ଭୁବନେଶ୍ୱର: ଧାମନଗର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଜେଡି ନେତା ରାଜେନ୍ଦ୍ର ଦାସ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଛି। ଏପରି ଏକ ଅଡିଓ କ୍ଲିପ ଭାଇରାଲ ହୋଇଛି। ବିଜେପି ଏପରି ଏକ ଅଡିଓ କ୍ଲିପକୁ ଫେକ୍ ବୋଲି କହି ରାଜ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି।
ବିଜେପି ଏ ନେଇ ସାଇବାର ଥାନାରେ ଏତଲା ଦେଇଛି। ଏଥିସହ ବିଜୁ ଜନତା ଦଳ କର୍ମୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଦାବି କରିଛି ବିଜେପି। ନିର୍ବାଚନ ବେଳେ ବିଜେଡି କର୍ମୀ ସୋସିଆଲ ମିଡିଆ ଜରିଆରେ ଏପରି ଫେକ୍ ବା ନକଲି ଅଡିଓ କ୍ଲିପ ସେୟାର କରି ବିଭ୍ରାନ୍ତି କରିବାକୁ ପ୍ରୟାସ କରନ୍ତି।
ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଧାମନଗର ଉପନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡ଼ି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ କରୁଛି । ମାତ୍ର ଏଭଳି କୌଣସି ବୈଠକ ହୋଇନାହିଁ। ଏହା କେବଳ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ସମ୍ମାନନୀୟ ଗୃହ ମନ୍ତ୍ରୀଙ୍କ ସମ୍ମାନହାନି ପାଇଁ ବିଜେଡି ଦ୍ଵାରା କରାଯାଇଛି। ଏନେଇ ଭାରତୀୟ ଜନତା ପାର୍ଟିର ୭ଜଣିଆ ଟିମ୍ ଭୁବନେଶ୍ୱର ଭିଏସ୍ଏସ୍ ନଗର ସ୍ଥିତ ସାଇବର ଥାନାରେ ଲିଖିତ ଏଫଆଇଆର କରିବା ସହ ସିଇଓଙ୍କୁ ମଧ୍ଯ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ସେହିପରି ଦିଲ୍ଲୀରେ ଏହା ବିରୋଧରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ତ୍ଵରେ ଏକ ରାଷ୍ଟ୍ରୀୟ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ସମସ୍ତ ତଥ୍ୟ ପ୍ରମାଣ ପ୍ରଦାନ କରିବା ସହ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପି ହାରିବା ଥୟ। ତେଣୁ ନିର୍ବାଚନ ବେଳେ ରାଜ୍ୟ ବିଜେପି ବାରମ୍ବାର ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡେ ଏବଂ ମହିଳାଙ୍କୁ ବଦନାମ କରିବାକୁ ପ୍ରୟାସ କରେ।
Comments are closed.