Latest Odisha News

BREAKING NEWS

ବ୍ୟାପୁଛି ଝାଡ଼ାବାନ୍ତି, ସୁବର୍ଣ୍ଣପୁରରେ ଜଣଙ୍କର ମୃତ୍ୟୁ; ଏକାଧିକ ଅସୁସ୍ଥ

ସୋନପୁର: ବର୍ଷା ଋତୁରେ ବ୍ୟାପୁଛି ଝାଡ଼ାବାନ୍ତି । ମୁଣ୍ଡ ନେଉଛି ଡାଇରିଆ । ସୁବର୍ଣ୍ଣପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ତରଭା ଥାନା ସୁର୍ଜିମୁଣ୍ଡା ଗାଁର ଧନଦେଇ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ୨୫ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଧାନଦେଇଙ୍କୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନା ଓ ପରେ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯଇଥିଲା । ବୁର୍ଲାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୁର୍ଜିମୁଣ୍ଡା ଗାଁରେ ଦୀର୍ଘ ଦିନ ଧରି ଝାଡ଼ାବାନ୍ତି ଲାଗି ରହିଥିବା ବେଳେ ପ୍ରାୟ ୨୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଡାକ୍ତରୀ ଦଳ ଗାଁରେ ଅସ୍ଥାୟୀ କ୍ୟାମ୍ପ କରି ଚିକିତ୍ସା ଜାରି ରଖିଛନ୍ତି । ପିଇବା ପାଣିରୁ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରୁଛି ସ୍ୱାସ୍ଥ୍ୟ ବିଭାଗ । ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ତରଭା ସହ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଗାଁରେ ଝାଡ଼ାବାନ୍ତି କାହିଁକି ବ୍ୟାପିଲା ତାହା ସ୍ପଷ୍ଟ ହୋଇ ନାହିଁ ।

ଆକ୍ରାନ୍ତ ଲୋକଙ୍କୁ ମାଗଣା ଔଷଧ ଦେବା ସହ ସଫାସୁତରା ରହିବାକୁ ପରାମର୍ଶ ଦେଉଛି ପ୍ରଶାସନ । ନଳକୁପ ଓ କୂଅର ପାଣିକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠା ଯାଇଛି । ତେବେ ପାଣିରୁ ଝାଡ଼ାବାନ୍ତି ବ୍ୟାପିଥିବା ମେଡିକାଲ ଟିମ୍ ଅନୁମାନ କରୁଛି । ସମସ୍ତ ନଳକୂପ ଓ କୂଅରେ ବ୍ଲିଚିଂ ପାଉଡର ପକାଇବା ପାଇଁ ପରାମର୍ଶ ଦିଆଯାଇଛି । ପାଣି ନମୁନା ପରୀକ୍ଷା ପରେ ପ୍ରକୃତ କାରଣ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ମେଡିକାଲ ଅଧିକାରୀ ।

Leave A Reply

Your email address will not be published.