Latest Odisha News

ପରମ୍ପରାରେ ଗୁରୁ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 

” ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର/ ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ”

ଭାରତୀୟ ପରମ୍ପରାରେ ’ଗୁରୁ’ ଏକ ପରମ ପବିତ୍ର ଶବ୍ଦ । ଗୁରୁ, ଯିଏ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାଇଥାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନର ଦାନରେ ସାଧାରଣ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିବାରେ ସହଜ ହୁଏ । କେବେ କେବେ ତାଙ୍କର ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ଶିକ୍ଷା କ୍ଷେତ୍ରରେ ପାଠ ହେଉ କି ସଙ୍ଗୀତ , ଖେଳ ହେଉ କି ନୃତ୍ୟ , ବାଦ୍ୟ ହେଉ କି ବକୃତା, ପ୍ରତିଟି କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦିଏ ଅଜସ୍ର ଖ୍ୟାତି, ଯଶ, ପ୍ରସିଦ୍ଧି । ସେ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ । ଯୁଗେ ଯୁଗେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଦୃଷ୍ଟିରୁ କୁହାଯାଇଛି, ଯେପରି କ୍ଷୀର ବିନା ଗାଈ, ଫୁଲବିନା ଲତା, ଚରିତ୍ର ବିନା ସ୍ତ୍ରୀ, ପଦ୍ମବିନା ଜଳ, ଶାନ୍ତି ବିନା ବିଦ୍ୟା, ଅଧିବାସୀ ବିନା ନଗର ଶୋଭାପାଏ ନାହିଁ, ସେହିପରି ଗୁରୁ ବିନା ଶିଷ୍ୟର କୌଣସି ସ୍ଥିତି ନାହିଁ ।

ଗୁରୁଙ୍କ ସାନ୍ନିଧ୍ୟ ବିନା କେବେ ଗୁଣବାନ, ତତ୍ତ୍ୱଦର୍ଶୀ, ନିଖୁଣ କର୍ମକାରୀ, ଅଭିଜ୍ଞ ଏପରିକି ପବିତ୍ର ହୋଇପାରିବ ନାହିଁ । ଭଗବାନ ଶ୍ରୀକୃଷ୍ଣ ଷୋହଳ କଳା ନେଇ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କୁ ଗୁରୁ କରିବାକୁ ପଡ଼ିଥିଲା । ମହାନ୍‍ ଶିଖ୍‍ ଧର୍ମଗୁରୁ ଅମର ଦାସ ଗୁରୁ କରିନଥିଲେ ବୋଲି, ଆତିଥ୍ୟ ପ୍ରଦାନର ପୁଣ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିନଥିଲା । ତାଙ୍କ ଗୃହକୁ ଆସିଥିବା ଆଗନ୍ତୁକ ତାଙ୍କୁ କହିଥିଲେ, ‘ପ୍ରଥମେ ଯାଆନ୍ତୁ ଗୁରୁ କରି ନିଜ ଦେହମନକୁ ପବିତ୍ର କରିବେ, ତା’ପରେ ଆତିଥ୍ୟ ପ୍ରଦାନ କରି ପୁଣ୍ୟ ଅର୍ଜିବେ ।’ ସେଦିନ ଆଗନ୍ତୁକ ଧର୍ମଗୁରୁ ଅମର ଦାସଙ୍କ ଆତିଥ୍ୟ ପ୍ରତ୍ୟାଖ୍ୟାନ କରି ଫେରିଯାଇଥିଲେ ।

ଭାରତୀୟ ପରମ୍ପରାରେ ଗୁରୁଙ୍କର ଶିଷ୍ୟକୁ ଶିକ୍ଷାରୂପକ ମହାଦାନ ପ୍ରଦାନ କରୁଥିବାରୁ, ତାଙ୍କୁ ଈଶ୍ୱରଙ୍କ ସହ ତୁଳନା କରାଯାଏ ଏବଂ ପୂଜା କରାଯାଏ । ଭାରତୀୟ ସଂସ୍କୃତିରେ ଏହି ଗୁରୁ ପୂଜନର ପରମ୍ପରା ବହୁ ପ୍ରାଚୀନ । ସବୁଦିନ ପ୍ରତ୍ୟେକ କିଛି ନା କିଛି ଶିକ୍ଷା ଲାଭ କରିଥାଏ । ତେଣୁ ପ୍ରତ୍ୟେକ ଦିନ ପାଇଁ ଗୁରୁଙ୍କର ଦିନ । ମାତ୍ର ଗୁରୁଙ୍କର ସମ୍ମାନାର୍ଥେ ଦୁଇଟି ସମ୍ପୂର୍ଣ୍ଣ ଦିନ ପ୍ରଦାନ କରିବା ଆମ ଭାରତୀୟ ସଂସ୍କୃତିର ବଳିଷ୍ଠତାକୁ ପ୍ରମାଣ କରେ । ଆଦିଗୁରୁ ମହର୍ଷି ବ୍ୟାସଙ୍କ ଜନ୍ମତିଥିକୁ ‘ଗୁରୁପୂର୍ଣ୍ଣିମା’ ଭାବରେ ପାଳନ କରାଯାଏ । ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ବେଦ ପରି ବୃହତ୍ ଗ୍ରନ୍ଥକୁ ସେ ଋକବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ଏହିପରି ଚାରୋଟି ଭାଗ (ବ୍ୟାସ) କରିଥିବାରୁ ତାଙ୍କୁ ବେଦବ୍ୟାସ ରୂପେ ନାମିତ କରାଯାଇଛି । ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ । ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି । ସେ ମଧ୍ୟ ବେଦାନ୍ତ ଦର୍ଶନ ଏବଂ ଅଦ୍ୱୈତବାଦର ସଂସ୍ଥାପକ । ତାଙ୍କୁ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି । ସେହି ଗୁରୁକୁଳ ପରମ୍ପରା ଅନୁସାରେ – ଗୁରୁମାନେ ତାଙ୍କ ଶିଷ୍ୟମାନଙ୍କୁ ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରିଥାନ୍ତି । ତେଣୁ ଶାସ୍ତ୍ରରେ କୁହାଯାଇଛି -” ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ। ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ “।।

‘ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ। ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି । ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ଗୁରୁ ଅର୍ଥରେ ସେ ମହାମହିମ । ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି । ଗୁରୁଙ୍କର ମହତ୍ତ୍ୱ ଅକଳ୍ପନୀୟ , ସମୁଦ୍ର ଭଳି ଗଭୀର ଓ ଆକାଶ ଭଳି ପରିବ୍ୟାପ୍ତ । ଯାହାଙ୍କର କୈାଣସି କଳନା ନାହିଁ । ଗୁରୁଙ୍କ ସାନ୍ନିଧ୍ୟ ଓ ଶିକ୍ଷା ଦ୍ୱାରା ଜଣେ ସାଧାରଣରୁ ନିଖୁଣ ହୋଇପାରେ । ପିତାଗୁରୁ, ମାତାଗୁରୁ, ଶିକ୍ଷାଗୁରୁ, ଦୀକ୍ଷାଗୁରୁଙ୍କ ସହ ପ୍ରକୃତି ଓ ସ୍ୱ-ଅଭିଜ୍ଞତା ହଁ ନିଜର ଗୁରୁ । ପିତାମାତାଙ୍କଠାରୁ ଚଳଣି, ଶିକ୍ଷାଗୁରୁଙ୍କ, ଦୀକ୍ଷାଗୁରୁଙ୍କ ସହ ପ୍ରକୃତି ଓ ସ୍ୱ-ଅଭିଜ୍ଞତା ହଁ ନିଜର ଗୁରୁ । ପିତାମାତାଙ୍କ ଠାରୁ ଚଳଣି, ଶିକ୍ଷାଗୁରୁଙ୍କ ଠାରୁ ବିଦ୍ୟା, ଦୀକ୍ଷାଗୁରୁଙ୍କ ଠାରୁ ସିଦ୍ଧି ପ୍ରାପ୍ତ ହେଲେ ବି; ଜଣେ ମାଟି, ଜଳ, ବାୟୁ, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ବୃକ୍ଷ, ଜୀବଜଗତଙ୍କଠାରୁ ଅନେକ କିଛି ଶିଖେ । ନିଜେ କଟେଇଥିବା ସମୟଠାରୁ ଅଭିଜ୍ଞତା ଗ୍ରହଣ କରିବି ଜଣେ ଏହି ସଂସାର ପଥ ଅତିକ୍ରମ କରିବାକୁ ଶିକ୍ଷାଲାଭ କରେ । ଏଣୁ ସାମଗ୍ରିକ ଦୃଷ୍ଟିରୁ ଗୁରୁଶବ୍ଦର ଏକ ମହାବ୍ୟାପ୍ତିତାକୁ ଅନୁଭବ କରି ହୁଏ । ତେଣୁ ଶାସ୍ତ୍ର ମତରେ ଗୁରୁ ସର୍ବବ୍ୟାପ୍ତି, ସର୍ବ ଶକ୍ତିମାନ ଓ ସର୍ବ ଜ୍ଞାତ୍ଵା ର ଆଧାର । ପ୍ରାକୃତିକ ଶକ୍ତିର ରୁଣ ତାଙ୍କ ଭିତରେ ସମାହିତ । ଏଣୁ ଦର୍ଶାଇ ଦିଆଯାଇଛି- ” ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରମ୍‍ / ତତ୍‍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ ” ।

ସାଂପ୍ରତିକ ସମାଜରେ ଶିକ୍ଷାର ଗୁରୁତ୍ୱ ପ୍ରତ୍ୟେକ ମୁହୂର୍ତ୍ତରେ ରହିଛି । ଶିକ୍ଷା ବିନା ମାନବ ଜୀବନ ନିରର୍ଥକ ପାଲଟି ଯାଏ , ଦେଶର ବିକାଶ ଘଟିପାରେ ନାହିଁ ‌। ତେଣୁ ଶିକ୍ଷା ପ୍ରଦାନ କରୁଥିବା ଗୁରୁଙ୍କର ମହତ୍ତ୍ୱ ସେହିପରି ସବୁ ସମୟରେ ଅଛି । ଆଜିର ସମୟକୁ ବି ଦେଖିଲେ ଯିଏ ଯେଉଁକ୍ଷେତ୍ରରେ ବି ଯାଉ, ସେହି କ୍ଷେତ୍ରରେ ପାରଙ୍ଗମ ହେବା ପାଇଁ ଜଣେ ସଦ୍ ଗୁରୁ, ବା ଶିକ୍ଷକ ବା ପରାମର୍ଶଦାତା ବା କୋଡ୍‍ ବା ମେଣ୍ଟରଙ୍କର ନିହାତି ଆବଶ୍ୟକତା ରହିଛି । ତାଙ୍କର ଅବର୍ତ୍ତମାନରେ କୈାଣସି ପ୍ରକାର ଆଗକୁ ଆଗେଇବା ସମ୍ଭବ ନୁହେଁ । ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏହାହିଁ ଅନୁଭବ କରିଥିଲେ । ତେଣୁ ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏହା ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ ।

ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । କହିବାକୁ ଗଲେ ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପରଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ଆଗରୁ ସୂଚିତ କରିଥିବା ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କ ଦ୍ୱାରା ଗୁରୁମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ଆର୍ଜେଣ୍ଟିନା ୧୯୧୫ ମସିହାରୁ ସେପ୍ଟେମ୍ବର ୧୧ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋଙ୍କ ମୃତ୍ୟୁ ଦିବସକୁ ଶିକ୍ଷକ ଦିବସ ଭାବରେ ପାଳନ କରିଆସୁଛି । ୧୯୯୪ରେ ୟୁନେସ୍କୋଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରିଥାନ୍ତି ।

ସେଭଳି ଭାରତୀୟମାନେ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଆସୁଛନ୍ତି । ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ୍ ବେଶ୍‌ ପରିଚିତ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ଏହାକୁ ନେଇ ସେ କହିଥିଲେ, ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୧୮୮୮ ମସିହା ସେପେଫମ୍ବର ୫ ତାରିଖରେ ତାମିଲନାଡୁ ମାଡ୍ରାସର ତିରୁତ୍ତଣି ଗ୍ରାମରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସର୍ବପଲ୍ଲୀ ଭୀରାସ୍‌ୱାମୀ ଆଉ ମାତାଙ୍କ ନାମ ଥିଲା ସର୍ବପଲ୍ଲୀ ସୀତାମାଆ । ତାଙ୍କର ବାଲ୍ୟଜୀବନ ମୁଖ୍ୟତଃ ତିରୁତ୍ତଣିରେ କଟିଥିଲା । ତାଙ୍କ ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବରେ କାମ କରୁଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା କେ.ଭି ହାଇସ୍କୁଲରେ ହୋଇଥିଲା । ପରେ ସେ ୧୮୯୬ ମସିହାରେ ତିରୁପତି ଚାଲିଆସିଥିଲେ ଓ ସେଠାରେ ନିଜର ଉଚ୍ଚଶିକ୍ଷା କରିଥିଲେ । ରାଧାକ୍ରିଷ୍ଣନ ଜଣେ ମେଧାବୀ ଛାତ୍ର ଥିଲେ । ୧୭ ବର୍ଷ ବୟସରେ ମାଡ୍ରାସର ଖ୍ରୀଷ୍ଟିୟାନ୍‌ କଲେଜରେ ନାମ ଲେଖାଇଥିଲେ । ସେଠାରୁ ସେ ୧୯୦୬ ମସିହାରେ ଗ୍ରାଜୁଏଟ୍‌ ହୋଇଥିଲେ ।

ଗ୍ରାଜୁଏଟ୍‌ ପରେ ଅଧ୍ୟାପକ ଭାବରେ କାମ କରି ଶେଷରେ ୧୯୩୧ରୁ ୧୯୩୬ ମସିହା ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ । ପରବର୍ତ୍ତୀ ସମୟରେ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଧାକ୍ରିଷ୍ଣନ୍‌ ରାଜନୀତିରେ ପ୍ରବେଶ କରିଥିଲେ । ଭାରତ ସ୍ୱାଧୀନ ହେବାପରେ ସେ ୟୁନେସ୍କୋରେ ଭାରତର ପ୍ରତିନିଧି ହୋଇଥିଲେ । ଏହାପରେ ସେ ସୋଭିଏତ ସଂଘରେ ଭାରତର ଆମ୍ବାସାଡାର ନିଯୁକ୍ତ ହୋଇଥିଲେ । ୧୯୪୯ ରୁ ୧୯୫୨ ମସିହା ମଧ୍ୟରେ ସେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ମଧ୍ୟ ରହିଥିଲେ । ଏହାପରେ ସେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ । ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହୋଇଥିଲେ । ୧୯୫୪ ମସିହାରେ ରାଧାକ୍ରିଷ୍ଣନ୍‌ଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ଥାଏ । ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଆଦର୍ଶ ଗୁରୁ ହୋଇଥାନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ’ ନିଜକୁ ଯେ ନିରନ୍ତର ଶିକ୍ଷା ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ ’ । ଗୁରୁ ଓ ରାସ୍ତା ଏକାପରି । ସେମାନେ ଯେକୌଣସି ଜାଗାରେ ଥାଇ ମଧ୍ୟ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିଥାନ୍ତି । ଏହା ହିଁ ତ ଗୁରୁଙ୍କ ମହାନତା । ଗୁରୁଙ୍କ ଉପରେ ଛାତ୍ର-ଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ । କଞ୍ଚାମାଟିର ପିତୁଳାକୁ ସେ ଦେବତା ରୂପେ ଗଢିବାକୁ ନିରନ୍ତର ପ୍ରୟାସ ଜାରି ରଖିଥାଆନ୍ତି । ବିନା ଗୁରୁରେ କେହି ବି ଜ୍ଞାନୀ ପଦବାଚ୍ୟ ହୋଇପାରି ନାହିଁ । ଗୁରୁ ହିଁ ସର୍ବ ପ୍ରେରଣାର ଉତ୍ସ ।

ପ୍ରତ୍ୟେକ ଶିକ୍ଷାର୍ଥୀ ଜନ୍ମରୁ, ସର୍ବପ୍ରଥମେ ପିତାମାତାଙ୍କଠାରୁ ପ୍ରାରମ୍ଭିକ ଶିକ୍ଷା ପାଇଥାଏ । ପିତା-ମାତା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ । ପରେ ଶିଶୁଟି ଖଡି ଧରିବା ଆରମ୍ଭ କରିଥାଏ । ଶିକ୍ଷା ଗୁରୁର ଶିକ୍ଷକତା ସେହିଠାରୁ ହିଁ ଆରମ୍ଭ ହୋଇଥାଏ । ବିନା ଗୁରୁରେ ଛାତ୍ରର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥାଏ । ତେଣୁ ତାଙ୍କୁ କେବେ ବି ଅବମାନନା କରିବା ଉଚିତ୍‌ ନୁହେଁ । ଶିକ୍ଷା ହେଉଛି ପ୍ରଗତିର ମାପକାଠି । ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ । ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଆଦର୍ଶ ଶିକ୍ଷକ ହେବା । ସୁନାଗରିକଭାବେ ଜୀବନ ନିର୍ବାହ କରିବାକୁ ଶିକ୍ଷାର୍ଥୀମାନଙ୍କୁ ଜ୍ଞାନ , ବିଜ୍ଞାନ, କୌଶଳ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରିବା ଓ ପରିପାର୍ଶ୍ୱ ପ୍ରତି ସମ୍ବେଦନଶୀଳ ହେବାକୁ ସଚେତନ କରିବା ହେଉଛି ଶିକ୍ଷକଙ୍କ କାର୍ଯ୍ୟ । ଆନ୍ତର୍ବିଦ୍ୟା ଓ ବହୁବିଷୟକ ଗବେଷଣା ମାଧ୍ୟମରେ ପ୍ରଗତିଶୀଳ, ଜ୍ଞାନ ସମ୍ଭବ ପୋଷଣୀୟ ସମାଜ ନିର୍ମାଣ କରିବା ପାଇଁ ଉଦ୍ୟମ ଜାରିରଖିବାକୁ ଆଦର୍ଶ ଶିକ୍ଷକ ହିଁ ଚେଷ୍ଟା କରିଥାନ୍ତି । ସମସ୍ୟା ସମାଧାନ, ସମ୍ମାନବୋଧ, ନେତୃତ୍ବ ପ୍ରଦାନ ତଥା ମିଳିତକାର୍ଯ୍ୟ ପାଇଁ ଆଗ୍ରହ ସୃଷ୍ଟିକରି, ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ, ନୈତିକତା, ଗୁଣବତ୍ତା ପ୍ରତି ପ୍ରତିଶ୍ରୁତିବଦ୍ଧ କରାଇବା ମୁକ୍ତଚିନ୍ତା, ସର୍ଜନା, ଆବିଷାର ଓ ବୃତ୍ତଗତ ଜନ୍ମତି ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତକରିବା ଓ ଚେତନାର ଉତ୍ତରଣ ମାଧ୍ୟମରେ ଜଗତକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିବାପାଇଁ ଯେଉଁ ଶିକ୍ଷକ ମାନେ ଚେଷ୍ଟା ଚଳାଇଛନ୍ତି ସେମାନେ ଆଜି ବନ୍ଦନୀୟ ଓ ସ୍ମରଣୀୟ ।

ଛାତ୍ରଛାତ୍ରୀମାନଙ୍କୁ ନୂତନ ଚିନ୍ତାଧାରା,ଜ୍ଞାନ ଆହରଣର ନୂତନମାର୍ଗ ମାଧମରେ ଗତିଶୀଳ ଜ୍ଞାନଭିତ୍ତିକ ଅର୍ଥନୀତି ସଂପର୍କରେ ସଚେତନ କରିବା ତଥା ସେମାନଙ୍କ ବୌଦ୍ଧିକ ରୂପାନ୍ତର ଆଜିର ପ୍ରତ୍ୟେକ ଗୁରୁଙ୍କ ପବିତ୍ର ଦିବସର କାମ୍ୟ ହେଉ…!!!

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ – ୯୦୪୦୧୫ ୧୪୭୫
laxmansahoo9040@gmail.com

Leave A Reply

Your email address will not be published.