Latest Odisha News

ରାଜ୍ୟରେ ବଢିଛି ରାଜସ୍ୱ ଅବିବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ  ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି ।  ଗତ ବର୍ଷ ଏହି ସମୟସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ  ଚଳିତ ବର୍ଷ  ଏହା ପ୍ରାୟ ୩୬,୪୫୫ କୋଟି ଟଙ୍କାରେ  ପହଞ୍ଚିଛି ।  ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଚିବସ୍ତରୀୟ  ବୈଠକର  ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନ ସଭା ଗୃହଠାରେ  ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ  ପ୍ରମୁଖ ଶାସନ ସଚିବ  ବିଶାଳ କୁମାର ଦେବ ରାଜ୍ୟର  ରାଜସ୍ୱ ସଂଗ୍ରହ ଏବଂ  ବଜେଟ୍ ଅର୍ଥ ବିନିଯୋଗ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।

ବିଭାଗୱାରୀ ସ୍ଥିତିର ସମୀକ୍ଷା କରି ବିଭିନ୍ନ ପ୍ରକଳ୍ପ ଓ ଯୋଜନା କ୍ଷେତ୍ରୟନ ତ୍ୱରାନ୍ୱିତ କରିବାକୁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  ପ୍ରକଳ୍ପର ଗୁଣାତ୍ମକମାନ  ବଜାୟରଖିବା ସହ  ବିନିଯୋଗ  ହେଉଥିବା ଅର୍ଥରୁ ଯେପରି ଜନସାଧାରଣ ସର୍ବାଧିକ  ସୁବିଧା  ପାଇପାରିବେ ସେ ଦିଗ ଉପରେ  ଲକ୍ଷ୍ୟଦେବା ପାଇଁ ବିଭାଗମାନଙ୍କୁ କୁହାଯାଇଥିଲା । ଆସନ୍ତା ଆର୍ଥିକ ବର୍ଷରେ ବଜେଟ୍ରେ ସମ୍ବାବ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଆଗୁଆ ପ୍ରକଳ୍ପ ଚିହ୍ନଟ ଏବଂ ପ୍ରସ୍ତାବ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା ।

ସମୀକ୍ଷାରୁ  ଜଣାପଡିଥିଲା ଯେ ଗତ ବର୍ଷ ଅଗଷ୍ଟ ମାସ ଶେଷସୁଦ୍ଧା ରାଜ୍ୟ ଟିକସ୍-ରାଜସ୍ୱ  ୧୪,୭୩୧ କୋଟି ଥିବା ବେଳେ  ଚଳିତ ବର୍ଷ  ଅଗଷ୍ଟ ଶେଷସୁଦ୍ଧା ଏହା ୧୭,୭୨୨.୨୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହାକି  ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୦.୩୦ ଶତକଡା ଅଧିକ । ସେହିପରି ଅଣ-ଟିକସ୍ ରାଜସ୍ୱ ୨୦୨୧ ଅଗଷ୍ଟ ଶେଷସୁଦ୍ଧା ୧୬,୮୧୭ କୋଟି ଥିବା ବେଳେ ୨୦୨୨ ଅଗଷ୍ଟ ଶେଷସୁଦ୍ଧା  ଏହା ୧୮,୭୩୨.୬୭ କୋଟି ଟଙ୍କାରେ ପହଞ୍ଚିଛି । ଏ କ୍ଷେତ୍ରରେ ମଧ୍ୟ ପ୍ରାୟ ୧୧.୩୯ ପ୍ରତିଶତ ବୃଦ୍ଧି ଘଟିଛି ।  ଏହିପରି ସମୁଦାୟ ଟିକସ୍ ଓ ଅଣ-ଟିକସ୍ ରାଜସ୍ୱରେ ସାମଗ୍ରିକ ଭାବେ ହାରାହାରି  ୧୫.୫୫ ପ୍ରତିଶତ ବୃଦ୍ଧି ହୋଇଛି ।

ବଜେଟ୍ ବିନିଯୋଗ ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧ ଅଗଷ୍ଟମାସ ଶେଷସୁଦ୍ଧା ବିଭିନ୍ନ ଯୋଜନା ଓ ପ୍ରକଳ୍ପରେ ୧୮,୮୨୧ କୋଟି ଟଙ୍କା ବିନିଯୋଗ  ହୋଇଥିବାବେଳେ ଚଳିତ ବର୍ଷ ଏହି ବିନିଯୋଗ ୨୦,୨୧୧ କୋଟି  ଟଙ୍କାରେ ପହଞ୍ଚିଛି । ଭିତ୍ତିଭୂମି ବିକାଶ, କୃଷି, ପାନୀୟଜଳ ଯୋଗାଣ, ଜଳସେଚନ, କୃଷକମାନଙ୍କ ଆୟବୃଦ୍ଧି ଏବଂ ମହିଳା ସଶକ୍ତିକରଣ ଆଦି ପ୍ରକଳ୍ପରେ ଆବଣ୍ଟିତ ଅର୍ଥର ଶତପ୍ରତିଶତ ବିନିଯୋଗ ନିର୍ଦ୍ଧାରିତ ସମୟ ମଧ୍ୟରେ  ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିାନର  ପ୍ରଦୀପ କୁମାର ଜେନା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସଂଜୀବ ଚୋପ୍ରା, ରାଜସ୍ୱ   ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସତ୍ୟବ୍ରତ ସାହୁ, ସାଧାରଣ ଉଦ୍ୟୋଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ନିକୁଞ୍ଜ କିଶୋର ସୁନ୍ଦରାୟ, ଜଳ ସଂପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗଙ୍କ ସମେତ  ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ  ଓ ସ୍ୱତନ୍ତ୍ର ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

 

 

Comments are closed.