ମୁମ୍ବାଇ: ଆଇପିଏଲ ୨୦୨୭ ପୂର୍ବରୁ ଏକ ବଡ ଟ୍ରେଡ ଡିଲ ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି । ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ଓ କିଙ୍ଗସ ଏକାଦଶ ପଞ୍ଜାବର ଅର୍ଶଦୀପ ସିଂଙ୍କ ମଧ୍ୟରେ ଏହି ଡିଲ ହେବ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଳି ବିନିମୟ ପାଇଁ ଚାଲିଥିବା ଆଲୋଚନା ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଉଭୟ ଫ୍ରାଞ୍ଚାଇଜି ବିସିସିଆଇ ନିକଟକୁ ଇଓଆଇ ପଠାଇ ସାରିଛନ୍ତି । ଯାହା ଫଳରେ ବିସିସିଆଇର ଆନୁଷ୍ଠାନିକ ମୋହର ବାକି ରହିଛି । ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ଇନିଂସ ଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସରେ ସାମିଲ ହେବାକୁ ରାଜି ହୋଇଛନ୍ତି । ଗତ ୫ ବର୍ଷ ଧରି (ଗୁଜରାଟ ଓ ମୁମ୍ବାଇରେ) ଅଧିନାୟକତ୍ୱ କରିଥିବା ହାର୍ଦ୍ଦିକ, ପଞ୍ଜାବରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଜଣେ ଅଲରାଉଣ୍ଡର ଭାବେ ଖେଳିବେ ।
ମୁମ୍ବାଇ ଇଣ୍ଡିଆନ୍ସ ନିଜର ବୋଲିଂ ବିଭାଗକୁ ମଜବୁତ୍ କରିବା ପାଇଁ ଜସପ୍ରୀତ ବୁମରାଙ୍କ ସହ ଅର୍ଶଦୀପ ସିଂହଙ୍କୁ ସାମିଲ କରୁଛି, ଯିଏ ଭାରତର ଅନ୍ୟତମ ଶ୍ରେଷ୍ଠ ଡେଥ୍-ଓଭର ବୋଲର । ଉଭୟ ଖେଳାଳି ସମ୍ମତି ଦେଇସାରିଥିବାରୁ ଆସନ୍ତା କିଛି ଦିନ ମଧ୍ୟରେ ଏହାର ଅଫିସିଆଲ୍ ଘୋଷଣା ହେବ । ହାର୍ଦ୍ଦିକ ପଞ୍ଜାବ ଦଳରେ ମୁଖ୍ୟ ଫାଷ୍ଟ-ବୋଲିଂ ଅଲରାଉଣ୍ଡର ଭାବେ ଖେଳିବେ । ସେ ମିଡିଲ ଓଭରଗୁଡ଼ିକରେ ବୋଲିଂ ସମ୍ଭାଳିବା ସହ ଶେଷ ଓଭରଗୁଡ଼ିକରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାର ଦାୟିତ୍ୱ ନେବେ । ବ୍ୟାଟିଂ କ୍ରମରେ ସେ ୫ମ କିମ୍ବା ୬ଷ୍ଠ ସ୍ଥାନରେ ଆସି ବଡ଼ ବଡ଼ ସଟ୍ସ ଖେଳି ମ୍ୟାଚ୍ ଫିନିଶ୍ କରିବେ, ଯାହାର ଆବଶ୍ୟକତା ପଞ୍ଜାବ ଦଳକୁ ଦୀର୍ଘ ଦିନରୁ ଥିଲା ।
