Latest Odisha News

ବୈତାଳ ମନ୍ଦିର

ସୁକାନ୍ତ କୁମାର ପଣ୍ଡା

ମାଉସୀ ମା’ ମନ୍ଦିର ଛକରୁ ରଥ ରୋଡରେ ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତାରେ ବଡଦାଣ୍ଡ ସାହି ମଝିରେ ବାମ ପଟେ ଯେଉଁ ସୁନ୍ଦର ମନ୍ଦିରଟି ପଡେ, ତାର ନାମ ହେଉଛି ବୈତାଳ ମନ୍ଦିର । ମନ୍ଦିରର ତିନୋଟି ଚୂଡା ଥିବାରୁ ସାଧାରଣରେ ତିନି ମୁଣ୍ଡିଆ ମନ୍ଦିର ଭାବରେ ଏହା ଅଧିକ ପରିଚିତ । ଏକାମ୍ର କ୍ଷେତ୍ର

ଭୌମକର ରାଜବଂଶର ରାଜତ୍ବ ସମୟରେ ୭୭୫ ଖ୍ରୀଷ୍ଟାଦ୍ଦରେ ବୈତାଳ ମନ୍ଦିର ନିର୍ମିତ । ମନ୍ଦିରର ଉଚ୍ଚତା ପ୍ରାୟ ୩୫ ଫୁଟ । ଉଭୟ ମନ୍ଦିରର ଗର୍ଭ ଗୃହ ଓ ଜଗମୋହନ ଆୟତାକାର। ମନ୍ଦିରର ଜଗମୋହନ ଛାତ ସମତଳ ଏବଂ ଚାରି ଦିଗରେ ଚାରି ଗୋଟି କ୍ଷୁଦ୍ର ମନ୍ଦିର ମଧ୍ୟ ରହିଛି। ଭୁବନେଶ୍ବରରେ ଶକ୍ତି ପୂଜା ପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ମନ୍ଦିର ମାନଙ୍କ ମଧ୍ୟରେ ଏହା ପ୍ରଥମ। ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ ।

ମନ୍ଦିରର ନିର୍ମାଣ ଶୈଳୀରେ ଦକ୍ଷିଣ ଭାରତର ମହାବଳିପୂରମର ଗୋପୁରମ୍‌ ଶୈଳୀର ଅଧିକ ପ୍ରଭାବ ରହିଛି ବୋଲି କେତେକ ଐତିହାସିକ ମତ ଦେଉଥିବା ବେଳେ, ଅନ୍ୟ କେତେକ ଏହା ବୌଦ୍ଧ ଚୈତ୍ର ଗୃହ ଅନୁକରଣରେ ନିର୍ମିତ ହୋଇଛି ବୋଲି ମତ ଦେଇଛନ୍ତି । ମନ୍ଦିରର ସ୍ଥାପତ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏଥିରେ ଶୈବ, ଶାକ୍ତ ଓ ମହାଜାନ, ବୌଦ୍ଧ ଧର୍ମର ପ୍ରଭାବ ଅତ୍ୟନ୍ତ ସୁସ୍ପଷ୍ଟ । ମନ୍ଦିର କାନ୍ଥରେ ହରିହର, ଅର୍ଦ୍ଧନାରୀଶ୍ବର, ଲକୁଳିଶ, ବୀରଭଦ୍ର, ଭୈରବ, ଗଜାନ୍ତକରୀ ମୂର୍ତ୍ତୀ ଓ ତାନ୍ତ୍ରିକ ମହାଜାନ ଅମୋଘସିଦ୍ଧି ମୂର୍ତ୍ତୀ ରହିଥିବାରୁ ଦେଖାଯାଏ । କଳିଙ୍ଗ ମନ୍ଦିର ଶୈଳୀରେ ନିର୍ମିତ ଏହି ମନ୍ଦିରଟି ଶକ୍ତି ପୂଜା ପାଇଁ ପ୍ରକୃଷ୍ଟ ଖାଖର ଶୈଳୀର ବୋଲି ଗବେଷକ ମାନଙ୍କ ଦ୍ୱାରା ପ୍ରମାଣିତ .।

ମନ୍ଦିରଟି ବୋଇତ ଆକାର ପରି ଦେଖାଯାଉଥିବାରୁ କେତେକ ଐତିହାସିକ ଏହା ବୋହିତ୍ରର ଅପଭ୍ରଂଶ ହୋଇ ବୈତାଳ ନାମରେ ପରିଚିତ ହୋଇଛି ବୋଲି ଯେଉଁ ମତ ଦେଇଥାନ୍ତି। ତାହା ଯୁକ୍ତିଯୁକ୍ତ ବୋଲି ମନେ ହୁଏ ନାହିଁ । ଅନ୍ୟ ପକ୍ଷରେ ଏହି ମନ୍ଦିରଟି ଏକ ତନ୍ତ୍ର ପୀଠ ଏବଂ ତନ୍ତ୍ର ସାଧନା ପାଇଁ ଆସୁଥିବା କାପାଳିକ ମାନେ ବେତାଳ ଶକ୍ତିର ବ୍ୟବହାର କରି ସିଦ୍ଧି ଲାଭ କରୁଥିବାରୁ, ଏ ମନ୍ଦିରର ନାମ ବୈତାଳ ହୋଇଛି ବୋଲି ଅଧିକ ଗ୍ରହଣୀୟ ମନେ ହୁଏ।

ପୂର୍ବାଭୀମୁଖି ବୈତାଳ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି କପାଳୀ ଦେବୀ । ଚାମୁଣ୍ଡା ମୂର୍ତ୍ତି । ଶବ ଉପରେ ଦେବୀ ଅଧିଷ୍ଠିତା । ଗଳାରେ ମୁଣ୍ଡମାଳା। ଦେବୀ ଅଷ୍ଟଭୂଜା । ହାତରେ ଖଣ୍ଡା ଖର୍ପର ସହ ବୀଣା ମଧ୍ୟ ଧାରଣ କରିଛନ୍ତି। ପାଦଦେଶରେ ଶୃଗାଳ ଓ ପେଚା ଉଭୟ ବାହାନ ଭାବରେ ବିରାଜିତ।

ଏକାମ୍ର କ୍ଷେତ୍ରରେ ଅଧିଷ୍ଠିତ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ କପାଳୀ ଦେବୀ ଅନ୍ୟତମ ପୂଜକଙ୍କ ମତରେ କପାଳୀ ଦେବୀ ହେଉଛନ୍ତି ମହାଲକ୍ଷ୍ମୀ, ମହାକାଳୀ ଓ ମହାସରସ୍ବତୀଙ୍କ ସମନ୍ବିତ ରୂପ । ତେଣୁ ଏହାର ପ୍ରତୀକ ସ୍ବରୂପ ମନ୍ଦିରରେ ତିନି ଗୋଟି ଚୂଡା ରହିଛି । ମନ୍ଦିରର ଗର୍ଭ ଗୃହ କାନ୍ଥରେ ଦେବୀ ଚାମୁଣ୍ଡାଙ୍କ ସହ ଭୈରବ, ଗଣେଶ , ଅଷ୍ଟମାତୃକା, ଅବଲୋକିତେଶ୍ବର ଓ ବୀରଭଦ୍ର ଆଦି ୧୪ଟି ମୂର୍ତ୍ତୀ ପୂଜିତ ହେଉଛନ୍ତି। ମନ୍ଦିରର ପାର୍ଶ୍ବ ଦେବତା ଭାବରେ ବାହାର କାନ୍ଥରେ ଦକ୍ଷିଣରେ କମଣ୍ଡଳୁ ଜପାମାଳି ଓ ତ୍ରିଶୂଳହସ୍ତା ଦେବୀ ପାର୍ବତୀ, ଉତ୍ତରରେ ମହିଷା ମର୍ଦ୍ଦିନୀ ଦୂର୍ଗା, ପଶ୍ଟିମରେ ଅର୍ଦ୍ଧନାରୀଶ୍ବର ପୂଜା ପାଉଛନ୍ତି । ଶାରଦୀୟ ଷୋଡଶ ଦିବସ ପାର୍ବଣ ପୂଜା ମା’ଙ୍କର ମୁଖ୍ୟ ପର୍ବ। ମା’ଙ୍କ ପାଖରେ ମାଛ ଭୋଗ ଲାଗୁଥିଲେ ମଧ୍ୟ ପାର୍ବଣ ସମୟରେ ସଂପୂର୍ଣ୍ଣ ଶାକାହାରୀ ପ୍ରସାଦ ଅର୍ପଣ କରାଯାଇଥାଏ । ପ୍ରାଚୀନ କାଳରେ କାପାଳିକମାନେ ସିଦ୍ଧି ଲାଭ ପାଇଁ ଏଠାରେ ନରବଳୀ ଦେଉଥିବା ବିଷୟ ଲୋକ ମୁଖରୁ ଶୁଣାଯାଏ।

କପାଳୀ ଦେବୀଙ୍କୁ ଭୁବନେଶ୍ବରର ଗ୍ରାମ ଦେବତୀ ଭାବରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ ପୂଜା କରାଯାଏ। ଶ୍ରୀଲିଙ୍ଗରାଜ ମହାପ୍ରଭୂଙ୍କ ୨୨ ଦିନ ବ୍ୟାପି ଚନ୍ଦନ ଯାତ୍ରା ସମୟରେ ବିନ୍ଦୁସାଗରରୁ ଫେରିବା ବାଟରେ ବୈତାଳ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କୁ ପଂକ୍ତି ଭୋଗ ଲାଗି କରାଯାଇଥାଏ । ସେହିପରି ଶୀତଳ ଷଷ୍ଠୀ ଦିନ ବିବାହ ପରେ ଫେରିବା ବାଟରେ ମହାପ୍ରଭୁଙ୍କୁ ଏହି ମନ୍ଦିର ପ୍ରାଙ୍ଗଣରେ ପଂକ୍ତି ଭୋଗ ସମର୍ପଣ କରାଯାଏଥାଏ। ଫାଲଗୁନ ମାସରେ ଫଗୁ ଦ୍ବାଦଶୀ ଦିନ ଲିଙ୍ଗରାଜ ମହାପ୍ରଭୁ ଏହି ମନ୍ଦିର ପ୍ରାଙ୍ଗଣକୁ ଆସିଥାନ୍ତି ଏବଂ ଏଠାରେ ତାଙ୍କର ଚାତେରୀ ଭୋଗ ନୀତି ସଂପର୍ଣ୍ଣ କରାଯାଇଥାଏ।

ବୈତାଳ ମନ୍ଦିରର ପ୍ରାଙ୍ଗଣର ଉତ୍ତର ଭାଗରେ ଶିଶିରେଶ୍ବର ମହାଦେବଙ୍କ ମନ୍ଦିର ରହିଛି ଏବଂ ଏହା ସୁନ୍ଦର କାରୁକାର୍ଯ୍ୟ ସଂପନ୍ନ ଅଟେ । ଏହି ମନ୍ଦିରରେ ମଧ୍ୟ ମହାଯାନ ବୌଦ୍ଧ କଳାର ପ୍ରଭାବ ପରିଲକ୍ଷିତ ହୋଇଥାଏ । ବୈତାଳ ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣ-ପୂର୍ବ କୋଣରେ ଏକ କ୍ଷୁଦ୍ର ମନ୍ଦିର ରହିଛି । ଏହି ମନ୍ଦିର ମଧ୍ୟରେ ଏକ ସ୍ତମ୍ଭ ରହିଛି । ଏହି ସ୍ତମ୍ଭର ଚାରି ଦିଗରେ ଯଥା – ପୂର୍ବ ଦିଗରେ ଏକପାଦ ଭୈରବ, ଉତ୍ତରରେ ଗଣେଷ, ଦକ୍ଷିଣରେ ସରସ୍ବତୀ ଓ ପଶ୍ଚିମରେ ପାର୍ବତୀଙ୍କ ମୂର୍ତ୍ତୀ ବିଦ୍ୟମାନ ।

ମନ୍ଦିରର ଚତୁପାର୍ଶ୍ବରେ ୫ ଫୁଟ ଉଚ୍ଚର ପଥର ପାଚେରୀ ରହିଥିଲେ ମଧ୍ୟ ସମୟକ୍ରମେ ରାସ୍ତାର ଉଚ୍ଚତା ବୃଦ୍ଧି ଯୋଗୁ ଉଭୟ ଡ୍ରେନ୍‌ ଓ ରାସ୍ତା ପାଚେରୀ ସହ ସମାନ ହୋଇଗଲାଣି । ଏ.ଏସ୍‌.ଆଇ.ର କ୍ରମାଗତ ଅବହେଳା ଯୋଗୁ ମନ୍ଦିର ପରିସରରେ ବର୍ଷା ପାଣି ଦୀର୍ଘ ଦିନ ଧରି ଜମି ରହୁଛି । ଯାହା ଫଳରେ ମନ୍ଦିରର ଚଟାଣ ବିରୂପ ହେବା ସହ ମନ୍ଦିର ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି ।

Comments are closed.