Latest Odisha News

ଆଡଭାନୀ@୯୫: ମୋଦୀ ଦେଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ୯୬ ବର୍ଷରେ ପାଦ ଦେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଦଳରେ ଭିଷ୍ମ ପିତାମହ ବୋଲାଉଥିବା ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ମୋଦୀ । ଭାରତର ବିକାଶରେ ଆଡଭାନୀଙ୍କ ଯୋଗଦାନ ଅବିସ୍ମରଣୀୟ । ତାଙ୍କ ଦୂରଦୃଷ୍ଟି ପାଇଁ ଭାରତରେ ତାଙ୍କୁ ସମ୍ମାନ କରାଯାଏ । ବିଜେପିର ଗଠନ ଠାରୁ ଆରମ୍ଭ କରି ଏହାକୁ ସୁଦୃଢ କରିବା ପର୍ଯ୍ୟନ୍ତ ଆଡଭାନୀଙ୍କ ଭୂମିକା ରହିଛି । ଜନ୍ମଦିନରେ ଆଡଭାନୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ମୋଦୀ ।

କେବଳ ମୋଦୀ ନୁହେଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା ଓ ନୀତିନ ଗଡକରୀ ମଧ୍ୟ ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅବିଭକ୍ତ ପାକିସ୍ତାନର କରାଚୀଠାରେ ଲାଲକୃଷ୍ଣ ଆଡଭାନୀ ୧୯୨୭ରେ ଜନ୍ମ ହୋଇଥିଲେ । କମ୍ ବୟସରୁ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ରେ ସାମିଲ ହୋଇଥିଲେ । ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ମଧ୍ୟରୁ ସେ ଅନ୍ୟତମ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅତି ନିକଟତର ଆଡଭାନୀ ବାଜପେୟୀ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲେ ।  ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ୭ମ ଉପପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୦ ଦଶକରେ ସେ ରାମ ଜନ୍ମଭୂମି ଆନ୍ଦୋଳନକୁ ତୀବ୍ର କରିବାକୁ ରଥଯାତ୍ରା ଆୟୋଜିତ କରିଥିଲେ ।

 

Comments are closed.