Latest Odisha News

BREAKING NEWS

ସର୍ଭେ ରିପୋର୍ଟ: ଦେଶରେ ସୁଧୁରୁଛି ୟୁପିଏର ସ୍ଥିତି, କମୁନି ଏନଡିଏର ପ୍ରଭାବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉପରଲିଖିତି ଶୀରିନୋମା ପଢିବାକୁ ଟିକିଏ ଅଡୁଆ ଲାଗିପାରେ । କାରଣ ବେରୋଜଗାରୀ, ମହଙ୍ଗା ଆଦି ବିଭିିନ୍ନ ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାର ଅଡୁଆରେ ରହିଛନ୍ତି । ଏପରି ସ୍ଥିତିରେ କିନ୍ତୁ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟିଭି’ ଚ୍ୟାନେଲ ଦ୍ୱାରା ହୋଇଥିବା ସର୍ଭେରୁ ଏପରି ଏକ ନିର୍ଯାସ ସାମ୍ନାକୁ ଆସିଛି।

ଏବେ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୫୪୩ ଲୋକସଭା ଆସନରୁ ୩୬୨ ଲୋକସଭା ଆସନରେ ବିଜୟୀ ହେବ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୯୭ଟି ଲୋକସଭା ଆସନରେ ବିଜୟୀ ହେବାକୁ ଥିବା ବେଳେ ଅନ୍ୟାନ୍ୟ ଆଞ୍ଚଳିକ ଦଳ ୮୪ଟି ଆସନ ଦଖଲ କରିବେ ବୋଲି ଆକଳନ ହୋଇଛି। ଅର୍ଥାତ୍ ମୋଟ୍ ଆସନରୁ ଏନଡିଏ ୪୧ ପ୍ରତିଶତ ଭୋଟ୍ ସେୟାର ରଖିବ, ୟୁପିଏ ୨୮ ପ୍ରତିଶତ ଏବଂ ଅନ୍ୟାନ୍ୟ ୩୧ ପ୍ରତିଶତ ବୋଲି ଜଣାପଡିଛି।

ଲୋକସଭା ନିର୍ବାଚନରେ ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶ ରହିଛି। ଏପରି ସ୍ଥିତି ଯିଏ କ୍ଷମତାରେ ରୁହେ ସେହି ଦଳ ଉତ୍ତର ପ୍ରଦେଶରେ ଅଧିକାଂଶ ଆସନ ନିଜ ଦଖଲରେ ରଖିଥାଏ। ତେଣୁ ଇଣ୍ଡିଆ ଟିଭିର ଏହି ସର୍ଭେ ରିପୋର୍ଟ କହୁଛି, ଏବେ ନିର୍ବାଚନ ହେଲେ ୮୦ ଲୋକସଭା ଆସନରୁ ଏନଡିଏ ୭୬ଟି ଆସନରେ ୟୁପିଏ ଏବଂ ଅନ୍ୟାନ୍ୟ ଦଳ ୨ଟି ଲେଖାଏଁ ଆସନରେ ବିଜୟୀ ହେବେ। ସେହିପରି ବିହାରରେ ୪୦ ଲୋକସଭା ଆସନରୁ ଏନଡିଏ ୩୫ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ୟୁପିଏ ୫ଟି ଆସନରେ ବିଜୟୀ ହୋଇପାରେ।

ଓଡ଼ିଶାରେ ମୋଟ୍ ୨୧ ଲୋକସଭା ଆସନରୁ ବିଜେଡି ୮ଟି, ବିଜେପି ନେତୃତ୍ୱାଧୀନ ଏନଡିଏ ୧୧ ଏବଂ ୟୁପିଏ ମାତ୍ର ୨ଟି ଆସନରେ ଜିତିବ ବୋଲି ଜଣାପଡିଛି।

ସେହିପରି ମହାରାଷ୍ଟ୍ରରେ ଏନଡିଏ ୪୮ ଲୋକସଭା ଆସନରୁ ୩୭ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ ଅଣ ବିଜେପି ୧୧ଟି ଆସନରେ ବିଜୟୀ ହୋଇପାରନ୍ତି।

ତାମିଲନାଡୁରେ କିନ୍ତୁ ୩୯ ଲୋକସଭା ଆସନରୁ ଶାସକ ଦଳ ତଥା ୟୁପିଏର ଅଂଶୀଦାର ଡିଏମକେ ୩୮ଟି ଆସନରେ ବିଜୟୀ ହେବା ବୋଲି ଜଣାପଡିଛି। କେରଳରେ କ୍ଷମତା ଆସନରେ ବସିଥିବା ଏଲଡିଏଫ ୨୦ଟି ଆସନରେ ଅଣି ବିଜେପି ଦଳ ବିଜୟୀ ହେବ ବୋଲି ଆକଳନ ହୋଇଛି।

ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନରୁ ଏନଡିଏ ୧୪, ୟୁପିଏ ୨ ଏବଂ ଟିଏମସି ୨୬ଟି ଆସନରେ ବିଜୟୀ ହେବ ବୋଲି ଜଣାପଡିଛି। ସେହିପରି ବିଭିନ୍ନ ରାଜ୍ୟର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ଏନଡିଏ ୩୦୩ ଲୋକସଭା ଆସନରେ ବିଜୟୀ ଲାଭ କରିଥିବା ବେଳେ ୟୁପିଏ ୫୨ ଆସନରେ ବିଜୟୀ ହୋଇଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଏନଡିଏ ୨୮୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୟୁପିଏ ୪୪ଟି ଆସନରେ ବିଜୟୀ ହୋଇଥିଲା। ଯଦି ଏବେର ଆକଳନକୁ ଦେଖିବା ତାହେଲେ ୨୦୧୯ ତୁଳନାରେ ଭଲ ପ୍ରଦର୍ଶନ କରିବ ଉଭୟ ଏନଡିଏ ଏବଂ ୟୁପିଏ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ୟୁପିଏ ଏବଂ ଏନଡିଏର ପ୍ରଦର୍ଶନ କିପରି ବଢିଲା ଯଦି ସର୍ଭେ ରିପୋର୍ଟକୁ ଅନୁଶୀଳନ କରାଯିବ ତାହେଲେ ଅନେକ ଆଞ୍ଚଳିକ ଦଳର ଭୋଟ୍ ବ୍ୟାଙ୍କ ଉଭୟ ଏନଡିଏ ଏବଂ ୟୁପିଏ ଆଡକୁ ଢଳୁଥିବା ଜଣାପଡିଛି।

ସେହିପରି ଏନଡିଏ ଭୋଟ୍ ବ୍ୟାଙ୍କ ବଢିବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବଢୁଥିବା ଲୋକପ୍ରିୟତା ବୋଲି ଜଣାପଡୁଛି। କାରଣ ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ପ୍ରତି ୪୮ ପ୍ରତିଶତ ସମର୍ଥନ ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ପ୍ରତି ୧୧ ପ୍ରତିଶତ, ମମତା ବାନାର୍ଜୀଙ୍କ ପ୍ରତି ୮ ପ୍ରତିଶତ, ସୋନିଆ ଗାନ୍ଧୀ ୭ ପ୍ରତିଶତ, ଶରଦ ପାଓ୍ୱାର ୬ ପ୍ରତିଶତ, ଅରବିନ୍ଦ କେଜ୍ରିଓ୍ୱାଲ ୫ ପ୍ରତିଶତ, ନୀତିଶ କୁମାର ୪ ପ୍ରତିଶତ, କେସିଆର ୩ ପ୍ରତିଶତ ଏବଂ ପ୍ରିୟଙ୍କା ଭାଦ୍ରା ୨ ପ୍ରତିଶତ ରହିଛି।

Leave A Reply

Your email address will not be published.