ମସ୍କୋ: ୟୁକ୍ରେନର ସ୍ଥିତି ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି । ସୋମବାର ବସିବାକୁ ଥିବା ଏହି ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ ଆଲର୍ଟ ଜାରି କରାଯାଇଛି । ଆଉ ଏଠିକାର ଲୋକେ ଏବେ ଚିନ୍ତାରେ ବୋଲି ସୂଚନା ରହିଛି।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରିମିଆକୁ ସଂଯୋଗ କରୁଥିବା କେର୍ଚ ବ୍ରିଜ ଉପରେ ହୋଇଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ୟୁକ୍ରେନ ସ୍ପେଶାଲ ସର୍ଭିସେସ୍ ଦ୍ୱାରା ବ୍ରିଜରେ ନିଆଁ ଲଗାଯାଇଛି ବୋଲି ସେ କହିଛନ୍ତି।
ଶନିବାର ଋଷକୁ ସଂଯୋଗ କରୁଥିବା କ୍ରିମିୟା ପ୍ରାୟଦ୍ବୀପକୁ ଯୋଡୁଥିବା ପୋଲ ଉପରେ ଏକ ବୋମା ଭର୍ତ୍ତି ଟ୍ରକ ଜରିଆରେ ବିସ୍ପୋରଣ କରାଯାଇଥିଲା। କ୍ରିମିୟା ମାଧ୍ୟମରେ ହିଁ ଋଷ ୟୁକ୍ରେନର ଦକ୍ଷିଣ ଭାଗକୁ ଯୁଦ୍ଧ ଉପକରଣ ପଠାଉଛି। ଯୁଦ୍ଧ ଆରମ୍ଭ ହେବା ପରେ ଏହି ବ୍ରିଜକୁ ଭୁଶୁଡାଇବା ଋଷ ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଛି। ଏହି ବିସ୍ଫୋରଣରେ ଅନ୍ୟୂନ ୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ରାଷ୍ଟ୍ରପତି ପୁଟିନ୍ ତାଙ୍କ ୭୦ତମ ଜନ୍ମଦିନ ପାଳନ କରିବାର ଦିନକ ପରେ ବ୍ରିଜରେ ବିସ୍ଫୋରଣ ଘଟିଛି। ଅନ୍ୟପଟେ ବ୍ରିଜରେ ବିସ୍ଫୋରଣ ପରେ ୟୁକ୍ରେନ୍ ଓ ତା’ର ସମର୍ଥକମାନେ ସୋଶିଆଲ ମିଡିଆରେ ଖୁସି ମନାଇଥିବା ସୂଚନା ରହିଛି।
ଋଷ ସରକାରର ମୁଖପାତ୍ର କହିଛନ୍ତି, ବ୍ରିଜରେ ବିସ୍ପୋରଣ କିପରି ହେଲା ଏହାର ତଦନ୍ତ ଏକ କମିସନ କରିବ। ଏଥିପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଆଉ ବ୍ରିଜ ଉପରେ ସୁରକ୍ଷା ଯୋଗାଇ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।
Comments are closed.