Latest Odisha News

କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ? ରାହୁଲ, ମଲ୍ଲିକାର୍ଜୁନ, ଅଶୋକଙ୍କ ଉପରେ ନଜର

ଆଉ ଦୁଇ ସପ୍ତାହ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ସଭାପତି? କାହାକୁ କଂଗ୍ରେସ ଦଳ ମଙ୍ଗୁଆଳ କରିବ। କାହା ନେତୃତ୍ବରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଖାଲି କଂଗ୍ରେସରେ ଚର୍ଚା ହେଉନି ସାରା ଭାରତରେ ଆଲୋଚନା ହେଉଛି ।

ଆଉ ଦୁଇ ସପ୍ତାହ ପରେ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାର ବିଜ୍ଞପ୍ତି ପ୍ରକାଶ ପାଇବ ।  ୨୨ ସେପ୍ଟେମ୍ବରରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ ଏବଂ ୩୦ରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି। ଦିପାବଳୀ ପୂର୍ବରୁ ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବେ । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ।

ତେବେ କଂଗ୍ରେସ ସଭାପତି ପଦ ପାଇଁ ​​ରାହୁଲ ଗାନ୍ଧୀ ପ୍ରାର୍ଥୀ ହେବା ପାଇଁ ମନା କରିଥିବାରୁ ଏନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ତାଙ୍କ ନେତୃତ୍ବରେ ଦଳ ୨୦୨୪ ନିର୍ବାଚନ ହାରୁ ସେ ଚାହୁଁନାହାଁନ୍ତି । କିନ୍ତୁ କଂଗ୍ରେସର ବରିଷ୍ଠ  ନେତା ନିଶ୍ଚିତ ଅଛନ୍ତି ଯେ ଅକ୍ଟୋବରରେ ହେବାକୁ ଥିବା ଏହି ନିର୍ବାଚନରେ ​​ରାହୁଲ ଗାନ୍ଧି ପ୍ରତିଦ୍ୱନ୍ଦ୍ୱିତା କରିବେ । ହୁଏତ ସେ ସର୍ବସମ୍ମତିକ୍ରମେ  ଅଧ୍ୟକ୍ଷ ନିର୍ବାଚିତ ହୋଇପାରନ୍ତି ।

୨୦୧୯ ରେ ଲୋକସଭା ନିର୍ବାଚନରେ ସବୁ ରାଜ୍ୟରେ ଦଳର ଶୋଚନୀୟ ପରାଜୟ ହୋଇଥିଲା ।  ଦଳର ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ।  ଦଳର ଗୋଟିଏ ଗୋଷ୍ଠୀ ରାହୁଲଙ୍କୁ  ମନାଇବା ପାଇଁ ପ୍ରୟାସ କରିବା କଥା କହୁଥିବା ବେଳେ ଅନ୍ୟ ଗୋଷ୍ଠୀ ନିର୍ବାଚନ କରିବାକୁ କହୁଛନ୍ତି । ଏବେ ରାହୁଲ ଭାରତ ଯୋଡୋ ଯାତ୍ରା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଏହି ଯାତ୍ରା ୧୫୦ ଦିନ ଚାଲିବ ।  ଯଦି ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେବାକୁ ପ୍ରସ୍ତୁତ ନୁହଁନ୍ତି ତେବେ ପରବର୍ତ୍ତୀ ସଭାପତି କିଏ ହେବେ? ଦଳର କାର‌୍ୟ୍ୟକର୍ତ୍ତା  ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି।

ତେବେ ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡଗେଙ୍କ ନାମ ଆଗରେ ରହିଛି। ଏହି ଦୁଇନେତା ଗାନ୍ଧୀ ପରିବାରର ଅତ୍ୟନ୍ତ ଭରସାଯୋଗ୍ୟ ହୋଇଥିବାରୁ ତାଙ୍କୁ ଦାୟିତ୍ବ ଦିଆଯାଇପାରେ ବୋଲି କିଛି କଂଗ୍ରେସର ବରିଷ୍ଠ ନେତା କହୁଛନ୍ତି । ରାହୁଲ ମଧ୍ୟ ଏହି ଦୁଇ ନେତାଙ୍କୁ ବିଶ୍ବାସ କରନ୍ତି ।  ତେବେ ସବୁ ନିଷ୍ପତ୍ତି ହିଁ ରାହୁଲଙ୍କ ଉପରେ ନିର୍ଭର କରୁଛି । ରାହୁଲଙ୍କ ହାତରେ ଆଉ ମାତ୍ର ଦୁଇ ସପ୍ତାହ ଅଛି । ସେ ସଭାପତି ହେବେ ନା ଆଉ କାହାକୁ ଦାୟିତ୍ବ ଦେବେ । ତାହା ସେପ୍ଟେମ୍ବର 22 ପୂର୍ବରୁ ସ୍ପଷ୍ଟ ହୋଇଯିବ ।

Comments are closed.