ରାଉରକେଲା : ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ବକପ୍ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ କ୍ରୀଡ଼ାର ମାହୋଲା ସୃଷ୍ଟି କରିବା ପାଇଁ ଆରମ୍ଭ ହେଉଛି କ୍ରୀଡ଼ା ଉତ୍ସବ । ଲୋକମାନଙ୍କୁ କ୍ରୀଡ଼ାମନସ୍କ କରିବା ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସିଟି ସ୍ପୋଟର୍ସ କାର୍ନିଭାଲ ବା ନଗର କ୍ରୀଡ଼ା ଉତ୍ସବ ଆୟୋଜନ ନେଇ ନିଷ୍ପତ୍ତି ହୋଇଛି ।
ବିଭିନ୍ନ କ୍ରୀଡ଼ା ସଂଗଠନ ଏବଂ ରାଉରକେଲା ପ୍ରଶାସନର ମିଳିତ ନିଷ୍ପତ୍ତି କ୍ରମେ ୫ ଡିସେମ୍ବର ଠାରୁ ଏହି କ୍ରୀଡ଼ା ପ୍ରତିଯୋଗିତା ସହରରେ ଅନୁଷ୍ଠିତ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏତଦବ୍ୟତୀତ ସହରରେ ‘ହକି’ର ପ୍ରଚାର ପ୍ରସାର ନିମନ୍ତେ ପ୍ରାୟ ୫୦ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହି ସ୍ପୋଟର୍ସ କାର୍ନିଭାଲରେ ଭାଗ ନେବା ସହ ଏହାକୁ ସଫଳ କରିବା ନେଇ ସହର କ୍ରୀଡ଼ାବିତ ତଥା କ୍ରୀଡ଼ାପ୍ରେମୀଙ୍କୁ ନିବେଦନ କରିଛନ୍ତି ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ।
ଆସନ୍ତା ଡିସେମ୍ବର ୫ତାରିଖରୁ ୨୩ ତାରିଖ ଯାଏଁ ଏହି କ୍ରୀଡ଼ା କାର୍ନିଭାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମୋଟ ୫ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ହକି (ପୁରୁଷ ଓ ମହିଳା) ଖୋ ଖୋ (ମହିଳା), ଭିଲିବଲ୍ (ପୁରୁଷ), ଫୁଟବଲ୍ (ପୁରୁଷ, ମହିଳା) ଓ କବାଡ଼ିର (ପୁରୁଷ, ମହିଳା) ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଏହି ପ୍ରତିଯୋଗିତାରେ କେବଳ ରାଉରକେଲା ମହାନଗର ନିଗମ ଓ ଷ୍ଟିଲ୍ ଟାଉନ୍ସିପ୍ ଅଞ୍ଚଳର ଦଳମାନେ ଅଂଶଗ୍ରହଣ କରିପାରିବେ । ଏଣୁ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛୁକ ଦଳମାନେ ରାଉରକେଲା ମହାନଗର ନିଗମ ଓ୍ବେବସାଇଟ୍ www.rmc.nic.in ରୁ ପଞ୍ଜିକରଣ ଫର୍ମ ଡାଉନଲୋଡ୍ କରି ପୂରଣ କରିବେ । ଫର୍ମ ପୂରଣ କରିସାରିଲା ପରେ ଏହାକୁ pmurmc@gmail.com ମାଧ୍ୟମରେ ମହାନଗର ନିଗମକୁ ପଠାଇପାରିବେ । ଅବା ମହାନଗର ନିଗମ କାର୍ଯ୍ୟାଳୟର ‘ମୋ ସରକାର ସେଲ’ରେ ମଧ୍ୟ ପଞ୍ଜିକୃତ ଫର୍ମକୁ ଦାଖଲ କରିପାରିବେ ।
ଏହି ପ୍ରତିଯୋଗିତାରେ ବିଜୟୀ ଦଳକୁ ଟ୍ରଫି, ମେଡାଲ ଏବଂ ଆର୍ଥିକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ । ଏତଦବ୍ୟତୀତ ସହରରେ ୪ଟି ରାହାଗିରି, ମିନି ମାରାଥନ୍ ଓ ବିଭିନ୍ନ ପ୍ରଦର୍ଶନୀ ମ୍ୟାଚ୍, ଦିଵ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।
Comments are closed.