Latest Odisha News

BREAKING NEWS

ଜାଣି ନିଅନ୍ତୁ: ଚଳିତ ସପ୍ତାହରେ ଲଗାତର ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ମାସ ଶେଷ ହୋଇ ଆସୁଛି। ବ୍ୟାଙ୍କରେ କାମ ଥିଲେ ଶେଷ କରିଦିଅନ୍ତୁ ଆସନ୍ତାକାଲି ମଧ୍ୟରେ। କାରଣ ଦୁଇ ଦିନ ଲଗାତର ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି। ବୁଧବାର ଗଣେଶ ପୂଜା । ତେଣୁ ଛୁଟି ଦିନ ରହିଛି। ସେହିପରି ତହିଁ ପର ଦିନ ସେପ୍ଟେମ୍ବର ୧ ତାରିଖ ରହିଛି। ଏହାକୁ ଛୁଟି ବୋଲି ଘୋଷଣା କରିଛନ୍ତି ସରକାର। ତେଣୁ ସେପ୍ଟେମ୍ବର ୧ (ଗୁରୁବାର) ରେ ସମସ୍ତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ବନ୍ଦ ରହିବ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସୋମବାର ସୂଚନା ଦେଇଛି। ଅର୍ଥାତ୍ ଲଗାତର ଦୁଇ ଦିନ ଛୁଟି ରହିବ।

ରାଜ୍ୟ ସରକାର ଚଳିତ ବର୍ଷ ସେପ୍ଟେମ୍ବର ୧କୁ ନୁଆଖାଇ ପାଇଁ ଛୁଟି ଘୋଷଣା କରିସାରିଛନ୍ତି। ଏହା ଏକ କୃଷି ମହୋତ୍ସବ ଯେଉଁଠାରେ ପଶ୍ଚିମ ଓଡିଶାର ଥିବା ମା’ ସାମଲାଇ, ଦେବୀ ମାଣିକେଶ୍ୱରୀ ଏବଂ ଅନ୍ୟାନ୍ୟ ଦେବତାଙ୍କୁ ‘ନବାନ୍ନ’ ଲାଗି ହୁଏ।

ନୂଆଖାଇ ଦ୍ୱାଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ଯେତେବେଳେ ବାଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟାନଗଡରେ ଚୌଭାନ ରାମ ଦେଓ ଏହି ପର୍ବ ପାଳନ କରିଥିଲେ। ଏହି ପର୍ବ ଆୟୋଜନ ପୂର୍ବରୁ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ।

ଏହି ଅବସରରେ ବନ୍ଧୁ, ଶୁଭେଚ୍ଛୁ ଏବଂ ସମ୍ପର୍କୀୟମାନ ପରସ୍ପର ଘରକୁ ଯିବା ଆସିବା ହୁଏ। ଏହି ଅବସରରେ ସମସ୍ତେ ଏକାଠି ହୁଅନ୍ତି। ଗୁରୁଜନ ମାନଙ୍କ ଆଶୀର୍ବାଦ ଗ୍ରହଣ କରନ୍ତି।

ପଶ୍ଚିମ ଓଡ଼ିଶାର ଅନେକ ସଂଗଠନ, ନେତା ଆଦି ଏହି ଛୁଟି ଅବଧିକୁ ୨-୩ ଦିନ କରିବାକୁ ଦାବି କରିଥିଲେ। କିନ୍ତୁ ରାଜ୍ୟ ସରକାର ଏ ଦିଗରେ ଏଯାବତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସାରା ଦେଶରେ ଓଡ଼ିଶା ସରକାର ବର୍ଷକୁ ବିଭିନ୍ନ ପର୍ବ ପର୍ବାଣୀ ପାଇଁ ଛୁଟି ଘୋଷଣା କରନ୍ତି। ଓଡ଼ିଶାରେ ମୋଟ୍ ୩୪ଟି ଏଭଳି ଛୁଟି ଦିଅନ୍ତି ରାଜ୍ୟ ସରକାର। ଯାହାକି ଦେଶରେ ସର୍ବାଧିକ ବୋଲି ‘ବିଜନେସ ଷ୍ଟାଣ୍ଡାର୍ଡ’ର ଏକ ରିପୋର୍ଟରୁ ଜଣାପଡ଼ିଛି।

Comments are closed.