ସୁଜାତା ମିଶ୍ର
ସୂର୍ଯ୍ୟାସ୍ତର ଆର ପାଖେ
ତୋଳିବା କି ଘର…!
ଛାଇ ଆଲୁଅରେ ଘେରା
ଦୂର ପାହାଡ଼ ଚୂଡ଼ାରେ..
ଭସା ମେଘର ଯାଯାବରୀ ଅଳସ ମାୟାରେ
ସମ୍ମୋହିତ ଗୋଧୂଳିର କୋଳେ
ଖେଳିବା ବୋହୁବୋହୁକା ଖେଳ..!
ଅଝଟ ପଣର ଜହ୍ନ
ଫୁଲେଇ ତାରାଙ୍କ ମେଳେ..
ରଚିବା ପାପ- ପୁଣ୍ୟର
କଣ୍ଢେଇ ବାହାଘର
ଆଲୋକ ଫୁଟିବ ସେଠି
ବ୍ରହ୍ମ କମଳର ପାଖୁଡ଼ାରେ..
ଅନ୍ଧାର ଝୁଲୁ ଥିବ ପର୍ଦାର
ଅନ୍ତରଙ୍ଗ ପଣ ନେଇ
ନିବୁଜ ଆଖି ପତା ତଳେ..,
ସୂର୍ଯ୍ୟର ଅସ୍ତରାଗ ବସିଥିବ
ଆମ ଘର କାନ୍ଥକୁ ଆଉଜି..,
ପାହାଚରେ ଓହ୍ଲାଇ ଆସୁଥିବ
ଅଳସୀ ବର୍ଷା-ବଧୂର
ମଲ୍ଲାର ପଦ ଧ୍ଵନୀ,
ଜ୍ୟୋତ୍ସ୍ନାର ପିଆଲାରେ
ଉବୁଟୁବୁ ହେଉଥିବ ଶିହରଣ..
ରୂପେଲୀ ସମ୍ମୋହନେ ଭିଜି…!
ସବୁଜ ପତ୍ର ଗହଳି ଭିତରୁ
ଉଙ୍କି ମାରୁଥିବ ଯେବେ
ସୂର୍ଯ୍ୟାସ୍ତ ଆର ପାଖର ଘର,
ଚଇତିର ଶାଢ଼ୀ ପିନ୍ଧି
ଋତୁରାଣୀ ହସୁଥିବ
ଅନୁରାଗେ ହୋଇ ଝରଝର..!
କେହି ସେଠି ନଥିବ ଯେ
ପର ଅବା ଆପଣାର..
ଥିବ ଖାଲି ନିଷ୍ପାପ ଭାବନାରେ ତୋଳା
ସୂର୍ଯ୍ୟାସ୍ତ ଆର ପାଖର ଘର ।
କସ୍ମୋପଲିସ
ଭୁବନେଶ୍ୱର
Comments are closed.