Latest Odisha News

ରାୟଗଡ଼ାରେ ମୃତ୍ୟୁର ଜାଲ ବିଛାଇଛି ଏନଏଚଏଆଇ : ଗଳି ପଡିବ କି ଫ୍ଲାଏ ଓଭର ବ୍ରିଜ !

ରାୟଗଡା: ରାୟଗଡ଼ା ସହରର ଲାଇଫଲାଇନ କୁହାଯାଉଛି ଏନଏଚଏଆଇ ଉପରେ ଥିବା ଫ୍ଲାଏଓଭର ବ୍ରିଜ । ଏହି ଓଭର ବ୍ରିଜ ରାୟଗଡା ସହରକୁ ଦୁଇଭାଗରେ ବିଭକ୍ତ କରୁଛି ।  କୋରାପୁଟ , ଆନ୍ଧ୍ରପ୍ରଦେଶ , ଫୁଲବାଣୀ ,କଳାହାଣ୍ଡି ଏବଂ ଗଞ୍ଜାମ ଭୁବନେଶ୍ବରକୁ ଯୋଡିବାର ଏକ ମାତ୍ର ରାସ୍ତା ଥିବା ଏହି ଓଭର ବ୍ରିଜ୍ ଏବେ ବିପଦରେ । ଫ୍ଲାଏଓଭର ଉପର ଦେଇ ଦୈନିକ ଲକ୍ଷାଧିକ ଲୋକ ଗମନାଗମନ କରନ୍ତି । ସେହିଭଳି ହଜାର ହଜାର  ସଂଖ୍ୟାରେ ଯାନବାହନ ଚଳାଚଳ କରେ ।

ତେବେ ଦିନକୁ ଦିନ ବିପଦ ସଙ୍କୁଳ ଅବସ୍ଥାକୁ ଚାଲିଆସିଛି ଏହି ଫ୍ଲାଏ ଓଭର ବ୍ରିଜ୍। ୨୦୦ ମିଟର ଫ୍ଲାଏ ଓଭର ବ୍ରିଜରେ ହୋଇଛି ୨ ହଜାର ବଡ ଗାତ ସାଙ୍ଗକୁ ଅସଂଖ୍ୟ ଛୋଟ ଗାତ । ଏଭଳିକି ଗାତ ଧିରେ ଧିରେ ସ୍ଲାବ ତଳକୁ ଭେଦି ଚ୍ୟାନେଲ ପ୍ଲେଟ ଉପରକୁ ବାହାରି ଗଲାଣି । ପୂର୍ବରୁ ପୋଲର ଲୁହାଛଡ ବାହାରିଥିବା ବେଳେ ବର୍ତମାନ ଚ୍ୟାନେଲ ପ୍ଲେଟ ବାହାରିବା ଏକ ବଡ ବିପଦର ସଙ୍କେତ ଦେଉଛି ।

ତେବେ ଏ ନେଇ ହାରି ଗୁହାରି କଲେ ମଧ୍ୟ କେହି ଶୁଣୁ ନଥିବା ବେଳେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲକା ।  ସାଂସଦ ସପ୍ତଗିରି ଉଲକାଙ୍କ ନେତୃତ୍ଵରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ଏକ ଟିମ ଓଭର ବ୍ରିଜ ଯାଇ ଅନୁଧ୍ୟାନ କରିଥିଲେ । ଏନେଇ ସାଂସଦ ଉଲକା ଗାଁ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫ୍ଲାଏଓଭର ବ୍ରିଜକୁ ନେଇ ସେ ପାର୍ଲାମେଣ୍ଟରେ ଗତ ଦିନରେ ସେ ପ୍ରଶ୍ନ କରିବା ସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି ତଥାପି ଫ୍ଲାଏ ଓଭର ବ୍ରିଜ ମରାମତି ନେଇ କୌଣସି ପଦକ୍ଷେପ ନେଉନାହାନ୍ତି ଜାତୀୟ ରାଜପଥ(ଏନଏଚଏଆଇ) ବିଭାଗ କର୍ତୃପକ୍ଷ ।

ଏପରିକି ଦିଶା ବୈଠକରେ ଏନେଇ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଉଦବେଗ ପ୍ରକାଶ କରିଥିଲେ ସୁଦ୍ଧା ପ୍ରତିକାର ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନେଊନାହାନ୍ତି ଉଭୟ ସରକାର । ତେବେ ଆଗାମୀ ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ଫ୍ଲାଏ ଓଭର ବ୍ରିଜ ମରାମତି ନ ହେଲେ କଂଗ୍ରେସ ଦଳ ରାଜରାସ୍ତାକୁ ଓଲ୍ହାଇବେ ବୋଲି ସେ ସୂଚନା ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ କି ୧୯୯୯ ମସିହାରେ ରାୟଗଡା ସହରରେ ଫ୍ଲାଏ ଓଭର ନିର୍ମାଣ ହୋଇଥିଲା । ବିପଦ ସଙ୍କୁଳ ଭାବେ ରେଳଧାରଣା ପାର ହୋଇ ଯିବା ପରିବର୍ତ୍ତେ ସେତେବେଳେ ଏହା ଏକ ମାତ୍ର ରାସ୍ତା ହୋଇଥିବା ଯୋଗୁଁ ଜନ ଜୀବନ ସୁରକ୍ଷା ଦୃଷ୍ଟିରୁ ଏହି ବ୍ରିଜକୁ ପୁର୍ତ୍ତ ବିଭାଗ ନିର୍ମାଣ କରିଥିଲା । ପରେ ୨୦୧୮ ମସିହାରେ ଏହି ଫ୍ଲାଏ ଓଭର ଭାରତୀୟ ଜାତୀୟ ରାଜପଥ ବିଭାଗ ଅଧିନକୁ ଚାଲିଯାଇଥିଲା । ବର୍ତମାନ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏହି ଫ୍ଲାଏ ଓଭର ଅବସ୍ଥିତ ।

ତେବେ ଏନଏଚଏଆଇ ଅଧିନକୁ ଯିବାପରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଆଉ ଧ୍ୟାନ ଦିଆଗଲାନାହିଁ । ଫଳରେ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଆଉ ବର୍ତ୍ତମାନ ଏହାର ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇପଡିଛି । ପ୍ରତିଦିନ ଫ୍ଲାଏ ଓଭର ଉପରେ ଦୁର୍ଘଟଣା ଘଟୁଥିବା ବେଳେ କୌଣସି ମୂହୁର୍ତ୍ତରେ ବଡ ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ହେଉନାହିଁ । କିନ୍ତୁ ଏହାର ମରାମତି ପାଇଁ ଏନଏଚଏଆଇ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାଁନ୍ତି । ଫ୍ଲାଏଓଭର ତଳଭାଗ ଦୁର୍ବଳ ଥିବା କାରଣରୁ ଦିର୍ଘ ୮ ବର୍ଷହେବ ଲୁହା ପିଲର ସୁରକ୍ଷା ଦିଆଯାଇଛି । ଆଉ ଏବେ ଉପରଭାଗ ଅବସ୍ଥା ବିଗିଡିବା କାରଣରୁ ଲୋକେ ନିତିଦିନ ହନ୍ତସନ୍ତ ହେଉଛନ୍ତି ।

ବିଭିନ୍ନ ସଂଗଠନ ମରାମତି ରକ୍ଷଣାବେକ୍ଷଣ ପାଇଁ ଦାବି କରୁଛନ୍ତି । ଏଭଳିକି ଗତ ଅଗଷ୍ଟ ୨୫ ତାରିଖରେ ଅନୁଷ୍ଠିତ ସଡକ ସୁରକ୍ଷା କମିଟି ବୈଠକରେ ଫ୍ଲାଏଓଭର ଦୁରାବସ୍ଥା ନେଇ ସରଗରମ ଆଲୋଚନା ହୋଇଥିଲା । ପୁଲିସ ଠାରୁ ପରିବହନ ବିଭାଗର ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ । ସେହି ବୈଠକରେ ଉପସ୍ଥିତ ଏନଏଚଏଆଇ ବିଭାଗ ଯନ୍ତ୍ରୀ ସେପ୍ଟେମ୍ବର ଶେଷ ସୁଦ୍ଧା ମରାମତି କରାଯିବ ବୋଲି କହିବା ସହିତ ଏକ ଲମ୍ବା ତାଲିକା ଦେଖାଇଥିଲେ । ହେଲେ ଅକ୍ଟୋବର ମାସର ୭ ଦିନ ବିତିଯିବା ପରେ ମଧ୍ୟ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଫଳରେ ଫ୍ଲାଏଓଭର ଅଧିକ ବିପଦ ସୃଷ୍ଟି କରୁଥିବା ନଜରକୁ ଆସିଛି । ତେବେ କାହିଁକି ଏନଏଚଏଆଇ କର୍ତ୍ତୃପକ୍ଷ ନିର୍ମାଣ ଓ ମରାମତି ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ତାହା ତଦନ୍ତସାପେକ୍ଷ । ପ୍ରତିବର୍ଷ ଏହାର ମରାମତି ପାଇଁ ବ୍ୟାପକ ଅର୍ଥ ଶ୍ରାଦ୍ଧ ହେଉଥିବା ବେଳେ ତାହାର ଅବସ୍ଥା କିନ୍ତୁ ବଦଳୁନାହିଁ । ତେଣୁ ଏନଏଚଏଆଇ ଉଚ୍ଚଯନ୍ତ୍ରୀ ଏଥପ୍ରତି ଧ୍ୟାନ ଦେବା ସହ ସ୍ଥାୟୀ ସମାଧାନ କରିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

Comments are closed.