Latest Odisha News

BREAKING NEWS

ପାକିସ୍ତାନକୁ ଚିତ୍ କରିଥିବା ବେନ୍ ଷ୍ଟୋକସଙ୍କ ଶିକ୍ଷାଗତ ଯୋଗ୍ୟତା କେତେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ଟି-୨୦ ବିଶ୍ବକପ ଜିତିବ ବୋଲି ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଥିଲା ସେଥିରେ ପାଣି ପକାଇ ଦେଇଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ। ପୂର୍ବରୁ ୨୦୧୯ ବିଶ୍ୱକପରେ ମଧ୍ୟ ଷ୍ଟୋକସଙ୍କ ଧୂଆଁଧାର ବ୍ୟାଟିଂ ଇଂଲଣ୍ଡକୁ ସଫଳତା ଦେଇଥିଲା। ଆଉ ଏବେ ମଧ୍ୟ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଦଳ ବିଶ୍ବ ବିଜେତା ହୋଇପାରିଛି।

ରବିବାର ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ଦ୍ବିତୀୟରେ ୧୩୮ ରନର ଟାର୍ଗେଟ ପିଛା କରି ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ। ଆରମ୍ଭରୁ ଇଂଲଣ୍ଡର ବ୍ୟାଟିଂ ଭଲ ଥିଲେ ମଧ୍ୟ ମଝିରେ ଓ୍ୱିକେଟ୍ ପଡିଯିବା ପରେ ଦୀର୍ଘ ସମୟ ଧରି ବାଉଣ୍ଡରି ମାରିବାରେ ବିଫଳ ହୋଇଥିଲେ ଇଂଲଣ୍ଡର ବ୍ୟାଟସମ୍ଯାନ। ଆଉ ସ୍ଥିତି ଏପରି ଉପୁଜିଥିଲା ଯେମିତି ପୁଣିଥରେ ପାକିସ୍ତାନ ବାଜି ମାରିନେବ। ହେଲେ ଷ୍ଟୋକସ କ୍ରିଜରେ ଧୌର୍ଯ୍ୟର ସହ ଛିଡା ହୋଇ ଯେଉଁଭଳି ରନ୍ ବର୍ଷା କରିଥିଲେ ଦଳ ଗୋଟିଏ ଓଭର ପୂର୍ବରୁ ବିଜୟୀ ହୋଇଯାଇଥିଲା। ଷ୍ଟୋକସ ୪୯ ବଲ୍‌ରୁ ୫ ଚୌକା ଏବଂ ୧ ଛକା ସହ ୫୨ ରନ କରି ଅପରାଜିତ ରହିଥିଲେ।

ଟି ୨୦ ବିଶ୍ୱକପ ପୂର୍ବରୁ ଷ୍ଟୋକସଙ୍କ ବ୍ଯାଟିଂ ପ୍ରଦର୍ଶନ ଏତେ ଭଲ ନଥିଲା। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ମାତ୍ରେ ସେ ତାଙ୍କ ଫର୍ମକୁ ଫେରିଥିଲେ। ଯାହା ଦଳକୁ ବେଶ ସୁହାଇଛି। ଯେଉଁଥିପାଇଁ ଦ୍ବିତୀୟ ଥର କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ର ବିଶ୍ଵ କପ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି ବଟଲର ବାହିନୀ। ବେନ ଷ୍ଟୋକସଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଛି ଇଂଲଣ୍ଡ। ଆଉ ଧୂଳିସାତ ହୋଇଛି ପାକିସ୍ତାନର ଦ୍ଵିତୀୟ ଥର ଟାଇଟଲ୍ ଜିତିବାର ସ୍ଵପ୍ନ। ଏହାପୂର୍ବରୁ ୨୦୧୦ ଟି-୨୦ ବିଶ୍ଵ କପ୍‌ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଚାମ୍ପିଅନ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ବେନ୍ ଷ୍ଟୋକସ ଯଦିଓ ଇଂଲଣ୍ଡ ପାଇଁ ଖେଳୁଛନ୍ତି କିନ୍ତୁ ତାଙ୍କର ଜନ୍ମ ନ୍ୟୁଜିଲାଣ୍ଡରେ। ଯେଉଁଦଳକୁ ସେ ୨୦୧୯ ବିଶ୍ୱକପରେ ସେ ହରାଇଥିଲେ। ସେ ତାଙ୍କ ବାପାଙ୍କ ସହିତ ୧୨ ବର୍ଷ ବୟସରେ ନ୍ୟୁଜିଲାଣ୍ଡ ଛାଡି ଇଂଲଣ୍ଡ ପଳାଇ ଆସିଥିଲେ। ଷ୍ଟୋକସଙ୍କ ବାପା ଗେରାର୍ଡ ମଧ୍ୟ ଜଣେ ଖେଳାଳି। ଇଂଲଣ୍ଡ ପାଇଁ ସେ ରଗବି ଖେଳିଛନ୍ତି। ୨୦୧୯ରେ ଇଂଲଣ୍ଡ କ୍ରିକେଟ ବିଶ୍ବକପ ବିଜୟୀ ହେବା ପରେ ଷ୍ଟୋକସଙ୍କ ବାପା ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ ମଜାଳିଆ ଢଙ୍ଗରେ କହିଥିଲେ, ବୋଧହୁଏ ସେ ଇଂଲଣ୍ଡର ଏପରି ଜଣେ ବାପା ଯାହାଙ୍କୁ କେହି ପସନ୍ଦ କରନ୍ତି ନାହିଁ।

ବେନ୍ ଷ୍ଟୋକସଙ୍କ ଶିକ୍ଷା ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ବା ସ୍ନାତୋକ ରହିଛି।

Comments are closed.