Latest Odisha News

BREAKING NEWS

ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିଅନସିପ୍: ଓଡ଼ିଆ ଝିଅ ସବିତା ଟପ୍ପୋଙ୍କ ସ୍ୱର୍ଣ୍ଣିମ ସଫଳତା

ଭୁବନେଶ୍ୱର: ଘରୋଇ ଟ୍ରାକ୍‌ରେ କମାଲ କଲେ ଓଡ଼ିଆ ଧାବିକା ସବିତା ଟପ୍ପୋ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିଅନସିପ୍‌ର  ମହିଳା ୧୦୦ ମିଟର ହର୍ଡଲ୍ସ (ବାଧାଦୌଡ଼)ରେ ସବିତା ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ୨୧ ବର୍ଷୀୟା ସବିତା ମାତ୍ର ୧୩.୮୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟତମ ଭାରତୀୟ ଖେଳାଳି ସାଇନି ଗ୍ଲାଡସିଆ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ସବିତାଙ୍କ ବ୍ୟତୀତ ଗୁରୁବାର ଦିନ ଭାରତୀୟ ଆଥଲେଟ୍‌ମାନେ ଆଉ ୭ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ପୁରୁଷ ୧୧୦ ମିଟର ହର୍ଡଲ୍ସରେ ଶେଖ୍ ରୋଶନ (୧୪.୧୫ ସେକେଣ୍ଡ), ମହିଳା ୪୦୦ ମିଟରରେ ତନୁ ଚୌଧୁରୀ (୫୩.୮୭ ସେକେଣ୍ଡ), ପୁରୁଷ ଡିସକସ୍ ଥ୍ରୋରେ ବୈଭବ (୫୧.୯୭ ମିଟର), ମହିଳା ଟ୍ରିପଲ୍ ଜମ୍ପରେ ସାଧନା ରବି (୧୩.୨୪ ମିଟର), ମହିଳା ଜାଭେଲିନ୍ ଥ୍ରୋରେ ପୁନମ (୫୩.୮୬ ମିଟର), ପୁରୁଷ ୫୦୦୦ ମିଟରରେ ଗୌରବ ଭାସ୍କର ଭୋସଲେ (୧୪:୪୨.୮୪ ମିନିଟ୍) ଏବଂ ମହିଳା ୧୫୦୦ ମିଟରରେ ପ୍ରାଚୀ ଦେବକର (୪:୩୧.୪୮ ମିନିଟ୍) ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ତିନିଦିନିଆ ଏହି ପ୍ରତିଯୋଗିତାରେ ୬ଟି ଦେଶର ୨୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି । ଭାରତ ମୋଟ୍ ୩୦ଟି ପଦକ (୧୪ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୪ ବ୍ରୋଞ୍ଜ) ସହ ପଦକ ତାଲିକାର ଶୀର୍ଷରେ ରହିଥିବା ବେଳେ ଶ୍ରୀଲଙ୍କା ୨୧ଟି ପଦକ (୪ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୧୨ ବ୍ରୋଞ୍ଜ) ସହ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.