Latest Odisha News

BREAKING NEWS

ଏଥର ଟାର୍ଗେଟରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଧିରେ ଧିରେ ଲୟକୁ ଫେରୁଛନ୍ତି । ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଏବେ ଭାରତର ନଜର ଦକ୍ଷିଣ ଆଫ୍ରିକା ଉପରେ ରହିଛି । ବିଜୟ ଧାରା ବଜାୟ ରଖି ବିଶ୍ୱକପ ଖେଳିବାକୁ ଯିବା ପାଇଁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଚାହିଁବ । ୪ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଉଭୟ ଦେଶ ମଧ୍ୟରେ ଟି୨୦ ସିରିଜ ଖେଳାଯିବ । ଏହା ପୂର୍ବରୁ ଜୁନରେ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଶେଷ ହୋଇଥିଲା । ସେହିପରି ୨୦୧୯ରେ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଥିଲା । ଟି୨୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲା ଭାରୀ ରହିଛି । ଉଭୟ ଦେଶ ମଧ୍ୟରେ ୨୦ ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୧୧ରେ ଏବଂ ଦକ୍ଷିଣ ଆଫ୍ରିକା ୮ଟିରେ ବିଜୟ ହାସଲ କରିଛନ୍ତି । ଗୋଟିଏ ମ୍ୟାଚ ଫଳାଫଳ ବିହୀନ ରହିଥିଲା । ବିଶ୍ୱକପ ପୂର୍ବରୁ ଭାରତର ଏହା ଶେଷ ମୁକାବିଲା ହୋଇଥିବାରୁ ଟିମ କମ୍ବିନେଶନ ପ୍ରସ୍ତୁତ କରିବାରେ ଏହା ହେବ ଅନ୍ତିମ ସୁଯୋଗ ।

ଏବେ ବି ଦଳ ବୋଲିଂ, ଓପିନଂ ଓ ୱିକେଟକିପରଙ୍କୁ ନେଇ ଦ୍ୱନ୍ଦ୍ୱରେ ରହିଛି । ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଟି୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ୨୮ ସେପ୍ଟମ୍ବର, ୨ ଓ ୪ ଅକ୍ଟୋବରରେ ଯଥାକ୍ରମେ ତିରୁୱନ୍ତପୁରମ, ଗୌହାଟୀ, ଇନ୍ଦୋରରେ ଟି୨୦ ମ୍ୟାଚ ଖେଳାଯିବ । ସେହିପରି ୬,୯ ଓ ୧୧ ଅକ୍ଟୋବରରେ ଲକ୍ଷ୍ନୌ, ରାଂଚୀ, ଦିଲ୍ଲୀରେ ଦିନିକିଆ ମ୍ୟାଚ ଖେଳାଯିବ ।
ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାଶ ଆୟାର, ରିଷଭ ପନ୍ତ, ଦୀନେଶ କାର୍ତିକ, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଶାହାବାଜ ଅହମ୍ମଦ, ଅର୍ଶଦୀପ ସିଂ, ଉମେଶ ଯାଦବ, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତ ବୁମରାହ ।

Comments are closed.