Latest Odisha News

ଭାଷା ଭାଗବତ : ଅଯଥା ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଆମ୍ଭର ଆମର ଓ ଆମ
ତୁମ୍ଭର ତୁମର ଓ ତୁମ
ଏପରି ହେଲେ ଧ୍ବନି କ୍ଷୟ
ଭାଷା ତ ଲଭେନି ବିଲୟ!

ସଙ୍ଖ୍ୟା ଦିଶୁ ଅଥବା ସଂଖ୍ୟା
ଅସଂଖ୍ୟ ଲୋକ ପାଇ ଶିକ୍ଷା
କରଂତି ସ୍ବଭାଷାକୁ ରକ୍ଷା
ମନରୁ ହଟାଇ ଆଶଂକା

ସରଳୀକୃତ ଭାଷା ରୀତି
ମାନି ଚଳଂତି ଏଠି ବ୍ୟକ୍ତି
ଏହାକୁ କରିଲେ ଆପତ୍ତି
ସଂଭବ ନୁହେ ଅଗ୍ରଗତି

ନିଜ ସୁବିଧା ଅନୁସାରେ
ଯେ ଭାଷା ବ୍ୟବହାର କରେ
ସେ ସତେ ଭାଷା ସଂରକ୍ଷକ
ଜ୍ଞାନୀଏ ବିଧି ନିର୍ଧାରକ

ଲୋକଂକ ନିକଟେ ପହଂଚି
ସ୍ବଭାଷା ରହିଅଛି ବଂଚି
ଘଟୁଛି ବହୁ ରୂପାଂତର
ଭାଷୀଏ କରଂତି ସ୍ବୀକାର

ଅଥଚ ଭାଷାଜ୍ଞାନୀଗଣ
କରଂତି ନିଷେଧ, ବାରଣ
ଦେଖାଂତି ନିଜର ପାଂଡିତ୍ୟ
ଲେଖଂତି ଅବୁଝା ସାହିତ୍ୟ

ଲୋକଂକୁ ଛାଡ଼ି ଭାଷା ଚର୍ଚା
ମୁଖ୍ୟତଃ ହେଲେ ଦରପଚା
ତହିଁର କୌଣସି ପ୍ରଭାବ
କେହି ନ କରେ ଅନୁଭବ

ଲୋକ ଓ ଜ୍ଞାନୀ ଦୁଇ ଦଳ
ହେଲେ ହେଁ ସକ୍ରିୟ ସଚଳ
କେହି କାହା ସହିତ ନାହିଁ
ଅଯଥା ଚିଂତିତ କିପାଇଁ ?

ଜ୍ଞାନୀ କରିଲେ ବ୍ୟବସାୟ
ହୁଏ ଜ୍ଞାନର ଅବକ୍ଷୟ
ଅଥଚ ଲୋକଂକର ମତି
ବୁଝେ ବାସ୍ତବ ପରିସ୍ଥିତି

 

Comments are closed.