କରିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଦୁର୍ବଳ କରିବା ପାଇଁ ପାକିସ୍ତାନ ପକ୍ଷରୁ ଅନେକ ଥର ଉଦ୍ୟମ କରାଯାଇଥିଲେ ମଧ୍ୟ ବିଶେଷ କିଛି ଫରକ ପଡିନାହିଁ। ଏପରିକି ଆଫଗାନିସ୍ତାନର ତାଲିବାନ ମଧ୍ୟ ଭାରତକୁ ସମ୍ପର୍କ ସୁଧାରିବା ପାଇଁ ଆହ୍ୱାନ ଦେଇଛି।

ଆଫଗାନିସ୍ତାନକୁ ସହାୟତା ଦେବାରେ ଭାରତ ୫ମ ସ୍ଥାନରେ ରହିଛି। ଭାରତ ଆଫଗାନିସ୍ତାନକୁ ୩ ବିଲିୟନ ଡଲାର ସହାୟତା ପ୍ରଦାନ କରିଛି। ଆଫଗାନିସ୍ତାନରେ ମେଡିକାଲ ଷ୍ଟାଫ୍ ଓ ଖାଦ୍ୟଶସ୍ୟ ସମେତ ଭିତ୍ତିଭୂମି ବିକାଶରେ ଭାରତ ସହାୟତା କରିଛି। କେବଳ ସେତିକି ନୁହେଁ, ନିକଟରେ ଉପହାର ଦିଆଯାଇଥିବା ଆଫଗାନିସ୍ତାନର ନୂଆ ସଂସଦକୁ ମଧ୍ୟ ଭାରତ ପ୍ରସ୍ତୁତ କରିଛି।

ସେହିପରି ବହୁ ସଂଖ୍ୟାରେ ଆଫଗାନ ନାଗରିକଙ୍କ ଚିକିତ୍ସା ଭାରତ କରି ଆସୁଛି। ଭାରତୀୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ଆଫଗାନିସ୍ଥାନୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଡେରାଡୁନସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ମଧ୍ୟ ଆଫଗାନ ନାଗିରକ ପ୍ରଶିକ୍ଷଣ ନେଉଛନ୍ତି। ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ମଧ୍ୟ ଭାରତ ବିପୁଳ ପରିମାଣର ସହାୟତା ପଠାଇଛି। ଭାରତରୁ ଆଫଗାନିସ୍ତାନକୁ ବିପୁଳ ପରିମାଣର ଗହମ ପଠାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଫଗାନମାନେ ମଧ୍ୟ ପୂର୍ବ ସରକାର ଗୁଡ଼ିକ ବିଷୟରେ ମତ ପ୍ରକାଶ କରିଛନ୍ତି। ୭୮ ପ୍ରତିଶତ ଲୋକ କହିଛନ୍ତି ଯେ, ପୂର୍ବ ସରକାର ମଧ୍ୟ ଦୁର୍ନୀତିଗ୍ରସ୍ତ ଏବଂ ବିଦେଶୀ ସହାୟତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସର୍ଭେରେ ଭାଗ ନେଇଥିବା ୭୨ ପ୍ରତିଶତ ଲୋକ କହିଛନ୍ତି ଯେ ସ୍ଥାନୀୟ ନେତାଙ୍କ ଦୁର୍ନୀତି ଯୋଗୁଁ ତାଲିବାନ ଦେଶକୁ ନିଜ ନିୟନ୍ତ୍ରଣକୁ ନେବାରେ ସକ୍ଷମ ହୋଇଛି।

Leave A Reply

Your email address will not be published.