Latest Odisha News

ଭଲ ଉପନ୍ୟାସ ସୃଷ୍ଟି ହେବା କାଠିକର ପାଠ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର” 

ଆଜି ଉତ୍ତମ ଉପନ୍ୟାସ ଉତ୍ପାଦନ ଏକ ପ୍ରଶ୍ନବାଚୀ ? ସାହିତ୍ୟ ଖାତାରେ ଉପନ୍ୟାସର ଉପସ୍ଥାନ ଶୂନ୍ୟ ! ଏସବୁ ଘଟଣା ଘଟୁଛି କାହିଁକି ? ସତରେ କ’ଣ ଆଉ ଭଲ ଉପନ୍ୟାସଟିଏ ପଢିବାକୁ ପାଇବାନାହିଁ ? ବର୍ତ୍ତମାନ ସାହିତ୍ୟକ୍ଷେତ୍ରରେ ଘୋର ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଭଲ ଔପନ୍ୟାସିକ ସୃଷ୍ଟି ହେବା କାଠିକର ପାଠ।

ଗଳ୍ପ, କାବ୍ୟ, କବିତା, ନାଟକ କ୍ଷୁଦ୍ରଗଳ୍ପ, ଆଧୁନିକ ଗଳ୍ପ, ବ୍ୟଙ୍ଗ, ରମ୍ୟରଚନା, ପ୍ରବନ୍ଧ, ସବୁ ଲେଖା ହେଉଛି – ସାରା ବିଶ୍ୱରେ ଟନ୍ ଟନ୍ କାଗଜରେ ପୁସ୍ତକଛପା ଚାଲିଛି, ହେଲେ ଭଲ ବହିଟିଏ ଖୋଜି ପାଇବା ସମ୍ଭବ ହେଉନି । ଉପନ୍ୟାସ ଲେଖିବା ଆହୁରି କଷ୍ଟ । ଏଇ ବିଶ୍ୱରେ ଯେତେସବୁ ଭଲ ଉପନ୍ୟାସ ସୃଷ୍ଟି ହୋଇଛି ସେ ଉପନ୍ୟାସର ଲେଖକ ସମାଜ ଭିତରେ ପଶିଯାଇ ଜୀବନଯନ୍ତ୍ରଣା ଅନୁଭବ କରିଛନ୍ତି ।

ଯାହା ବି ଲେଖିଛନ୍ତି ସମାଜର ନିଚ୍ଛକ ଛବି ଏବଂ ସମାଜକୁ ପରିବର୍ତନ କରିବାପାଇଁ ଦୃଢ ସଂକଳ୍ପ ନେଇ ଲେଖିଛନ୍ତି । ସେମାନଙ୍କ ଲେଖା କାଳଜୟୀ ହୋଇ ଆଜି ବି ଜନମାନସକୁ ଉଦ୍‌ବୁଦ୍ଧ କରୁଛି । ଉନବିଂଶ, ବିଂଶ ଶତାଦ୍ଦୀରେ ଏଇ ବିଶ୍ୱରେ ଅନେକ ଉତ୍ତମ ଉପନ୍ୟାସ ରଚିତ ହୋଇଛି । ତନ୍ମଧ୍ୟରୁ ଗର୍କିଙ୍କ ‘ମଦର’, ଲିଓ ଟଲଷ୍ଟୟଙ୍କ ରିସ୍‌ରେକ୍‌ସନ୍‌, ୱାର ଆଣ୍ଡ୍ ପିସ୍‌, ଏମିଲି ଜୋଲାଙ୍କ ଜର୍ମିନାଲ, ଦସ୍ତୟ ଭେକ୍ଟିଙ୍କ କ୍ରାଇମ ଆଣ୍ଡ ପନିଶ୍‌ମେଣ୍ଟ ମିସେସ୍ ଷ୍ଟୋଙ୍କ ଅଙ୍କଲ୍ ଟମ୍‌ସ୍ କେବିନ୍‌, ଚାର୍ଲସ୍ ଡେକେନଙ୍କ ଟେଲସ୍ ଅଫ୍ ଟୁ ସିଟିଜ୍‌, ଶରତଚନ୍ଦ୍ରଙ୍କ ଶ୍ରୀକାନ୍ତ, ପଥର ଦାବୀ, ପ୍ରେମଚନ୍ଦଙ୍କ ଗୋଦାନ, ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠ, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ବିମଳ ମିତ୍ରଙ୍କ ‘ସାହେବ ବିବି ଗୋଲାମ’ ପ୍ରମୁଖ ଅନେକ ଉପନ୍ୟାସ ସମାଜ ପରିବର୍ତ୍ତନରେ ବହୁ ଉପାଦାନ ଛାଡି ଯାଇଛନ୍ତି । ପୁଲିଜାର ପ୍ରାଇଜ୍ ପାଇଁ ବିଶ୍ୱର ଭଲ ଭଲ ଉପନ୍ୟାସ ଯାଉଛି କି ନାହିଁ ତାହା ମଧ୍ୟ ଠିକ୍ ଭାବେ କହିବା କଷ୍ଟକର ।

ଏପରିକି ବିଭିନ୍ନ ଭାଷାର ଭଲ ଉପନ୍ୟାସ ଇଂରାଜୀ ଭାଷାରେ ଅନୁବାଦ ହୋଇଯିବା ମଧ୍ୟ କଷ୍ଟସାଧ୍ୟ । ଏ ବିଦ୍ୟାରେ ଯେଉଁମାନେ ପାରଙ୍ଗମ ସେମାନେ ତାଙ୍କ ଉପନ୍ୟାସକୁ ଅନୁବାଦ କରାଇ ପଠାଇଥାନ୍ତି ଯାହା ଫଳରେ ଭଲ ଉପନ୍ୟାସ ବିବେଚନା କ୍ଷେତ୍ରକୁ ଯାଇପାରେନି । ପୁନଶ୍ଚ ପୁଲିଜାର ପ୍ରାଇଜର ଯେଉଁମାନେ ‘ଜୁରୀ’ ସେମାନେ ପ୍ରଚଳିତ ସମାଜ ବ୍ୟବସ୍ଥାକୁ ଟେକି ଧରୁଥିବା ଉପନ୍ୟାସକୁ ପୁରସ୍କାର ଦେବେ ନା ବ୍ୟବସ୍ଥାକୁ ପରିବର୍ତନ କରିବାକୁ ସୃଷ୍ଟି ହୋଇଥିବା ଉପନ୍ୟାସକୁ ବାଛିବେ , ଏହା ମଧ୍ୟ ପରିଷ୍କାର ନୁହେଁ ।

ଗଳ୍ପ ଓ ଉପନ୍ୟାସ ସାହିତ୍ୟ ଅଙ୍ଗାଙ୍ଗୀଭାବେ ଜଡିତ । ଉପନ୍ୟାସ ସାହିତ୍ୟରେ ଅନେକ ଅନେକ ଗଳ୍ପାଂଶ ଭରପୁର । ଅନେକ ଚରିତ୍ର ଘଟଣା, ସ୍ଥାନର ସମାରୋହ । ଗୋଟିଏ ମଟର ଗାଡିରେ ଯେଭଳି ବିଭିନ୍ନ ଯନ୍ତ୍ରାଂଶ ଖଞ୍ଜା ଯାଇଥାଏ, ପୁଣି ସବୁ ଯନ୍ତ୍ର ଠିକ୍ ଭାବେ କାମ କରୁଥାଏ, ତା’ହେଲେ ଗାଡି ଦଉଡେ ସେଇଭଳି ଉପନ୍ୟାସରେ ଅନେକ ପାତ୍ରପାତ୍ରୀ ଘଟଣା ଦୁର୍ଘଟଣା, ଅଘଟଣା, ହସକାନ୍ଦ, ଭଲମନ୍ଦ, ପାପପୁଣ୍ୟ, ଆନନ୍ଦ ନିରାନନ୍ଦ, ଆଶା ହତାଶା, ସ୍ୱପ୍ନ ଦୁଃସ୍ୱପ୍ନ, ପ୍ରଗତିଶୀଳ, ପ୍ରତିକ୍ରିୟାଶୀଳ, ପ୍ରାଚୀନ, ଆଧୁନିକ, ଯୁଦ୍ଧଶାନ୍ତି, ଆରମ୍ଭ ଓ ଶେଷ ବହୁ ବିଭାଗ ବହୁ ସ୍ୱଧର୍ମରେ ବଳିୟାନ ଜୀବନ୍ତଠାରୁ ନିର୍ଜୀବ ଯନ୍ତ୍ରାଂଶର ସମାହାରରେ ଉପନ୍ୟାସ ଋଦ୍ଧିମନ୍ତ ହୁଏ ।

ଏଇ ବିଶ୍ୱରେ ଦୁଇ ଦୁଇଟି ବିଶ୍ୱଯୁଦ୍ଧ, ଶିଳ୍ପବିପ୍ଳବ – ଅନେକ ପ୍ରକାର ବିପ୍ଲବ ହେତୁ ଇତିହାସର ଗତିପଥରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି ଏବଂ ଦେଉଛି । ଯେଉଁମାନେ ଉପନ୍ୟାସ ଲେଖନ୍ତି , ସେମାନଙ୍କ ଜୀବନରେ ସମୟଛାପ ପଡିଥାଏ । ସେମାନେ ସମୟ ସଂଗେ ତାଳଦେଇ ଦୌଡନ୍ତି ସମୟ ମଧ୍ୟ ସେମାନଙ୍କୁ ଦୌଡାଏ । ସେଇ ଔପନ୍ୟାସିକଙ୍କ କଲମମୂନରୁ ସୃ୍‌ଷ୍ଟି ହୁଏ ନୂଆ ଜୀବନ । ସେ ଜୀବନକୁ ପାଣିପବନ ଖାଦ୍ୟଦେଇ ହୃଷ୍ଟପୃଷ୍ଟ କରିଥିଲେ ତାହା ବଂଚିରହେ ଶତାଦ୍ଦୀ ଶତାଦ୍ଦୀ ପର୍ଯ୍ୟନ୍ତ ।

ବେଳେବେଳେ ଉପନ୍ୟାସର ଶ୍ଲୀଳ, ଅଶ୍ଲୀଳ କଥା ଉଠେ । ଯେଉଁମାନେ କେବଳ ଶ୍ଲୀଳ ଖୋଜନ୍ତି କିନ୍ତୁ ସେମାନେ ମନେମନେ ଅଶ୍ଲୀଳତାକୁ ଖୋଜିଖୋଜି ନୟାନ୍ତ ହୁଅନ୍ତି । ଉପନ୍ୟାସର ରସ ଉପଭୋଗ କରିପାରନ୍ତି ନାହିଁ । ଆଉ ଯେଉଁମାନେ ଅଶ୍ଲୀଳତା ଭିତରେ ବୁଡିରହନ୍ତି ସେମାନେ ମଧ୍ୟ ଶ୍ଲୀଳ ଖୋଜିଖୋଜି ବେଦମ୍ ହୋଇଯାଆନ୍ତି । ପଜେଟିଭ୍ ନେଗେଟିଭ୍ ଭଳି ଶ୍ଲୀଳ, ଅଶ୍ଲୀଳ ଯୋଡି ହୋଇଥାଆନ୍ତି । ଏଠି ଶ୍ଲୀଳ ଭଦ୍ର ଅଶ୍ଲୀଳ ଅଭଦ୍ର ବୋଲି ପ୍ରାୟ ଏଇ ସମାଜରେ ଧରି ନିଆଯାଇଛି । ଶ୍ଲୀଳରେ କିଛି ଅସୁବିଧା ନାହିଁ; କିନ୍ତୁ ଅଶ୍ଲୀଳରେ ମଧ୍ୟ ଆନନ୍ଦ ଅଛି । ସେ ଆନନ୍ଦ ଅନ୍ତଃନିହିତ । ଯାହା କହି ହୁଏନା କି ଦେଖେଇ ହୁଏନା । ବେଳେବେଳେ ‘ଲଜ୍ଜା’ ନାମକ ଏକ ଶଦ୍ଦ ଯୋଡି ହୋଇଯାଏ । ‘ଲଜ୍ଜା’ କାହିଁକି ? ଯାହା ଚିରନ୍ତନ, ପ୍ରକୃତିଦତ ସମସ୍ତଙ୍କଠାରେ ବିଦ୍ୟମାନ, ସେ ସବୁ କଥାକୁ ଶଦ୍ଦରେ ପ୍ରକାଶ କଲେ ଲଜ୍ଜା କାହିଁକି ? ହଁ ଲଜ୍ଜା ବି କରାଯାଏ ଲୁଚା ବି ଯାଏ, ଯଦି କିଛି ଉଦ୍‌ଭଟ ଥାଏ । ଉପନ୍ୟାସରେ ଶ୍ଲୀଳ ଯେପରି ଥାଏ, ଅଶ୍ଲୀଳ ବି ଶଦ୍ଦର କୁହୁକରେ ଥାଏ । ତେଣୁ ଉପନ୍ୟାସ ପଢି ମଣିଷ ଆନନ୍ଦ ପାଏ।

ଆମର ବିଷୟବସ୍ତୁ ଉପନ୍ୟାସ । ତେଣୁ ସାହିତ୍ୟର ଅନ୍ୟାନ୍ୟ ବିଭାଗକୁ ପ୍ରବେଶ ନିଷେଧ । ଉପନ୍ୟାସ ଯେତେବେଳେ ଧରାପୃଷ୍ଠରେ ଉଭା ହେଲା, ସେତେବେଳେ ଚହଳ ପଡିଗଲା, ସାହିତ୍ୟର ବନ୍ଧ୍ୟାଦୋଷ କଟିଗଲା । ସାହିତ୍ୟର ଅନ୍ତରାତ୍ମାରୁ ଫୁଟି ଉଠିଲା ଖାଲି ଫୁଲ ଆଉ ଫୁଲ । କାହିଁ କେତେ କେଉଁଠି ପୁଷ୍ପ ପ୍ରସ୍ଫୁଟିତ ହୋଇଛି ତା’ର କଳନା ନାହିଁ । ଅନ୍ଧମୁହାଣିରୁ ଜୀବନ ସୂର୍ଯ୍ୟୋତୟର ସୁଡଙ୍ଗ ଆଡକୁ ମହାଁଇଲା । ଓଡ଼ିଶାର କିଛିଲୋକ ବ୍ୟବସାୟ ବାଣିଜ୍ୟରେ ବେଶ୍ ଦି’ ପଇସା
ରୋଜଗାର କରି ହାତ ଚିକ୍‌କଣ କରିସାରିଲା ପରେ ସିନେମା, ଯାତ୍ରାରେ ପଶିଗଲେ । ଓଡ଼ିଆ ଭାଷାକୁ ବଞ୍ଚେଇବାର ‘ନାରା’କୁ ଧରି ଇତିହାସ ବନିଯିବାକୁ ବୃଥା ଆସ୍ଫାଳନ କରିବାର ଦେଖାଯାଏ । ଆମ ପିଲାଙ୍କୁ ଖାଲି ମାତୃଭାଷାର ଶ୍ରୁତଲିଖନ ଶିଖାଇ ଭାଷାକୁ ବଞ୍ଚେଇ ରଖିହେବନି ବରଂ ଉପନ୍ୟାସ ଗଳ୍ପ, କବିତା ଭଳି ଅମୂଲ୍ୟ ସମ୍ପଦକୁ ଜନମାନସରେ ପହଁଚେଇବା ପାଇଁ ଅନୁବାଦ କରି ସାରା ବିଶ୍ୱବାସୀଙ୍କୁ ଭେଟି ଦେଇପାରିଲେ ଭାଷାର ଗାରିମା ବଢିବ ।

ଏଠାରେ କେବଳ ଓଡିଆ ଉପନ୍ୟାସର ଇତିହାସ କଥା ବର୍ଣ୍ଣନା କରୁନି – ଆମକୁ ବିଶ୍ୱର ବିଭିନ୍ନ ପ୍ରାନ୍ତ, ଭାଷାରେ ଉପନ୍ୟାସର ଇତିହାସ ଖୋଜିବାକୁ ଗଲେ ଅନେକ ଗଭୀର ଭିତରକୁ ଯିବାକୁ ହେବ । ସେଦିନର ଉପନ୍ୟାସ ଆଜିର ଉପନ୍ୟାସ ମଧ୍ୟରେ ଅନେକ ତଫାତ୍ । କେବଳ ଗୋଟାଏ ଦୁଇଟା ଉଦାହରଣ ଦିଆଯାଇପାରେ । ଋଷ୍‌ବିପ୍ଲବ ସମୟରେ ଗର୍କିଙ୍କ ‘ମଦର’ ଉପନ୍ୟାସଟିକୁ ଲେନିନ୍ ପ୍ରତ୍ୟେକ ବିପ୍ଲବୀକୁ ପଢିବାକୁ ପରାମର୍ଶ ଦେଲେ । ବିପ୍ଲବକୁ ତ୍ୱରାନ୍ୱିତ କରିବାରେ ‘ମଦର’ର ଯୋଗଦାନ ଅବର୍ଣ୍ଣନୀୟ । ସେହିପରି ଟଲଷ୍ଟୟଙ୍କ ରିସ୍‌ରେକ୍‌ସନ (ପୁନର୍ଜୀବନ) ପଢି ମହାତ୍ମାଗାନ୍ଧୀଙ୍କ ମନରେ ଗଭୀର ଆଲୋଡନ ସୃଷ୍ଟି ହେଲା ଏବଂ ସେ ସତ୍ୟାନୁସନ୍ଧାନରେ ଆଗେଇଗଲେ । ଏପରିକି ଶରତଚନ୍ଦ୍ରଙ୍କ ‘ପଥର ଦାବୀ’ ଉପନ୍ୟାସଟି ସେ ସମୟର ବିପ୍ଲବୀମାନଙ୍କୁ ବେଶ୍ ଖୋରାକ୍‌ ଯୋଗାଇଥିଲା ।

ଉପନ୍ୟାସରେ ଔପନ୍ୟାସିକଙ୍କ ନିଃଶ୍ୱାସ, ପ୍ରଶ୍ୱାସ ଅନ୍ୟମାନଙ୍କ ମଧ୍ୟ ଝଣଝଣ ହୋଇ ବାଜେ । କିଏ ଆନନ୍ଦ ପାଆନ୍ତି ତ ଆଉ କିଏ ଯନ୍ତ୍ରଣା । ଅନେକ ମଧ୍ୟ ଜୀବନର ଗତିପଥକୁ ବଦଳାଇଦେଇ ଆଗକୁ ଖୁବ୍ ଆଗକୁ ମାଡିଯାଆନ୍ତି । ଜୀବନ ତାଙ୍କର ଧନ୍ୟ ହୁଏ । ଉପନ୍ୟାସର ଚରିତ୍ର, ବୈଚିତ୍ର‌୍ୟ ଚିତାକର୍ଷକ ହୋଇଥିଲେ ତାହା ଜୀବନର ଶେଷ ଅଧ୍ୟାୟ ପର୍ଯ୍ୟନ୍ତ ବସା ବାନ୍ଧି ରହିଥାଏ । ଉନବିଂଶ ଶତକରେ ଏଇ ବିଶ୍ୱରେ ଅନେକ ଉପନ୍ୟାସ ମଧ୍ୟରୁ ମାତ୍ର ହାତଗଣତି କେତେଖଣ୍ଡ ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା । ବିଂଶ ଶତାଦ୍ଦୀରେ ଅନେକ ଉପନ୍ୟାସର ଜନ୍ମ । ଏକବିଂଶ ଶତାଦ୍ଦୀରେ ଉପନ୍ୟାସର ରୂପରେଖା ବୃଦ୍ଧି ହେବାରେ ଲାଗିଲା । ଜଣ ଜଣଙ୍କର ଜୀବନ ଯନ୍ତ୍ରଣାକୁ ଉପନ୍ୟାସରେ ରୂପ ଦେଲାବେଳେ ଅନ୍ୟଜଣଙ୍କ ସଙ୍ଗେ ଖାପ ଖାଇ ଯାଉଥିଲା । ଜୀବନ ଯନ୍ତ୍ରଣାକୁ ନେଇ ଯେଉଁ ସବୁ ଉପନ୍ୟାସ ସୃଷ୍ଟି ହେଲା ; ସେ ସବୁ ଉପନ୍ୟାସ ସାଧାରଣ ଭାବେ ଗଣା ହେଲା ଜୀବନ ଖୋଜି ବୁଲିଲା ଅସାଧାରଣ ଉପନ୍ୟାସ ।

ମଣିଷ ଯେତେବେଳେ ସାଧାରଣରୁ ଅସାଧାରଣ ଆଡକୁ ଅଗ୍ରସର ହେବାରେ ବାଧା ସୃଷ୍ଟି ହେଲା, ଉପନ୍ୟାସ ମଧ୍ୟ ସାଧାରଣରୁ ଅସାଧାରଣ ସ୍ତରକୁ ଉନ୍ନୀତ ହୋଇପାରିଲା ନାହିଁ । ଯଦିଓ ରାଓଲିଂଗଙ୍କ ଯାଦୁକାରୀ ଉପନ୍ୟାସ ହାରୀପୋର୍ଟର ବିଶ୍ୱ ଇତିହାସରେ ବିକ୍ରୟରେ ରେକର୍ଡ ସୃଷ୍ଟି କଲା, ପିଲାମାନେ ପଢିବାକୁ ପାଗଳ ହୋଇଗଲେ କିନ୍ତୁ ପିଲାଙ୍କ ଜୀବନ ଗଢିବାରେ କୌଣସି ସାହାଯ୍ୟ କଲାନାହିଁ । କେଉଁ ଉପନ୍ୟାସ କେତେ ବିକ୍ରି ହେଲା କି କେତେ ଲୋକଙ୍କ ବୈଠକଖାନା, ପାଠାଗାରରେ ଶୋଭା ପାଇଲା, ଏସବୁ ଯେମିତି ବଡ କଥା ନୁହେଁ, ସେଇଭଳି କମ୍ ବିକ୍ରି, ଅଳ୍ପ ଲୋକଙ୍କ ପାଖରେ ଜୀବନ୍ତ ଉପନ୍ୟାସ ଖଣ୍ଡେ ଥିଲେ ବରୁଦଗଦାରେ ସାମାନ୍ୟ ଡିଆସିଲ କାଠି ଜଳାଇ ଫିଙ୍ଗି ଦେଲାଭଳି ବିସ୍ଫୋରଣ ହେବ ହିଁ ହେବ ।

ସମ୍ପ୍ରତି ସାହିତ୍ୟର ସୃଜନଶୀଳତା ନଷ୍ଟ ହୋଇଯାଇଛି । ଆଜି ବିଶେଷଭାବେ ସାହିତ୍ୟର ସ୍ରୋତ ବାଧାପ୍ରାପ୍ତ ହୋଇଛି ପୁରସ୍କାର ସମ୍ବର୍ଦ୍ଧନାର ପ୍ରତ୍ୟାଶାବାଦ ପାଇଁ । ଏହି ପ୍ରକ୍ରିୟା ସୃଜନଶୀଳତାକୁ ଅନ୍ତଃମୁଖୀ ନକରି ବର୍ହିମୁଖୀ କରିଦେଇଛି ।

ଶାସକଶ୍ରେଣୀଙ୍କର ଡିଆସିଲ କାଠିକୁ ଭାରି ଭୟ । ସେମାନେ ଲେଖକମାନଙ୍କ ଚିନ୍ତା, ଚେତନାକୁ ବିଷାକ୍ତ କରିଦିଅନ୍ତି । ଯେଭଳି ଇଂରେଜମାନେ ଭାରତରେ ରୋଇଦେଇଗଲେ ବିଷବୃକ୍ଷର କାଳକୂଟ ଚେର – ସେ ଚେର ଚରିଗଲା, ପ୍ରବେଶ କଲା ଏ
ମହାଜାତିର ଚିନ୍ତାଚୈତନ୍ୟରେ । ବାସ୍ ! ଆଜି ବି ସେ ବିଷବୃକ୍ଷ ସଂପୂର୍ଣ୍ଣ ନିର୍ମୂଳି ହୋଇନି । କେବଳ କ’ଣ ଇଂରେଜ ସରକାର ଯେତେସବୁ ଦୁରାଚାରୀ, ପାପାଚାର, ଶୋଷକ ଶାସକ ସମସ୍ତେ ସେଇ ଏକା ନାଉର ମଂଜି । ତେଣୁ ଭଲ ଉପନ୍ୟାସ ନ ମିଳିବା ସ୍ୱାଭାବିକ ।

ଭଲ ଉପନ୍ୟାସ ନାହିଁ ଏହି ସାହିତ୍ୟକ୍ଷେତ୍ରରେ ଯେତିକି ଦୁଃସମ୍ବାଦ ; ସାମାଜ କ୍ଷେତ୍ରରେ ତା’ଠାରୁ ଆହୁରି ଅଧିକଗୁଣ ଦୁଃସମ୍ବାଦ ହେଉଛି ଭଲ ମଣିଷଟିଏ ନାହିଁ । ହୁଏତ ସେଇଦିନ ଆସିବ ଭଲ ଉପନ୍ୟାସ ସୃଷ୍ଟିହେବାର ସମୟ, ଯେଉଁଦିନ ସାହିତ୍ୟ ଖୋଜିବ ଭାବୀ ସମାଜ ପାଇଁ ଭଲ ମଣିଷଟିଏ ଯିଏ କେବଳ ନାୟକ ନୁହେଁ, ଆମ ସାମାଜିକ ବିପ୍ଲବର ହେବ ଅଧିନାୟକ । ପାରମ୍ପରିକ ପ୍ରେମ, ପ୍ରବୃତ୍ତି ବା ଆଧୁନିକ ଆସ୍ଫାଳନଧର୍ମିତାର କ୍ଷୁଦ୍ରଚୌହଦି ଛାଡି ଭଲ ଉପନ୍ୟାସର ଲେଖକ ହୁଏତ ମୁହାଁଇବ କ୍ଷେତ , ଖଳା, ଖଣି , ଖାଦାନ ଆଉ ହଜିଯାଇଥିବା ଆଦିବାସୀ ଅନ୍ଧାରିମୁଲକର ନୂଆ ରାସ୍ତାଆଡେ !

ଯାଜପୁର ରୋଡ,ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.