ଆରଡ଼ି: ରାଜ୍ୟରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକର ଚାଲିଛି ନବକଳେବର। ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସର ପାଇବ ନୂଆ ରୂପ । ଏଥିପାଇଁ ସମସ୍ତ ଯୋଜନା ଆରମ୍ଭ ହୋଇଛି । ଏହି ପୀଠର ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ । ଏହି ଯୋଜନାରେ ଭକ୍ତଙ୍କ ସୁବିଧା ନିମନ୍ତେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ । ଆନନ୍ଦ ବଜାର, ଉପାସନା ସ୍ଥଳୀ, ଶିଶୁ ଉଦ୍ୟାନ ନିର୍ମାଣ କରାଯିବ । ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ବ୍ୟବସ୍ଥା ହେବ । ଯେଉଁମାନେ ଘର, ଜମି ହରାଇବେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।

ବସଷ୍ଟାଣ୍ଡ ନୂଆରୂପ ପାଇବ । ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ବଜାର ରାସ୍ତାର ପ୍ରଶସ୍ତିକରଣ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ପାଇଁ ମନ୍ଦିର ଚତୁଃପାର୍ଶ୍ବ, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବ ଓ ମୁଖ୍ୟ ବଜାର ରାସ୍ତାର ଉଭୟ ପାର୍ଶ୍ବରୁ ୧୩୦ ପରିବାରକୁ ସହାୟତା ପ୍ରଦାନ କରାଯାଇ ବିସ୍ଥାପିତ କରାଯିବ।
ବାବା ଆଖଣ୍ଡଳମଣିଙ୍କ ଶୈବ ପୀଠରେ ପର୍ବପର୍ବାଣୀରେ ବାବାଙ୍କ ଆଶିଷ ଲାଭ ପାଇଁ ହଜାର ହଜାର ଭକ୍ତ ସମାଗମ ହୁଅନ୍ତି । ତେଣୁ ପୀଠର ମହିମା ବୃଦ୍ଧି ସହ ଶ୍ରୀ ବର୍ଦ୍ଧନ ପାଇଁ ଏସବୁ କରାଯିବାକୁ ନିଷ୍ପତ୍ତି ହୋଇଛି । ପୀଠର ସଂକୀର୍ଣ୍ଣ ପରିସର ଯୋଗୁଁ ଜାଗରଯାତ୍ରା, ଶ୍ରାବଣୀ ଓ ଶିବବିବାହ ଆଦି ଉତ୍ସବରେ ଆଉ ସମସ୍ୟା ହେବ ନାହିଁ । ଶ୍ରଦ୍ଧାଳୁଙ୍କ ଆଗମନକୁ ଲକ୍ଷ୍ୟ କରି ୭୭ କୋଟି ଟଙ୍କା ଅନୁଦାନ ଦେବେ ରାଜ୍ୟ ସରକାର । ମଙ୍ଗଳବାର ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ସମ୍ପର୍କରେ ଭଦ୍ରକ ସାଂସଦ, ଜିଲ୍ଲାର ବିଧାୟକ ଓ ସରକାରୀ ଅଧିକାରୀଙ୍କ ସହ ଆଖଣ୍ଡଳମଣି ଧାମରେ ସମୀକ୍ଷା କରିଛନ୍ତି ।
୨୦୨୦ରେ ମୁଖ୍ୟମନ୍ତ୍ରୀ ଦେବାଦେବୀଙ୍କ ପୀଠ ଉନ୍ନତି ନାମରେ ଆଖଣ୍ଡଳମଣି ଧାମର ଉନ୍ନତି ପାଇଁ ୬ କୋଟି ଟଙ୍କା ବରାଦ କରିଥିଲେ । ଏହି ପୀଠକୁ ନୂଆ ରୂପରଙ୍ଗ ଦେବା ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନିବେଦନରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କ୍ରମେ ଏବେ ୭୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଯେଉଁ ସେବାୟତଙ୍କ ଘର ଉଚ୍ଛେଦ ହେବ, ସେମାନଙ୍କୁ ଏହି ଟଙ୍କାରୁ କ୍ଷତିପୂରଣ ଦିଆଯିବ । ବସ୍ଷ୍ଟାଣ୍ଡରୁ ବାବାଙ୍କ ମନ୍ଦିର ଦେଖାଯିବା ପାଇଁ ରାସ୍ତା ସିଧା କରାଯିବ । ବେଢ଼ା ପାଖରେ ଥିବା ଶିବଗଙ୍ଗା ପୁଷ୍କରଣୀର ରୂପ ବଦଳିବା ସହ ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ ୩ କୋଟି ଟଙ୍କାର ଏକ ପାନ୍ଥନିବାସ ନିର୍ମାଣ ହେବ । ୨ କୋଟି ଟଙ୍କାର ମାର୍କେଟ୍ କମ୍ପେ୍ଲକ୍ସ ଓ ଉପର ତାଲାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ହେବ । ପ୍ରସିଦ୍ଧ ଶୈବପୀଠକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ୬ କୋଟି ୧୦ ଲକ୍ଷ ଟଙ୍କାର ଏକ ସାଇନ୍ସ ପାର୍କ କୋଳେଇପଦାଠାରେ ନିର୍ମାଣ ହେବ ।

ପୂର୍ବରୁ ଏହି ପୀଠର ଉନ୍ନତିକରଣ ପାଇଁ ୧୭ କୋଟି ଟଙ୍କା ବରାଦ ହୋଇଛି । ଏବେ ପୁଣି ୭୭ କୋଟି ଟଙ୍କା ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ସରକାର ପ୍ରଦାନ କରିବେ । ନୂଆ ବସ୍ଷ୍ଟାଣ୍ଡ୍ ନିର୍ମାଣ ଜାନୁଆରୀଠାରୁ ଆରମ୍ଭ କରାଯିବ । ମଙ୍ଗଳବାର ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ ବ୍ୟୋମକେଶ ରାୟ, ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ଏନ୍ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଧାମନଗର ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା, ବିଜେଡି ଉପସଭାପତି ଅଶୋକ ବଳ, ଦ୍ୱିଜବର ରାଉତ, ପ୍ରିନ୍ସ ରାକେଶ ନାୟକ, ଉପାଧ୍ୟକ୍ଷ ସରୋଜ ବଳ, ଅଶୋକ ନାୟକ, ଅରବିନ୍ଦ ପାଢ଼ୀ, ଗଦାଧର ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ ।
Comments are closed.