ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୭
ମାଆ ସବୁବେଳେ ସୁନ୍ଦରୀ ।
ଚର୍ଚ୍ଚା କରି ବସିଲେ ହୁଏତ ତାହାର ସୁନ୍ଦରପଣ ଟିକିଏ ଊଣା ପଡିଯିବ ସେଇଭଳି ଭୟଟିଏ ତ ଆରମ୍ଭରୁ ରହିଛି । କାରଣ ଆମେ ଜାଣିଛୁ ଯେ କୌଣସି ଚର୍ଚ୍ଚା ଆରମ୍ଭ କରାଯିବାର ଅର୍ଥ ହେଉଛି ଏକ ସନ୍ଦେହକୁ ପରିପୁଷ୍ଟ କରିବା ଭଳି ପ୍ରକ୍ରିୟାର ଆରମ୍ଭ । ପରେ ସେହି ସନ୍ଦେହଟି ସାବ୍ୟସ୍ତ ହେଉ କି ପୁରାପୁରି ବିନଷ୍ଟ ହୋଇଯାଉ ତାହା ତ ପଛକଥା ,ମାତ୍ର ଆରମ୍ଭରୁ ଏମିତି ଗୋଟିଏ ସନ୍ଦେହ ଏବଂ ପରେ ସେହି ସନ୍ଦେହଟି ହୁଏତ ପ୍ରତିଷ୍ଠିତ ହୋଇ ଆମର ପ୍ରଚଳିତ ବିଶ୍ୱାସକୁ ଧ୍ୱଂସ କରିଦେବ ସେହି ଆଶଙ୍କାରେ ଆମେ ଅନେକ କିଛିକୁ ସ୍ୱାଭାବିକ ବୋଲି ମନେକରି ତାହାର ଚର୍ଚ୍ଚା ଭିତରକୁ ଯିବାକୁ ମନ ବଳାଇ ନଥାଉ ।
ଯେତେ ଯାହା ହେଉ ପଛକେ ଆମେ ମାଆକୁ ଅସୁନ୍ଦରୀ ହିସାବରେ ଆଦୌ ସହ୍ୟ କରିପାରିବା ନାହିଁ ।
ଆମେ କେହି ସେତେବେଳେ ନଥିଲୁ । ଏପରିକି ଈଶ୍ୱର ଦେବତା । କିନ୍ତୁ ଥିଲା ଜଣେ । ସେ ହେଉଛି ଆମ ମାଆ । ଆଦି ମାତା।
ଆମେ ଆଦିମାତାର ଉଦରରୁ ଜନ୍ମ ଗ୍ରହଣ କରି ଆତଯାତ ହେଉଥିଲୁ,ଠିକ୍ ଯେମିତି ଅନ୍ୟାନ୍ୟ ଜଙ୍ଗମ ପ୍ରାଣୀ । ଆମେ ବାଘ,ଭାଲୁ,ମାଙ୍କଡ ଇତ୍ୟାଦିଙ୍କଠାରୁ ଆଦୌ ଅଲଗା ନଥିଲୁ । ରୂପଟିଏ ଥିଲେ ଆଉ ଯଦି ସେହି ରୂପକୁ ଧାରଣ କରି ରଖିବା ପାଇଁ ଚେତନାଟିଏ ତମପାଖରେ ନାହିଁ ତାହାହେଲେ ସେହି ରୂପ ନିରର୍ଥକ । ଠିକ୍ ସେମିତି ଥିଲୁ ଆମେ । ରୂପ ଥିଲା ଅଥଚ ଚେତନା ନଥିଲା। ପଛରେ ସେହି କଥାକୁ ନେଇ ଘଡିଏ ଭାବିଲେ, ଆମକୁ ଲାଗିବ ଆମେ ଆମର ନିଜ ରୂପକୁ ହୁଏତ ଚିହ୍ନି ପାରୁ ନଥିଲୁ ମାତ୍ର ଆମେ ତ ଜନ୍ମ ନେଇଥିଲୁ ଏକଥା ସତ। ଆତଯାତ ହେଉଥିଲୁ ଏକଥା ସତ । ତେଣୁ ଆମର ନିଶ୍ଚିତ ଭାବରେ ଗୋଟିଏ ମାଆ ଥିଲା । ସେହି ମାଆର ଉଦରରୁ ଆମେ ଜନ୍ମଗ୍ରହଣ କରିଥିଲୁ । ଆଉ ସବୁଠୁ ବିଡମ୍ବନାର କଥା ହେଉଛି ଆମର ବୋଧ ଶକ୍ତି ନଥିବା କାରଣରୁ ଆମେ ଆମର ମାଆକୁ ଜାଣି ପାରୁଥିଲୁ ସତ ମାତ୍ର ଚିହ୍ନିବା କର୍ମ ଯେଉଁ ନିର୍ଦ୍ଦିଷ୍ଟତା କୁ ବୁଝାଇଥାଏ ସେହି ଭଳି ଗୋଟିଏ ଚିହ୍ନରାପଣ ଆମ ପାଖରେ ନଥିଲା।
ଆମର ଚଷମାକାଚ ନାହିଁ, ଏହି ଭଳି କାରଣରୁ କ’ଣ ଆମର ସାମ୍ନାରେ ଥିବା ସମସ୍ତ ଦୃଶ୍ୟାବଳି ଅନୁପସ୍ଥିତ ବୋଲି ଆମେ ସଠିକ ଭାବରେ କହି ପାରିବା ?
ସେତେବେଳେ ତେଣୁ ଆମର ଆଦି ମାତା ଥିଲା ଆଉ ଆମେ ତାହାକୁ ଏକ ପରିବ୍ୟାପ୍ତ ଶୂନ୍ୟତାରେ ବୁଝୁଥିଲୁ । ଅର୍ଥାତ୍ ଆମର ଆଦିମାତାର ରୂପ “ଶୂନ” ବୋଲି ଆମେ ଧରିନେଇଥିଲୁ ।
ତେଣୁ ଆମର ଆଦି ମାତା “ଶୂନ” ସୁନ୍ଦରୀ।
“ଶୂନ୍” ସବୁବେଳେ ଏକ ଅଦ୍ଭୁତ ରହସ୍ୟମୟ ରୂପ । ଯାହା ଭିତରେ ନିରନ୍ତର ସୃଜନ ଆଉ ବିନାଶ ସଂଘଟିତ ହେଉଥାଏ ।
ଆମେ ଯେହେତୁ ମରଣଶୀଳ ଆମ ଭିତରେ ଅନେକେ ଧାରାବାହିକ ଭାବରେ ଜନ୍ଭ ନେଉଥିଲେ ଆଉ ସମାନ ଭାବରେ ମୃତ୍ୟୁ ବରଣ କରୁଥିଲେ । “ଶୂନ” ର ଉଦରରେ ନିରନ୍ତର ଜନ୍ମ ଆଉ ମରଣ ସହିତ ସହୋଦର ହୋଇ ରହିବା ଫଳରେ ଆମ ଭିତରେ କ୍ରମଶଃ ଅହଂ ଟିଏ ଜାଗ୍ରତ ହେଲା । “ମୁଁ”। ଆଉ ସେହି “ମୁଁ” ଜନ୍ମଦେଥିଲା ଭାଷାକୁ।
ସେହି “ମୁଁ” ର ଭାଷାର ପ୍ରଭାବରେ ଆମେ ଜନ୍ମ ଆଉ ମୃତ୍ୟୁକୁ ବୁଝିବାକୁ ଲାଗିଲୁ । ଆମର ପାରିପାର୍ଶ୍ବିକ କ’ଣ ଆମର ଏହାର ପରବର୍ତ୍ତି ଅବସ୍ଥାନ କ’ଣ ,ଏଇ ଭଳି ପ୍ରଶ୍ନ ମାନ ଆମେ ଭିତରେ ଅଙ୍କୁରିତ ହେବାକୁ ଆରମ୍ଭ କଲା।ହେଲେ ଏହାର କୌଣସି ଉତ୍ତର ନାହିଁ ।
ପୃଥିବୀ ସେତେବେଳେ କେବଳ “ଶୂନ୍” ଆଉ “ମୁଁ”। ଆଉ ଅନେକ ଅନୁତ୍ତରିତ ପ୍ରଶ୍ନ । ସେଇଥିପାଇଁ ପୁରାଣ ଆସିଲା ଆଉ ତାହା ମାର୍ଫତ ରେ ଅପାର୍ଥିବ କାହାଣୀ ମାନ ଆମକୁ ଆମର ବସ୍ତୁସ୍ଥିତିକୁ ବୁଝାଇବା ପାଇଁ ଉପଲବ୍ଧ ହେଲା । ଭାଷାକୁ ତେଣୁ ଆମେ ଚିତ୍ରରେ ଲେଖିଲୁ ଯାହା ଫଳରେ ଆମେ ଆମ ଚାରିପାଖରେ ଥିବା ରହସ୍ୟ ସଂପର୍କରେ ଯାହା ଯାହା ଉତ୍ତରମାନ ପ୍ରସ୍ତୁତ କରିଛୁ ତାହା ଅନ୍ୟ ସମସ୍ତଙ୍କ ପାଇଁ ଯେମିତି ଅନେକ ସମୟ ଧରି ଉପଲବ୍ଧ ହୋଇପାରେ ।
ଭାଷାର ଉପସ୍ଥିତି ଆଉ ଭାଷା ଲେଖନ ଆସିଯିବା ପରେ ଆମର ଆଦିମାତା ଆଉ ଆରମ୍ଭ ର “ଶୂନ୍” ରୂପରେ ରହିଲା ନାହିଁ । ଆମ ମାନଙ୍କ ଭଳି ନିର୍ଦ୍ଦିଷ୍ଟ ରୂପ ପରିଗ୍ରହଣ କରିଥିଲା । କହିବାକୁ ଗଲେ “ଶୂନ୍” ରୂପରେ ଆଦିମାତା ଯେମିତି ସମସ୍ତ ଜଙ୍ଗମ ଙ୍କର ମାତା ଆକାରରେ ଏକରୂପୀ ହୋଇ ରହିଥିଲା ପଛନ୍ତେ ଆଉ ସେହି ପରି ରହିଲା ନାହିଁ । ଉର୍ବରତା,ପ୍ରଜନ୍ଭ ର ପ୍ରତୀକ ହୋଇ ରହିଲେ ମଧ୍ୟ ସେ ନିର୍ଦ୍ଦିଷ୍ଟ ରୂପୀ ହୋଇଗଲା ଏବଂ ସେ କ୍ରମଶଃ ଭିନ୍ନ ଭିନ୍ନ ଶରୀରୀ ଆବରଣକୁ ଗ୍ରହଣ କରିଦେଇଛି।
ଆମର ଚିନ୍ତାରେ ଯେତେ ଯାହା ବିବର୍ତ୍ତନ ହେଉ ପଛକେ, ଆମ ର ମାଆ ମାନେ ଭିନ୍ନ ଭିନ୍ନ ଧାଡିରେ ଉପସ୍ଥିତ ହୁଅନ୍ତୁ ପଛକେ ଆମେ ସବୁବେଳେ ସେମାନଙ୍କୁ ଆଦିମାତାର ସ୍ୱରୂପରେ ରଖିବାକୁ ଚାହିଁଛୁ। ଆଦିମାତାର ପ୍ରତୀକାତ୍ମକତାରେ ଆମେ ଆମର ମାଆ ମାନଙ୍କୁ ସବୁବେଳେ ସଂରକ୍ଷିତ କରି ଦେଖିବାକୁ ଚାହିଁଛୁ ।
ସୁମେରୀୟ ମାନେ ଖ୍ରୀପୂ ୩୪୦୦ ବେଳକୁ ଭାଷାକୁ ଲେଖିବା କଳାର ଉଦ୍ଭାବନ କରିଥିଲେ। ଏହାକୁ “କୁନେଇଫର୍ମ” ଲିଖନପ୍ରଣାଳୀ ବୋଲି କୁହାଯାଏ । କାଦୁଆମାଟିର ଗୋଟିଏ ଛୋଟ ପଟା ଉପରେ ଗୋଟିଏ କୀଳକ ଦ୍ୱାରା ଲେଖାଯାଉଥିଲା ପୃଥିବୀର ସେହି ଆଦ୍ୟ ଭାଷା । ଆଉ ସବୁ କିଛି ର ଆରମ୍ଭ ଯେମିତି ମାଆର କୃତିତ୍ତ୍ୱ ଠିକ୍ ସେହିଭଳି ସେମାନେ ଏହି ଭାଷା-ଲିଖନ କ୍ରିୟାକୁ ଜଣେ ଦେବୀମାତାର କରୁଣା ବୋଲି ଉଲ୍ଲେଖ କରୁଥିଲେ । ସେହି ଦେବୀମାତାଙ୍କ ନାଆଁ ହେଉଛି ନିଦାବା ।
ସୁମେରୀୟ ମାନେ ବହୁ ଦେବଦେବୀ ଆରାଧନା କରୁଥିଲେ । ସେମାନେ ପ୍ରଥମେ ସୃଜନର ଆଦ୍ୟ ମୁହୂର୍ତର ପରିକଳ୍ପନା ଲିଖିତ ଭାବରେ କରିଛନ୍ତି। ସେମାନେ ବିଶ୍ୱାସ କରୁଥିଲେ ଯେ ସର୍ବପ୍ରଥମେ ଥିଲା ଗୋଟିଏ ସମୁଦ୍ର । ସେହି ଆଦ୍ୟ-ସମୁଦ୍ରରେ ରହୁଥିଲେ ଜଣେ ଦେବୀ । ତାଙ୍କର ନାଆଁ ଥିଲା ,ନମ୍ମୁ । ଏହି ନମ୍ମୁ ହିଁ ପୃଥିବୀରେ ବସ୍ତୁର ସମସ୍ତ କାର୍ଯ୍ୟ ର ଆରମ୍ଭ କର୍ତ୍ତୀ ବା ପ୍ରାଇମ୍ ମୂଭର୍ ଅଫ୍ ଥିଙ୍ଗସ୍ । ସେ ଆଦ୍ୟମାତା ଆଉ କହିବାକୁ ଗଲେ ତାଙ୍କର ଏକାଙ୍ଗରୁ ହିଁ ପୃଥିବୀର ସୃଜନ କର୍ମ ଆରମ୍ଭ ହୋଇଥିଲା । ସେହି ଆଦିମାତା ନମ୍ମୁ ନିଜର ଅଂଗରୁ ଜନ୍ମ ଦେଇଥିଲେ ଆନ୍ ଆଉ କି ଙ୍କୁ । ଆନ୍ ହେଉଛନ୍ତି ଆକାଶ ଆଉ କି ହେଉଛନ୍ତି ଧରିତ୍ରୀ । ଆନ୍ ପୁରୁଷ ଆଉ କି ହେଉଛନ୍ତି ନାରୀ । ଏହା ସହିତ ନମ୍ମୁ ଆଉଜଣେ ଦେବତାଙ୍କୁ ଜନ୍ମ ଦେଇଥିଲେ ସେ ହେଉଛନ୍ତି ଏନକି । ଏନକି ହେଉଛନ୍ତି ଜଳ ଏବଂ ବୁଦ୍ଧିର ଦେବତା ।
ନାରୀ,ପୁରୁଷ ,ବୁଦ୍ଧି ଏବଂ ଜଳ ଆଉ ତାହାପରେ କି ଙ୍କ ଗର୍ଭରୁ ବାୟୁ ଅର୍ଥାତ୍ ଏନଲିଲ୍ ଏବଂ ତାହାପରେ ଏନଲିଲ୍ ଏବଂ କି ଅର୍ଥାତ୍ ଆମମାନଙ୍କର ବର୍ତ୍ତମାନ ସଂପର୍କ ର ପରିଭାଷା ରେ କହିଲେ ମାଆ ଆଉ ପୁଅର ସଂଗମରୁ ଅନ୍ୟାନ୍ୟ ଦେବଦେବୀ ଏବଂ ପୃଥିବୀର ସମସ୍ତ ସ୍ଥାବର ଜଙ୍ଗମର ସୃଜନ ହୋଇଅଛି ।
କି ଙ୍କୁ ସୁମେରୀୟମାନେ ଅନ୍ୟନାମରେ ବି ସମ୍ବୋଧନ କରିଛନ୍ତି ଯଥା ନିନହରସାଗ ଆଉ ନିନମାହ । ସେ ସୁମେରୀୟ ସଭ୍ୟତାର ସବୁଠୁ ଅଧିକ ପୂଜିତା ତଥା ପ୍ରମୁଖ ଦେବୀ । କିନ୍ତୁ ସଭ୍ୟତାର ବିବର୍ତ୍ତନରେ ସୁମେରୀୟ ମାନେ ତାଙ୍କୁ ଆଉ ସେହିପରି ଗୁରୁତ୍ୱ ପ୍ରଦାନ କରିନାହାଁନ୍ତି । ପ୍ରମୁଖ ଦେବୀରୁ ସେ ହୋଇଯାଇଛନ୍ତି ଜଣେ ଅତି ସାଧାରଣ ଦେବୀ।
କି ଅର୍ଥାତ୍ ଧରିତ୍ରୀ ଅର୍ଥାତ୍ ଆଦିମାତାର ସ୍ୱରୂପକୁ ପ୍ରକାଶ କଲା ବେଳେ ସୁମେରୀୟ ମାନେ ସବୁବେଳେ ଯେଉଁ ଚିହ୍ନଟିକୁ ବ୍ୟବହାର କରୁଥିଲେ ତାହା ହେଇଛି ଗ୍ରୀକ୍ ବର୍ଣ୍ଣମାଳାର ଏକ ବର୍ଣ୍ଣ “ଓମେଗା” ।
ଓମେଗା ହେଉଛି ଜରାୟୁର ପ୍ରତୀକ।
ମାଆର ଅସଲ ସ୍ୱରୂପକୁ ବୁଝିବା ପାଇଁ ଆମ ପାଖରେ ଜରାୟୁ ବ୍ୟତୀତ ଆଉ କୌଣସି ସମର୍ଥ ପ୍ରତୀକ ଆମ ଆଗରେ ଦୃଶ୍ୟମାନ ହେବ ନାହିଁ । ଜରାୟୁ ରେ ଆଦ୍ୟ ସଂଚରଣରେ ମାଆର ମାତୃପଣଟି ପ୍ରତିଷ୍ଠିତ ହେବା ଭଳି ବିଶ୍ୱାସ କରାଯାଏ ଯେ ଆମେ ଆମର ଦେହାନ୍ତରରେ ଏମିତି ଏକ ସ୍ଥାନରେ ଅବସ୍ଥାନ କରିବୁ ଯେଉଁଠି ଆମ ସହିତ ଆମର ସ୍ମୃତି ନଥିବ ଆଉ ସେହି ସ୍ଥାନଟି ହେଉଛି “ଓମେଗା ପଏଣ୍ଟ ” ।
ସ୍ଥିତିର ନିଶ୍ଚିତ ଭାବରେ ଏକ ଆଧାରରେ ପ୍ରୟୋଜନ ରହିଥାଏ ଆଉ ସେହି ଆଧାର ହେଉଛି ଜରାୟୁ ଅର୍ଥାତ୍ ମାଆ ।
Comments are closed.