Latest Odisha News

BREAKING NEWS

ଟିଏମସି ନେତାଙ୍କ ଉପରେ ଇଡି, ସିବିଆଇର କାର୍ଯ୍ୟାନୁଷ୍ଠାନ ବେଳେ ମୋଦୀଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେରା ପକାଇଲେଣି ଉଭୟ ପଶ୍ଚିମବଙ୍ଗ ବିଜେପି ଏବଂ ଟିଏମସିରେ ପ୍ରମଖ ନେତା । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଦୁର୍ନୀତିଖୋର ନେତାଙ୍କ ତାଲିକା ଦେବାର ଦିନକ ପରେ ଦିଲ୍ଲୀ ପହଞ୍ଚିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ଟିଏମସି ସରକାରରେ ହୋଇଥିବା ଏକ ବଡ ଘୋଟାଲା ସାମ୍ନାକୁ ଆସିଛି। ପୂର୍ବରୁ କୋଇଲା ଦୁର୍ନୀତି ଏବଂ ହିଂସାକୁ ନେଇ ଟିଏମସି ସରକାର ସିବିଆଇ ଜେରାର ସାମ୍ନା କରୁଥିଲେ ମଧ୍ୟ ଚଳିତଥର ଇଡିର ଚଢାଉ ଦଳର ଭାବମୂର୍ତିକୁ ଦାଣ୍ଡରେ ପଡି ହାଟରେ ଗଡାଇଲା ଭଳି ହୋଇଛି। ତେବେ ପୂର୍ବରୁ ଯେପରି କେନ୍ଦ୍ରୀୟ ତଦନ୍ତ ଅଧିକାରୀ ସଂସ୍ଥା ବିରୋଧରେ ମମତା ଗର୍ଜୁଥିଲେ ଚଳିତ ଥର କିନ୍ତୁ ନିରବ ରହିଛନ୍ତି। ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ମାମଲାରେ ଗିରଫ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଥିବା ୫୦ କୋଟି ଟଙ୍କା କାହାର ଇଡି ଖୋଜୁଛି । ଅନ୍ୟପଟେ ଏହି ଟଙ୍କା ନିଜର ନୁହେଁ ବୋଲି ପାର୍ଥ ଏବଂ ଅର୍ପିତା କହିବା ପରେ ଦଳ ଆଡକୁ ଅଙ୍ଗୁଲି ଉଠିଛି।

ଏହାପରେ ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ସଂସଦ ଭବନରେ ଉଭୟ ନେତା ଗୋଟିଏ ରୁମରେ ଅଧଘଣ୍ଟାଏରୁ ଅଧିକ ସମୟ ଆଲୋଚନା କରିଛନ୍ତି ବିଭିନ୍ନ ପ୍ରସଙ୍ଗରେ। ଏହି ସମୟରେ ଶୁଭେନ୍ଦୁ ଅଧିକାରୀ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଚେର କେଉଁଠି ରହିଛି ତାର ପ୍ରମାଣ ଦେଖାଇଛନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ଏହି ଦୁର୍ନୀତିର କିଙ୍ଗପିନ୍ ନିଜେ ମମତା ବୋଲି ଶୁଭେନ୍ଦୁ ଦାବି କରିବା ସହିତ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗରେ ଏବଂ ସଂସଦ ବାହାରେ ବିଜେପି ଜୋରଦାର ପ୍ରଦର୍ଶନ କରୁଛି।

ଏହାରି ଭିତରେ ମମତା ବାନାର୍ଜୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦଳର ରାଜ୍ୟସଭା ସାଂସଦ ଶୁଖେନ୍ଦୁ ରୟଙ୍କୁ ଆଜି ଭେଟିବେ । ଏହାପରେ ଚାରି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ମମତା ଏହି ଗସ୍ତ ସମୟରେ ଅଗଷ୍ଟ ୭ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି। ତେବେ କୋଲକାତା ଫେରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମମତା ବାନାର୍ଜୀ ଭେଟିବେ ବୋଲି ସୂଚନା ରହିଛି।

ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷ କହିଛନ୍ତି, ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବୁଝାମଣା ହୋଇଥିବା ନେଇ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରୁଛନ୍ତି। କେନ୍ଦ୍ର ଏହା ହୃଦୟଙ୍ଗମ କରିବା ଉଚିତ। ତେବେ ଟିଏମସି ସାଂସଦ ଶୁଖେନ୍ଦୁ ଶେଖର ରୟ ଏହି ଦାବିକୁ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.