Latest Odisha News

BREAKING NEWS

କାରଗିଲ ବିଜୟ ଦିବସ। ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦିଲ୍ଲୀ : କାରଗିଲ ବିଜୟ ଦିବସର ସ୍ମରଣୀୟ ଦିନକୁ ହୋଇଛି ୨୩ ବର୍ଷ । ମନେ ପଡିଯାଉଛି ସେହି ମହାଯୁଦ୍ଧର ପ୍ରତିଟି ଘଟଣା । ଦେଶର ଯବାନ୍ ଶତ୍ରୁକୁ ମାତ୍ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିଲେ । ଦେଶମାତୃକାର ସେବାରେ ବୀରଗତି ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଉଥିଲେ ଯବାନ୍ । ସାରା ଦେଶ ଆଜି ବି ସେହି ଯବାନଙ୍କ ବୀରଗାଥାକୁ ମନେପକାଇ ଆଖିରୁ ଲୁହ ଗଡାଉଛି ।

୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାରଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା । ୨୩ ବର୍ଷ ପରୁଣା ଏକ ଯୁଦ୍ଧ । ଶତ୍ରୁ କବ୍‌ଜାରେ ଥିଲା କାରଗିଲର ପାହାଡ଼ ।

ପାକିସ୍ତାନୀ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର । ରଣକ୍ଷେତ୍ର ପାଲଟିଥିଲା କାରଗିଲ ବକ୍ଷ । ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସେହି ପାହାଡିଆ ଉପତ୍ୟକା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ଯବାନ କେମିତି ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଦେଶର ସୁରକ୍ଷା ଲାଗି ଲଢୁଛନ୍ତି । ପାକିସ୍ତାନର ମୁଖା ଖୋଲିସାରିଥିଲା ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ କାରଗିଲରେ ଭାରତୀୟ ସେନାର କଡ଼ା ଜବାବରେ ଅସ୍ତବ୍ୟସ୍ତ ପାକିସ୍ତାନ ଅନ୍ତର୍ଜାତୀୟ ସହାୟତା ଲୋଡି ହତାସ ହୋଇଥିଲା ।

ବିମାନ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଥିଲେ ସରିଫ । ଶେଷରେ କାରଗିଲ ଖାଲି କରି ପଳାୟନ କରିଥିଲେ ପାକିସ୍ତାନୀ ସୈନ୍ୟ । ୧୯୯୯ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା ଅପରେସନ ବିଜୟ । ସେହି ଗୌରବମୟ ଦିନକୁ ଆଜି ପୂରିଛି ୨୩ବର୍ଷ । ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଦେଶ ପାଇଁ ଜୀବନ ଦେଇଥିଲେ ଓଡ଼ିଶାର ଅନେକ ଯବାନ । ବୀର ଯବାନମାନଙ୍କୁ ମନେ ପକାଇବା ପାଇଁ ତାଙ୍କର ବୀରଗାଥାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ୍ ବିଜୟ ଦିବସ ପାଳନ କରାଯାଏ ।

ଏ ହେଉଛି  କାହାଣୀ ଭାରତୀୟ ବୀର ଯବାନଙ୍କର ।  ଲହୁ ଢାଳି , ପ୍ରାଣ ଦେଇ ଶତ୍ରୁ ଠାରୁ ନିଜ ଦେଶକୁ ରକ୍ଷା କରିଥିବା ଅମର ଯବାନଙ୍କର ଦୁଃସାହସର କାହାଣୀ । ଆଜି ବି ସେମାନଙ୍କର ବଳିଦାନକୁ ଝୁରୁଛି ସାରା ଦେଶ, ଝୁରୁଛି ପ୍ରତିଟି ପ୍ରାଣ । ଆଜି କାରଗିଲ ବିଜୟ ଦିବସ ଉପଲେକ୍ଷେ ଦେଶ ଜଣାଉଛି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.