Latest Odisha News

ରାୟଗଡାରେ ଶକ୍ତି ପଦର୍ଶନ

ରାୟଗଡା :  ରାୟଗଡା ଜିଲ୍ଲା ସଦର ମହକୁମାରେ ଆଜି ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ନିଜ ଶକ୍ତି ପଦର୍ଶନ କରିଛନ୍ତି ।

ଗୋଟିଏ ପଟେ ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ ।  ରାୟଗଡ଼ା ଜିଲ୍ଲା ବିଜେଡ଼ି ତରଫରୁ ଏକ ପ୍ରତନିଧି କର୍ମଶାଳାରେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି , ପୂର୍ବତନ ମନ୍ତ୍ରୀ , ପୂର୍ବତନ ସାଂସଦ ,ଜିଲ୍ଲା ବିଜେଡ଼ି ସଭାପତିଙ୍କ ସମେତ ଅନେକ ବିଜୁ ଛାତ୍ର, ଯୁବ ଓ ମହିଳା କର୍ମୀ ମଧ୍ୟ ଯୋଗଦେଇଥିଲେ । ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରା ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ  । ରାଜ୍ୟ ସରକାରଙ୍କ ଦ୍ଵାରା ଯେଉଁ ବିକାଶ ମୂଳକ କାର୍ଯ୍ୟ ଚାଲିଛି ତାହା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ପଞ୍ଚାୟତ ମାନଙ୍କରେ ଦଳ ସଂଗଠିତ କରିବା ପାଇଁ କର୍ମୀ ମାନଙ୍କୁ ଅତନୁ ନିର୍ଦ୍ଦେଶ ଦେବା ସହ ଦଳର ସଂଗଠନ ସମ୍ପର୍କରେ ଉଦବୋଧନ ଦେଇଥିଲେ  । ଏହା ପରେ ରାୟଗଡା ସହରରେ ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ବାହାରି ଶକ୍ତି ପଦର୍ଶନ କରିଥିଲା

ଅନ୍ୟ ପକ୍ଷେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଆଜି  ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଏକ କର୍ମୀ ସମ୍ମିଳନୀରେ ଯୋଗଦାନ କରିଛନ୍ତି । ଏଥିସହ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ପଦଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ।  ପିସିସି ସଭାପତିଙ୍କ ସହିତ ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ସମେତ ଅନେକ ତୁଙ୍ଗ ନେତାମାନେ ସାମିଲ ହୋଇଥିଲେ। ଦଳ ତରଫରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ପିସିସି ସଭାପତି ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ବିରୋଧରେ ବର୍ଷିଥିଲେ । ଏଭଳିକି ଏହି ଦୁଇ ଦଳ ମିଳିତ ଶାସନ ଚଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଦୁର୍ନୀତି ବଢ଼ିଚାଲିଛି ଓ ସରକାରୀ କଳ ଏଥିରେ ସାମିଲ ରହିଛି ବୋଲି ଉଦବୋଧନ ଦେଇ କହିଥିଲେ ପିସିସି ସଭାପତି । ଉଭୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ଶରତ ପଟ୍ଟନାୟକ କହିଛନ୍ତି। ସରକାରଙ୍କ ବିଫଳତା ଲୋକଙ୍କ ନିକଟରେ ପହାଇବା ପାଇଁ ପଦଯାତ୍ରାରେ ବାହାରିବୁ ବୋଲି ସୂଚନା ଦେଇଥିଲେ । ଆସନ୍ତା ଅକ୍ଟୋବର ମାସରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଶରତଙ୍କ ଗସ୍ତ କଂଗ୍ରେସ ନେତା ଓ କର୍ମୀ ମଧ୍ୟରେ ଉତ୍ସାହ ବୃଦ୍ଧି କରିଥିବା ନଜରକୁ ଆସିଛି। ପ୍ରାୟ ତିନି ହଜାର କର୍ମୀ ଏଥିରେ ଯୋଗଦାନ କରିଥିଲେ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ ରାୟଗଡା ଜିଲ୍ଲାରେ ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ଦଖଲକୁ ନେବା ପାଇଁ ଏବେଠାରୁ  ନିଜ ନିଜ ସଂଗଠନକୁ ମଝବୁତ କରି ଶକ୍ତି ପଦର୍ଶନ କରିବା ଆରମ୍ଭ କରିଛନ୍ତି

Comments are closed.