Latest Odisha News

BREAKING NEWS

ପୁରୀ, ତାଳଚେର ଓ ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେବ ନୂଆ ମେଡ଼ିକାଲ୍ କଲେଜ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆଉ ୩ଟି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପ୍ରତିଷ୍ଠା ହେବ ବୋଲି ସମ୍ବଲପୁରଠାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇ କହିଛନ୍ତି । ଓଡ଼ିଶାର ପୁରୀ, ତାଳଚେର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ତିନୋଟି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ।

ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉତ୍ସବ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟର ଭଲ ଡ଼ାକ୍ତର ଯେପରି ବାହାର ରାଜ୍ୟକୁ ନଯିବେ ସେଥିଲାଗି ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିଲାଗି ନୂଆ ସ୍ୱାସ୍ଥ୍ୟ ପଲିସି ଲାଗୁ କରାଯିବା ନେଇ ସେ ମଧ୍ୟ କହିଛନ୍ତି ।

“ରାଜ୍ୟ ସରକାର ଖୁବଶିଘ୍ର ଏକ ନୂଆ ସ୍ୱାସ୍ଥ୍ୟ ପଲିସି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ଓଡ଼ିଶାରେ ନୂଆ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବ । ଏହାଫଳରେ ନୂତନ ଡ଼ାକ୍ତର ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବିଭିନ୍ନ ମେଡ଼ିକାଲରେ ଖାଲି ପଡ଼ିଥିବା ଡ଼ାକ୍ତର ପଦବୀ ମଧ୍ୟ ପୂରଣ ହୋଇପାରିବ,” ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସମ୍ବଲପୁର ବୁର୍ଲ୍ଲାସ୍ଥିତ ଭିମସାର୍ ରେ ଡ଼ା. ଅଶ୍ୱିନୀ ପୂଜାହାରୀ ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେବା ପରେ ଏହି ସ୍ଥାନ ଖାଲି ପଡ଼ିଛି, ଯଥାଶିଘ୍ର ଏହି ସ୍ଥାନରେ ପଦବୀ ପୂରଣ ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଏହି ପଦବୀରେ ଅସ୍ଥାୟୀ ଭାବେ ଡ଼ା. ପ୍ରକାଶ ଚନ୍ଦ୍ର ମହାପାତ୍ର ରହିଥିବା ବେଳେ ସେ ଗତମାସ ଅବସର ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.