Latest Odisha News

BREAKING NEWS

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଟିକିନା ଦାଶ ନାମକ ଜଣେ ମହିଳା କୀଟନାଶକ ପିଇ ଗୁରୁତର ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମକେସିଜି)ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଏହି ଘଟଣାରେ ଟିକିନାଙ୍କ ସ୍ୱାମୀ ସୁକାନ୍ତ ଦାସଙ୍କୁ ଗିରଫ କରିଛି । ଟିକିନାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ସୁକାନ୍ତଙ୍କୁ ଗିରଫ କରାଯାଇଛି ।

ମାଣ୍ଡିଆପଲ୍ଲୀ ଜ୍ୟୋତିନଗରର ଟିକିନା ଦାସ କିଛି ବର୍ଷ ତଳେ ସୁକାନ୍ତ ଦାସଙ୍କୁ ବିବାହ କରିଥିଲେ । ଉଭୟଙ୍କ ଦୁଇଟି ପୁଅ ରହିଛି । ହେଲେ ଟିକିନାଙ୍କୁ ତାଙ୍କ ସ୍ୱାମୀ ନିର୍ଯାତନା ଦେବାରୁ ଉଭ​‌​ୟ ଅଲଗା ରହୁଥିଲେ । ଟିକିନା ନିଜ ସ୍ୱାମୀଙ୍କ ଘରେ ରହୁଥିବା ବେଳେ ସୁକାନ୍ତ, ନିଜ ବାପା ଓ ମା’ଙ୍କ ସହ ଅନ୍ୟତ୍ର ଭଡା ଘରେ ରହୁଥିଲେ ।

ଟିକିନା ଏଭଳି ସ୍ଥିତିରେ ସୁକାନ୍ତଙ୍କ ବିରୋଧରେ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରାଇଥିଲେ । ଶୁକ୍ରବାର ସନ୍ଧ୍ୟାରେ ଅପରାହ୍ନରେ ଟିକିନା ଗୋପାଳପୁର ଥାନା ପରିସରରେ ପହଞ୍ଚିଥିଲେ ।

ସେ କିଛି ସମୟ ବସିବା ପରେ କିଏ କିଛି ବୁଝିବା ପୂର୍ବରୁ ସାଙ୍ଗରେ ନେଇଥିବା କୀଟନାଶକ ପିଇ ଦେଇଥିଲେ । ସେହି ସମୟରେ ଉପସ୍ଥିତ ଥିବା ଏଏସଆଇ ପୁଷ୍ପା ମଲ୍ଲିକ ଓ ଅନ୍ୟ କର୍ମଚାରୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏପଟେ ଟିକିନାଙ୍କ ବାପା ଭାସ୍କର ଦାସ ଓ ମା’ ସାଇବାଣୀ ଦାସଙ୍କ ଅଭିଯୋଗ ପ୍ରକାରେ ପୁଲିସ ମୃତ ଟିକିନାଙ୍କ ସ୍ୱାମୀ ସୁକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନ୍ୟପକ୍ଷରେ ଟିକିନା ନିଜ ଅଞ୍ଚଳର କିଛି ଲୋକଙ୍କ ଠାରୁ କିଛି ଟଙ୍କା ଧାର କରଜ କରିଥିଲେ । ଟଙ୍କା ଦେଇଥିବା କିଛି ଲୋକ ଟିକିନାଙ୍କ ବିରୋଧରେ ଭଞ୍ଜବିହାର ଫାଣ୍ଡିରେ ଅଭିଯୋଗ ମଧ୍ୟ ହୋଇଛି।

Comments are closed.