Latest Odisha News

BREAKING NEWS

ରାଜଧାନୀରେ ଛାତ୍ରୀ ଗର୍ଭବତୀ: ସିଡବ୍ଲ୍ୟୁସିର ପୋଲିସ ନିକଟରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ଏସଟି ଓ ଏସସି ବିଭାଗ ଅଧିନରେ ଥିବା ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀଙ୍କର ପରୀକ୍ଷା ହେବା ପରେ ଜଣେ ଛାତ୍ରୀ ବର୍ତ୍ତମାନ ଗର୍ଭବତୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଡ଼େପୁଟି କମିଶନର ଅଫ ପୋଲିସ (ଡ଼ିସିପି)ଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲା ‘ଚାଇଲ୍ଡ ୱେଲଫେୟାର୍ କମିଟି’ (ସିଡବ୍ଲ୍ୟୁସି) ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଛାନଭିନ୍ନ ଆରମ୍ଭ ହୋଇଛି ।

‘ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ ଅନ୍ତର୍ଗତ ମୋବାଇଲ୍ ହେଲଥ ଚେକ୍ ଅପ୍ ବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଟିମ୍ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀର କେତୋଟି ଛାତ୍ରୀ ନିବାସ ଓ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଛାତ୍ରୀମାନଙ୍କର ‘ନିଶ୍ଚୟ ପ୍ରେଗ୍ନାନ୍ସି କିଟ୍’ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ୨ଟି ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀଙ୍କୁ ଗର୍ଭବତୀ ଥିବା ସନ୍ଦେହ କରାଯାଇ ଡ଼ାକ୍ତରୀ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ୪ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଗର୍ଭବତୀ ରହିଥିବା ପଜିଟିଭ୍ ରିପୋର୍ଟ ଆସିଛି ବୋଲି ଜଣାପଡ଼ିଛି ।

ଏସମ୍ପର୍କରେ ସିଡବ୍ଲ୍ୟସି ଏକ ଇଣ୍ଟର୍ନାଲ୍ କମିଟି ଗଠନ କରିଥିଲେ ଓ ତନାଘନା ଜାରି ରଖିଥିଲେ । ଏହି ଘଟଣାର ଅଭିଯୋଗ ପାଇ ଡ଼ିସିପି ଅନୁପ ସାହୁ ପୋଲିସ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ହଷ୍ଟେଲ୍ ସୁପରିନଟେଣ୍ଡେଣ୍ଟ ତଥା ହଷ୍ଟେଲ ଦାୟିତ୍ୱରେ ରହିଥିବା ବିଭିନ୍ନ କର୍ମଚାରୀମାନଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ଡ଼ିସିପି ଅନୁପ ସାହୁ କହିଛନ୍ତି, ଚାରି ଜଣ ଛାତ୍ରୀଙ୍କୁ ସନ୍ଦେହ କରି ପରୀକ୍ଷା କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ପରୀକ୍ଷା ପଜିଟିଭ୍ ଜଣାପଡ଼ିଛି । ପ୍ରାଥମିକ ପରୀକ୍ଷାରେ ୪ ଜଣ ଛାତ୍ରୀ ଗର୍ଭବତୀ ବୋଲି ଜଣାପଡ଼ିଥିଲା, ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏହି ୪ ଜଣ ଛାତ୍ରୀଙ୍କର ଉଚ୍ଚସ୍ତରୀୟ ଡ଼ାକ୍ତରୀ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ କେବଳ ଜଣେ ଛାତ୍ରୀ ଗର୍ଭବତୀ ବୋଲି ଜଣାପଡ଼ିଛି । ଅନ୍ୟ ୩ ଜଣ ଛାତ୍ରୀ ଗର୍ଭବତୀ ନଥିବା କଥା ଡ଼ାକ୍ତରୀ ପରୀକ୍ଷାରୁ ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛିମାସ ପୂର୍ବରୁ ଆଦିବାସୀ ଅଧ୍ୟୁଷିତ କେତେକ ଜିଲ୍ଲାରେ ଏହିଭଳି କାଣ୍ଡ ଘଟି ଆଲୋଡ଼ନ ସୃଷ୍ଟି କରିଥିଲା । ରାଜ୍ୟ ସରକାରଙ୍କ ଛାତ୍ରୀନିବାସର ସୁରକ୍ଷା ଲାଗି ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.