Latest Odisha News

BREAKING NEWS

ପରଦା ପଛରେ ରହି ୬ ଭାରତୀୟ କ୍ରିକେଟରଙ୍କୁ ‘ଷ୍ଟାର୍’ କରିଛନ୍ତି ଯୁବରାଜ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ପୂର୍ବତନ ତାରକା ଅଲରାଉଣ୍ଡର ଯୁବରାଜ ସିଂ ପରଦା ପଛରେ ରହି ଯୁବ ଓ ପ୍ରତିଷ୍ଠିତ ଭାରତୀୟ ଖେଳାଳିଙ୍କ ଖେଳକୁ ଶାଣିତ କରିବାରେ ଲାଗିଛନ୍ତି। ନିକଟରେ ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ୟୁଏଇ ବିପକ୍ଷରେ ମାତ୍ର ୫୩ ବଲ୍‌ରୁ ୨୦୪ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ୧୫ ବର୍ଷୀୟ ବୈଭବ ସୂର‌୍ୟ୍ୟବଂଶୀ ନିଜ ସଫଳତାର ଶ୍ରେୟ ଯୁବରାଜ ସିଂଙ୍କୁ ଦେଇଛନ୍ତି। ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଯୁବରାଜଙ୍କ ସହ ୩୦ ମିନିଟ୍‌ର ଫୋନ୍ ଆଲୋଚନା ଓ ବ୍ୟାଟିଂ ଟିପ୍ସ ତାଙ୍କ ଖେଳରେ ବଡ଼ ପରିବର୍ତ୍ତନ ଆଣିଥିବା ବୈଭବ ପ୍ରକାଶ କରିଛନ୍ତି । ବୈଭବ ସୂର‌୍ୟ୍ୟବଂଶୀଙ୍କ ବ୍ୟତୀତ ଅନ୍ୟ ୫ ଜଣ ଭାରତୀୟ ତାରକା କ୍ରିକେଟର ମଧ୍ୟ ଯୁବରାଜଙ୍କ ମାର୍ଗଦର୍ଶନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଅଭିଷେକ କୋଭିଡ୍-୧୯ ଲକଡାଉନ୍ ସମୟରେ ଯୁବରାଜଙ୍କ ସହ ରହି ବ୍ୟାଟିଂ ଟେକନିକ୍, ଶଟ୍ ଚୟନ ଏବଂ ବଡ଼ ମ୍ୟାଚ୍‌ର ଚାପ ସମ୍ଭାଳିବା କୌଶଳ ଶିଖିଥିଲେ ।

ଶୁଭମନ ଗିଲ୍‌ଙ୍କ କ୍ୟାରିୟରର ପ୍ରାରମ୍ଭିକ ପର‌୍ୟ୍ୟାୟରେ ଲକଡାଉନ୍ ଅଭ୍ୟାସ ଶିବିର ସମୟରେ ଯୁବରାଜ ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଧଳା ବଲ୍ କ୍ରିକେଟ୍ ଏବଂ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରିବା ପାଇଁ ସଞ୍ଜୁ ଯୁବରାଜଙ୍କ ସହ କାମ କରିଥିଲେ ।  ଆଇପିଏଲ୍ ୨୦୨୬ ପୂର୍ବରୁ ଋଷଭ ପନ୍ତ ମୁମ୍ବାଇରେ ଯୁବରାଜଙ୍କ ତତ୍ତ୍ୱାବଧାନରେ ଚାରି ଦିନ ଧରି ସ୍ୱତନ୍ତ୍ର ଦିବାରାତ୍ର ଅଭ୍ୟାସ ସତ୍ରରେ ସାମିଲ ହୋଇଥିଲେ । ଯୁବ ଓପନର ପ୍ରିୟାଂଶ ଆର‌୍ୟ୍ୟ ମଧ୍ୟ ନିଜ ବ୍ୟାଟିଂରେ ସୁଧାର ଆଣିବା ପାଇଁ ଯୁବରାଜଙ୍କଠାରୁ ପରାମର୍ଶ ନେଇଛନ୍ତି । ଆଇପିଏଲ୍ ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଯୁବରାଜ ସିଂଙ୍କୁ ଦଳର ସହକାରୀ ଏବଂ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି । ଅନ୍ୟପଟେ, ଯୁବରାଜଙ୍କ ପ୍ରଶିକ୍ଷଣରେ ଭାରତୀୟ ବ୍ୟାଟରଙ୍କ ଲଗାତାର ସଫଳତାକୁ ଦେଖି ତାଙ୍କୁ ଭାରତୀୟ ଜାତୀୟ ଦଳର ବ୍ୟାଟିଂ କୋଚ୍ କିମ୍ବା ମୁଖ୍ୟ କୋଚ୍ ନିଯୁକ୍ତ କରିବାକୁ ସୋସିଆଲ୍ ମିଡିଆରେ ପ୍ରଶଂସକମାନେ ଜୋରଦାର ଦାବି ଉଠାଇଛନ୍ତି ।

Leave A Reply

Your email address will not be published.