କଟକ: ଦୁର୍ଘଟଣା ଘଟିଲେ ଆମ ସରକାରଙ୍କ ଚେତା ପଶେ । ଗୁଜରାଟ ଝୁଲା ପୋଲ ଦୁର୍ଘଟଣା ପରେ ଏବେ ବାବା ଧବଳେଶ୍ବରଙ୍କ ପୀଠକୁ ଯିବା ପାଇଁ ରହିଥିବା ଝୁଲାପୋଲ ଟି ବିପଦପୂର୍ଣ୍ଣ ଥିବା କୁହାଯାଉଛି । ତେବେ ପ୍ରଶାସନ ଜାଣି ଶୁଣି କିପରି ହଜାର ହଜାର ଲୋକଙ୍କୁ ସେହି ଝୁଲାପୋଲରେ ଯିିବାପାଇଁ ଅନୁମତି ଦେଉଥିବା ତାକୁ ନେଇ ବୁଦ୍ଧିଜୀବୀମାନେ ଏବେ ପ୍ରଶ୍ନ କରୁଛନ୍ତି ।
ଝୁଲାପୋଲ ବିପଦ ଥିବା ଜଣାପଡିବା ପରେ ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା । ଝୁଲାପୋଲ ମରାମତି ହେବା ପାଇଁ ବୈଷୟିକ କମିଟି ନିଷ୍ପତ୍ତି ନେଇଛି । ସେପଟେ ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ନଈ ପାର କରାଇବା ମଧ୍ୟ ବିପଦପୂର୍ଣ୍ଣ । ଗୁଜରାଟ ମୋର୍ବିରେ ଝୁଲା ପୋଲ ଟ୍ରାଜେଡି ପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ଏବେ ଚେତିଛି ପ୍ରଶାସନ । ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ଝୁଲା ପୋଲ ମରାମତି ପାଇଁ ନିଷ୍ପତ୍ତି ହୋଇଛି ।
କାର୍ତ୍ତିକ ମାସ ପାଇଁ ପବିତ୍ର ଧବଳେଶ୍ବରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପ୍ରତିଦିନ ହେଉଛି। ଓଡ଼ିଶା ଏବଂ ଓଡ଼ିଶା ବାହରୁ ଶ୍ରଦ୍ଧାଳୁମାନେ ଏହି ପୀଠକୁ ଶିବ ଦର୍ଶନ ପାଇଁ ଆସିଥାନ୍ତି । ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଧବଳେଶ୍ବର ପୋଲ ସୁରକ୍ଷା କଥା । ଯାହାକୁ ଦୃଷ୍ଟିରେ ରଖି କିଛି ଦିନ ଝୁଲାପୋଲ ବନ୍ଦ ରଖିଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ପୋଲର ଯାଞ୍ଚ ସହ ମରାମତି କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।
ଗୁଜୁରାଟ ଘଟଣା ଘଟିବା ପରେ ଏଠାରେ ମଧ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ବୈଷୟିକ ଟିମ୍ ବାରମ୍ବାର ତନାଘନା କରୁଛି । ସେପଟେ ନୂଆ ବ୍ରିଜ କାମ ଆସନ୍ତା ବର୍ଷ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ତାହାର କାମ କିନ୍ତୁ ଆରମ୍ଭ ହୋଇନାହିଁ ।
ବର୍ଷ ବର୍ଷ ଧରି କଟକ ଜିଲ୍ଲା ଆଠଗଡରେ ଥିବା ଧବଳେଶ୍ବରଙ୍କୁ ଦର୍ଶନ କରିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପୀଠକୁ ଝୁଲାପୋଲ ଦେଇ ଆସିଥାନ୍ତି । ୨୦୦୬ ମସିହାରେ ଏହି ଝୁଲାପୋଲ ହୋଇଥିବା ବେଳେ ଏହା କିନ୍ତୁ ଏବେ ବିପଦପୂର୍ଣ୍ଣ ହୋଇଥିବା କୁହାଯାଉଛି । ପ୍ରଥମରୁ ପୋଲ ଉପରେ ଯେତିକି ଧାରଣ କ୍ଷମତା ଥିଲା ଏବେ ଦୁଇ ଦିନ ତଳେ ଦୁଇଶହକୁ ଆସିଯାଇଛି । ଝୁଲାପୋଲ ଦୁର୍ବଳ ହେଉଥିବାରୁ ଭୟଭୀତ ଅବସ୍ଥାରେ ଶ୍ରଦ୍ଧାଳୁ ମନ୍ଦିର ଯାଉଥିବା ଦେଖାଯାଉଛି । ଶ୍ରଦ୍ଧାଳୁମାନେ ଯିବା ସମୟରେ ଝୁଲା ପୋଲଟି ହଲୁଥିବାରୁ ଅନେକ ଲୋକଙ୍କ ମୁଣ୍ଡ ମଧ୍ୟ ବୁଲାଇ ହେଉଥିବା କହୁଛନ୍ତି ।
Comments are closed.