ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
କେତେବେଳୁ ଫୋନଟି କଟି ସାରିଥିଲା ଜଣାନଥିଲା । ଧ୍ୟାନସ୍ଥ ମୁଦ୍ରାରେ ଫୋନଟିକୁ ଧରି ସେମିତି ଛିଡା ହୋଇ ଥିଲା ଆସ୍ଥା !! ପିଲାମାନେ ସ୍କୁଲରୁ ଆସି କେତେ ଡାକିଲା ପରେ ଯାଇ ପ୍ରକୃତିସ୍ଥ ହେଲା ! ମାମା ଭୋକ ମାମା ଭୋକ କହି ଗେଲରେ ଓହଳି ପଡିଲା ସ୍ୱୟଂ। ଦୁଇ ପିଲାଙ୍କୁ ଜଳଖିଆ ତିଆରି କରି ଖାଇବାକୁ ଦେଲା । ପିଲାମାନେ ଖାଇ ବାହାରେ ଟିକେ ଖେଳାଖେଳି କରି ପୁଣି ପଢ଼ା ଟେବୁଲ ପାଖରେ ବସିଲେ ସ୍ୱୟଂ ଆଉ ସ୍ୱାହା । ପିଲାଙ୍କ ରୁମକୁ ପଶିଗଲା ଆସ୍ଥା ପାଠ ଦେଖିବା ପାଇଁ ।ପିଲାଙ୍କ ମୁହଁକୁ ଦେଖି ବ୍ୟସ୍ତ ହୋଇ ପଡ଼ିଲା ସେ ।ଛନ ଛନିଆ ସଜ ଫୁଟା ଫୁଲ ଦି’ଟା ସତେ ଯେମିତି ଝାଉଁଳି ପଡିଛନ୍ତି !
ସକାଳୁ ସକାଳୁ ଉଠି ସ୍କୁଲ ହୋମ ୱାର୍କ ,କ୍ଳାସ ୱାର୍କ ,ଟିଉସନ ପାଠ ପୁଣି ସ୍କୁଲ । ଓଃ ! !ଖାଲି ପାଠ ପାଠ ପାଠ ! ଘରେ ବାପା ମଆଙ୍କର , ଟିଉସନରେ ଟିଉସନ ସାର୍ ଙ୍କର ,ସ୍କୁଲ ରେ…..କି … ଦାଉ ଏ ପାଠର….. ! ଵିଚାରି ନିରୀହ ପିଲାଙ୍କ କଥା କେହି ଟିକିଏ ଭାବୁନାହାନ୍ତି ! ଆସ୍ଥା ବ୍ୟସ୍ତ ହୋଇ ,” ପିଲେ ଶିଘ୍ର ଶିଘ୍ର ଶୋଇପଡ ଭୋରରୁ ଉଠି ପଢିବ । ବହିପତ୍ର ରଖି ଶୋଇପଡ ଭୋରରୁ ଉଠି ପଡ଼ିବ ଆଜି ଖୁବ ହାଲିଆ ଦେଖା ଯାଉଛ । ଶୋଇକି ଉଠିଲେ ସକାଳୁ ଫ୍ରେସ ଲାଗିବ ,ମନ-ମୁଣ୍ଡ ଶାନ୍ତ ଥିବ ପାଠ ପଢ଼ାରେ ମନ ଲାଗିବ ହେଲା । ”
ସ୍ୱପ୍ନିଲ ସହିତ ସମ୍ପର୍କର ସେତୁବନ୍ଧ ବାନ୍ଧିହେବାର ଦିନଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ସମୟ ଗୁଡ଼ିକ !!ତାହେଲେ ସେସବୁ କଣ କେବଳ ଚୋରାବାଲି ଥିଲା ! ଚିଠିରୁ ସମ୍ପର୍କ ଆରମ୍ଭ ହୋଇଥିଲା ଆଉ ପରେ ନିବିଡ଼ ହୋଇଥିଲା ! କୋଉ ଦିନର କୋଉ କଥା ଆଉ କେତେ ସବୁ ମନେ ପକେଇବ !ସ୍ମୃତି ସବୁ ଆଖି ବନ୍ଦ କଲେ ଜଳଚିତ୍ର ହୋଇ ଭାସୁଛି !! ସବୁ ରାଗ ମାନ ଅଭିମାନ ପାଣି ଭଳି ଭାସିଯାଇଥିଲା ସ୍ୱପ୍ନିଲ ସାଙ୍ଗରେ !! ରାତିଟା କଡ ଓଲଟାରେ ବିତିଗଲା ,ନିଦ କିନ୍ତୁ ଆଖିର ଦୁଆର ମାଡିଲାନି !!
କ୍ରମଶଃ
Comments are closed.