Latest Odisha News

ଖଡଗେଙ୍କ ନୂଆ ଟିମରେ ଭକ୍ତ ଦାସ, ଥରୁରଙ୍କ ପତା କଟିଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ। ନିଜ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ସେ ୪୭ ଜଣିଆ ଷ୍ଟିଅରିଂ କମିଟି ବା ପରିଚାଳନା କମିଟି ଘୋଷଣା କରିଛନ୍ତି। ଯାହାକି କଂଗ୍ରେସ କାର୍ଯ୍ୟକାରିଣୀ କିମିଟି ବା ସିଡବ୍ଲୁସି ଜାଗାରେ କାମ କରିବ। ଏହି କମିଟିରେ ଓଡ଼ିଶା କଂଗ୍ରେସର ନେତା ତଥା ବିହାର କଂଗ୍ରେସର ପ୍ରଭାରୀ ଭକ୍ତ ଚରଣ ଦାସଙ୍କ ନାଁ ରହିଥିବା ବେଳେ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସାଂସଦ ଶଶୀ ଥରୁରଙ୍କ ନାଁ ନାହିଁ।

ଏହି ୪୭ ଜଣିଆ କମିଟିରେ ଖଡଗେଙ୍କ ବ୍ୟତୀତ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରହିଛନ୍ତି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁ  ନାହିଁ।

କିନ୍ତୁ ଏହି କମିଟିରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନି, ଅଜୟ ମାକେନ୍, ଆନନ୍ଦ ଶର୍ମା, ହରିଶ ରାୱତ, ଜୟରାମ ରମେଶ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ପି. ଚିଦାମ୍ବରମ୍, ଆଧୀର ରଂଜନ ଚୌଧୁରୀ, ଦିଗ ବିଜୟ ସିଂ, ମୀରା କୁମାର, ରାଜୀବ ଶୁକ୍ଲା, ସଲମାନ ଖୁର୍ସିଦ ରହିଛନ୍ତି।

ଆଜି ସକାଳେ ଖଡଗେଙ୍କ ନେତୃତ୍ବରେ ବୈଠକ ବସିବା ପୂର୍ବରୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନେ ଏହି କମିଟିରୁ ବିଦାୟ ନେଇଥିଲେ। ଖଡଗେ ଅଧ୍ୟକ୍ଷ ହେବା ପରେ ଦଳ କିପରି ହେବ ଏବଂ କିଏ କିଏ ରହିବେ ତାହା ତାଙ୍କ ଉପରେ ନିର୍ଭର କରେ। ଦଳର ବରିଷ୍ଠ ନେତା କେ.ସି ଭେନୁଗୋପାଲ କହିଛନ୍ତି ଯେ ସମସ୍ତ ସିଡବ୍ଲ୍ୟୁଡିସି ସଦସ୍ୟ, ଏଆଇସିସି ସାଧାରଣ ସଚିବ ଏବଂ ଦାୟିତ୍ୱରେ ଥିବା ବ୍ୟକ୍ତି କଂଗ୍ରେସ ସଭାପତିଙ୍କ ନିକଟରେ ଇସ୍ତଫା ଦେଇଛନ୍ତି। ଏବେ ଏଥିମଧ୍ୟରୁ କିଛି ଜଣ  ପରିଚାଳନା କମିଟିରେ ଅଂଶବିଶେଷ ହୋଇଛନ୍ତି।

Comments are closed.