Latest Odisha News

ସମର୍ଥକ ଆସିଲେ, ସହଯୋଗୀ ଆସିଲେନି, ଏକା ଏକା ଅପରାଜିତା?

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକା ଏକା ଅପରାଜିତା! ଇଣ୍ଟର ପାର୍ଲିଆମେଣ୍ଟାରି ୟୁନିଅନ୍‌(ଆଇପିୟୁ)ରେ ଭାରତର ପ୍ରାର୍ଥୀ ହୋଇ ବିଜୟ ହୋଇ ଭାୟା ଦିଲ୍ଲୀ ଭୁବନେଶ୍ବର ଫେରିଲେ। ରାଜ୍ୟର କୋଣ ଅନୁକୋଣରୁ ଯଦିଓ ଅପରାଜିତଙ୍କ ସମର୍ଥକ ଆସିଥିଲେ କିନ୍ତୁ ତାଙ୍କ ସହଯୋଗୀ ବିମାନ ବନ୍ଦରକୁ ନଆସିବା ଅନେକ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ରାଜ୍ୟ ବିଜେପିରେ କନ୍ଦଳ ସାମ୍ନାକୁ ନଆସିଥିଲେ ମଧ୍ୟ  ଦଳରେ ଗୋଷ୍ଠୀ ପ୍ରଭାବ ରହିଛି। ଆଉ ଶକ୍ତିଶାଳୀ ଗୋଷ୍ଠୀଙ୍କ ପାଖରେ ନେତା ଆନୁଗତ୍ୟ ଦେଖାଉଥିବା ଦେଖିବାକୁ ମିଳିଛି। ଅପରାଜିତା ବିଜୟୀ ହେବା ପରେ ରାଜ୍ୟ ବିଜେପିର ପ୍ରମୁଖ ନେତା, ଦିଲ୍ଲୀରେ ଥିବା ଛାମୁଆ ନେତା ଶୁଭେଚ୍ଛା ନଜଣାଇବା ଏକ ଭିନ୍ନ ବାର୍ତ୍ତା ଦେଇଛି। ଯେତେବେଳେ କି ଅପରାଜିତା ବିଜୟ ପାଇଁ ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଉଛନ୍ତି।

ଇଣ୍ଟର ପାର୍ଲିଆମେଣ୍ଟାରି ୟୁନିଅନ୍‌(ଆଇପିୟୁ)ରେ ଭାରତର ବିଜୟ ହୋଇଛି। ପ୍ରାୟ ୨୦ ବର୍ଷ ପରେ ଏହି ଅନୁଷ୍ଠାନର ପରିଚାଳନା ରୁ ସମିତିକୁ ଭାରତରୁ ସଦସ୍ୟ ଭାବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି। ୧୫ ଜଣିଆ ପରିଚାଳନା ସମିତିରୁ ଗୋଟିଏ ପଦ ଖାଲି ହେବାପରେ ଭାରତ ଏହି ସ୍ଥାନ ନେଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ତୃତୀୟାଂଶ ଭୋଟରେ ବିଜୟୀ ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଏହି ପଦକୁ ନିର୍ବାଚିତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଦେଇଛନ୍ତି। ଦଳର ସର୍ବୋଚ୍ଚ ପଦବୀ ପ୍ରତି ଅପରାଜିତା ଆନୁଗତ୍ୟ ଦେଖାଉଥିଲେ ମଧ୍ୟ ସ୍ବାଗତ ପାଇଁ ରାଜ୍ୟ ବିଜେପିର ପ୍ରମୁଖ ନେତା, ତଥା ଜିଲ୍ଲା ବିଜେପିର ପ୍ରମୁଖ ନେତା ନଆସିବା ଦଳରେ ଯେ ଅପରାଜିତାଙ୍କୁ ନେଇ ସବୁ ଠିକଠାକ ଚାଲିଛି ତାହା କହିହେବ ନାହିଁ।

ଅନ୍ୟମାନେ କାହିଁକି ସ୍ବାଗତ ପାଇଁ ଆସିଲେନି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଅପରାଜିତା କହିଛନ୍ତି, ସେ ତାଙ୍କ ବ୍ୟବହାର ପାଇଁ ଦାୟୀ। ହେଲେ ଅନ୍ୟର ବ୍ୟବହାର ପାଇଁ ସେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ। ଏପରି କହି ସେ ଜିଲ୍ଲା ବିଜେପି ତଥା ରାଜ୍ୟର ପ୍ରମୁଖ ନେତାଙ୍କୁ ବାଣ ମାରିଛନ୍ତି।

ମହାନଗର ନିର୍ବାଚନ ବେଳେ ସାଂସଦ କୁଆଡେ ତାଙ୍କ ଇଚ୍ଛାରେ ମେୟର ପ୍ରାର୍ଥୀ ଦେଇଥିଲେ। ଆଉ ପ୍ରାର୍ଥୀ ଘୋଷଣା ହେବା ପରେ କେନ୍ଦ୍ରମନ୍ତ୍ରୀ, ଦିଲ୍ଲୀରେ ଥିବା ଓଡିଶା ବିଜେପିର ପ୍ରମୁଖ ନେତା ପ୍ରଚାର କରିବେ ବୋଲି କୁହାଯାଉଥିଲା। କିନ୍ତୁ ସାଂସଦ ଅପରାଜିତାଙ୍କ ଏକଲା ଚୋଲୋ ନୀତି ସହ ଏକମତ ହୋଇନପାରିବାରୁ ଅନେକ ନେତା ପ୍ରଚାର ମୈଦାନକୁ ଓହ୍ଲାଇନଥିଲେ। ସେହିପରି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ମଧ୍ୟ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଭୁବନେଶ୍ବର ସାଂସଦ ତାଙ୍କ ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀ ଦେଇଛନ୍ତି। ତାଙ୍କ ମାନଙ୍କୁ କୌଣସିଥିରେ ପଚରାଯାଇନି। ଯେଉଁଥିରୁ ସ୍ପଷ୍ଚ ହୋଇଥିଲା ଅପରାଜିତାଙ୍କୁ ନେଇ ରାଜ୍ୟ ବିଜେପିର ଛାମୁଆ ନେତାଙ୍କ ମଧ୍ୟରେ ଆଭିମୁଖ୍ୟ ସେତେଟା ସକରାତ୍ମକ ନାହିଁ।

ବିଭିନ୍ନ ସମୟରେ ଅପରାଜିତା ବିଭିନ୍ନ ଜିଲ୍ଲା ଗସ୍ତ କରି ନିଜର ସଗଂଠନ ତିଆରି କରୁଥିବା କୁହାଯାଉଛି। ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ରହିଛି। ହେଲେ ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର ଭାବେ ଅପରାଜିତାଙ୍କୁ ଦଳୀୟ ଶୃଙ୍ଖଳା ଅଛପା ନଥିବ। କୁହାଯାଉଛି ଦଳର ଶୀର୍ଷ ନେତାଙ୍କ ଆଶୀର୍ବାଦ କ୍ରମେ ସେ ନିଜର ଭାବମୂର୍ତ୍ତି ସହିତ ସମାନ୍ତରଳ ଭାବେ ନିଜର ସଂଗଠନ ତିଆରି କରୁଛନ୍ତି। ଏହି ଧାରାରେ ଯେତେବେଳେ ଦଳର ପ୍ରଭାବୀ ଗୋଷ୍ଠୀ ଶାସକ ଦଳ ବିରୋଧରେ ମାପିଚୁପି ପ୍ରତିକ୍ରିୟା ରଖୁଥିବା ବେଳେ ଅପରାଜିତା କିନ୍ତୁ ଦଳର ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ପ୍ରତିକ୍ରିୟା ରଖି ଶାସକ ଦଳ ପାଇଁ କଣ୍ଟା ସାଜୁଛନ୍ତି। ଯାହା ଅପରାଜିତାଙ୍କ ରାଜନୈତିକ ଉଦ୍ଦେଶ୍ୟକୁ ପୂରଣ କରୁଥିବା ବେଳେ ପ୍ରଭାଗୀ ଗୋଷ୍ଠୀର ଉଦ୍ଦେଶ୍ୟକୁ ପାଣିଚିଆ କରିଦେଉଛି। ଯାହାକି ଦୁଇ ଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧକୁ ଜନ୍ମ ଦେଇଛି ବୋଲି କୁହାଯାଏ।

Comments are closed.